Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚିତ୍ତ ଜେନା, ଓଡିଆ ଆତ୍ମାର ଅନ୍ତିମ ଗାୟକ
ବିଶେଷ ଖବର

ଚିତ୍ତ ଜେନା, ଓଡିଆ ଆତ୍ମାର ଅନ୍ତିମ ଗାୟକ

November 13, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କିଛି ଗାୟକ ଗୀତ ଅଭ୍ୟାସ କରନ୍ତି ଆଉ ଗାଆନ୍ତି। ଆଉ କିଛି ଗାୟକଙ୍କୁ ଗୀତ ନିଜ ପାଇଁ ବାଛେ। ଆପେ ଆପେ ଗୀତ ଉତୁରି ଆସେ କଣ୍ଠକୁ। ସେଠି ଅଭ୍ୟାସ ନଥାଏ, ଉଦ୍ୟମ ନଥାଏ, ଥାଏ କେବଳ ସହଜ ଓ ସ୍ଵାଭାବିକ ସ୍ଵର ପ୍ରବାହ। ଚିତ୍ତ ଜେନା, ସହଜ ଓ ସ୍ଵାଭାବିକ ଶିଳ୍ପୀ। ସେ ଜନ୍ମରୁ ଗାୟକ। ତାଙ୍କ ଗଳାଟି କେବଳ ଗୀତର କଳା ପାଇଁ ଗଢା ହୋଇଥିଲା। ଓଡିଆ ଲୋକପ୍ରିୟ ଗୀତର ପରମ୍ପରାରେ ସେ ଅନ୍ୟତମ ମହାନାୟକ। କେତେ ଯେ ଗୀତ ତାଙ୍କର ଲୋକପ୍ରିୟତାର ଶୀର୍ଷକୁ ଯାଇଛି, ତାହାର ହିସାବ ଦେଇ ହେବନାହିଁ। ଅସୁମାରୀ ମଧୁର ଗୀତର ମହାନାୟକ ଚିତ୍ତ ଜେନା ଆଜି ଚାଲି ଯାଇଛନ୍ତି। ଅବଶ୍ୟ ସେ ଯିବେ କୁଆଡେ? ଗୀତ ଥିବା ଯାଏ ଚିତ୍ତ ରହିବେ। ମରଣ କ’ଣ ଶିଳ୍ପୀ କୁ ମାରିପାରେ!

ଖିୟାଲି ମନର ମହାରାଜା

ଚିତ୍ତ ଜେନା, ଗୋଟେ ବେଫିକର ମଣିଷ। ଶିଳ୍ପୀର ଅହଂକାର କି ଗାୟକର ଗୌରବ ବାହାରେ ସେ ଗୋଟେ ବାଟବଣା ବାଟୋଇ। ଜନ୍ମ ହୋଇଥିଲେ ବ୍ୟବସାୟୀ ପରିବାରରେ । ପଇସାବାଲା ଘରର ପିଲା। ବାପା ଚାହୁଁଥିଲେ, ପୁଅ ବ୍ୟବସାୟ କରୁ। ପଇସା ଯୋଡୁ। ପୁଅ କିନ୍ତୁ ଗୀତ ଗାଇଲେ। ଏମିତି ଗୁଣୁ ଗୁଣୁ ଗୀତ। ହାର୍ମୋନିୟମ ଧରି ସାରେଗାମା ଶିଖି ନଥିଲେ। ବାସ, କଟକର କାଠଯୋଡ଼ି ଯେମିତି ଗାଏ, ସୁଲୁସୁଲିଆ ପବନ ଯେମିତି ଗାଏ, ଯେମିତି କୋଇଲି କି କାଠହଣା ଚଢେଇ, ଚିତ୍ତଙ୍କ ଗୀତ ସେମିତି।

ତାଙ୍କ କଣ୍ଠରେ ଗୋଟେ ଯାଦୁ ଥିଲା। ସେଥିପାଇଁ ଚିତ୍ତ ଜେନାଙ୍କ ବନ୍ଧୁ  ପ୍ରଫୁଲ୍ଲ କର କହନ୍ତି- “ତା ଗଳା ଟି ଏତେ ମିଠା ଯେ, ସେ ତଳେ ଶୋଇଲେ ମୋତେ ଲାଗେ ତା ଗଳାରେ ପିମ୍ପୁଡି ଲାଗିଯିବେ”। ଅପୂର୍ବ ଭାବରେ ମଧୁର ଓ ମାଦକ ତାଙ୍କର ଗଳା। ଗୀତ ଗାଇବାକୁ ଗଲେ କଟକ ରେଡ଼ିଓ ଷ୍ଟେସନ। ସୁଯୋଗ ମିଳିଗଲା। ସେଠି ପ୍ରଯୋଜକ ଥାନ୍ତି ପଣ୍ଡିତ ଭୁବନେଶ୍ୱର ମିଶ୍ର। ଚିତ୍ତ ଜେନାଙ୍କୁ ସେ ଶିଖେଇଲେ ଗୀତ ଗାଇବାର ଛୋଟ ଛୋଟ କୌଶଳ। ବାପା କହୁଥିଲେ, “ନାରେ ନାରେ ହ’ ନା”। ଚିତ୍ତ କିନ୍ତୁ ଗୀତର ପ୍ରେମରେ ପଡିଲେ ଓ ଗାୟକ ହେଲେ।

ଓଡିଆ ଆତ୍ମାର ଗାୟକ

ଆଜି ସକାଳୁ ଯେତେବେଳେ ଶୁଣିଲି, ଚିତ୍ତ ଜେନା ଚାଲିଗଲେ, ମୋର ପ୍ରଥମ ଚିନ୍ତା ଥିଲା, ୟା ପରେ ଓଡିଆ ଗୀତରେ ଓଡିଆ ଭାଷାର କଣ ହେବ! ଚିତ୍ତ ଜେନା ଓଡିଆ ଶବ୍ଦର ଭାବକୁ ଏତେ ସ୍ପଷ୍ଟ, ଶୁଦ୍ଧ ଓ ଭାବମୟ ଭାବରେ ଉଚ୍ଚାରଣ କରନ୍ତି, ଯେଉଁଥିରେ ଶବ୍ଦ ତାର ସବୁ ପ୍ରକାର ସୌନ୍ଦର୍ଯ୍ୟ ପ୍ରକଟିତ କରିପାରେ। ସେ ପ୍ରଜନ୍ମଇ ସେଇଆ। ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ, ପ୍ରଫୁଲ୍ଲ କର ଓ ଚିତ୍ତ ଜେନା। ଷାଠିଏ ଦଶକର ଏଇ ପାଞ୍ଚଜଣ ଶିଳ୍ପୀ ଆମ ଗୀତର ପାଞ୍ଚ ନାୟକ। ତେବେ ଶବ୍ଦ ଉଚ୍ଚାରଣରେ ସିକନ୍ଦର ଓ ଚିତ୍ତଙ୍କ ଠାଣି ନିଆରା। ଚିତ୍ତ ଜେନାଙ୍କ ପ୍ରସିଦ୍ଧ ଗୀତ- ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର ରେ ଗୋଟେ ଧାଡି ଅଛି। “ଜାଣେ ନା ସେ ଫୁଲ ଗନ୍ଧେ ମୁଁ ଆଜି ବିଭୋର” –  ବିଭୋର ଶବ୍ଦଟି ଆପଣ ଆଉ କେଉଁ ଗୀତରେ ହୁଏତ  ଶୁଣି ଥାଇପାରନ୍ତି, ହେଲେ ଚିତ୍ତଙ୍କ ଉଚ୍ଚାରଣର ଉତ୍ତେଜନା ଓ ବିଭୋରପଣ ଆଉ କାହା ପାଖରେ ନାଇଁ। ସେମିତି ପ୍ରିୟା ଶବ୍ଦ ବୋଧେ କେବଳ ଚିତ୍ତ ଜେନାଙ୍କ ପାଇଁ ତିଆରି ହୋଇଥିଲା। ତାଙ୍କ କଣ୍ଠରେ ପ୍ରିୟା ଯେମିତି ଶ୍ରୋତାର ଛାତି ଭିତରକୁ ପ୍ରେମର ଦେଉଳ କରିଦିଏ। ପ୍ରିୟା ଶବ୍ଦ କେବଳ ତାଙ୍କର ଟ୍ରେଡ୍ ମାର୍କ। ତାପରେ ସେ ଶବ୍ଦ କୁ ନେଇ ଯିଏ ବି ଗାଇଛି, ସେ ଚିତ୍ତ ଜେନା ଆଗରେ ଫିକା। କେତେ କେତେ ମନ ଛୁଆଁ ଗୀତ ସେ ଗାଇଛନ୍ତି। ରୂପ ହୋଇଥିବ ଲାବଣ୍ୟବତୀ… ଏ ପରବତ କୁଞ୍ଚି କୁଞ୍ଚିକା… ପ୍ରିୟା ବିନା ଝୁରେ ଖାଲି… କାହିଁ ଗଲେ ଶ୍ୟାମଘନ… ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ… ଦେଖି ସେ ବଣମଲ୍ଲି… ମାଣିକ ଏ ମୋର ମାଣିକ… ଗୀତର ତାଲିକା ବହୁତ ଲମ୍ବ। ।

ଉଦାସୀନତାର ଉତ୍ସବ

ପ୍ରେମ, ବିରହ ଓ ବିଷାଦ- ଏ ତିନୋଟି ଭାବ ତାଙ୍କ ଗୀତର ମୌଳିକ ଆଧାର । ପ୍ରେମର ଗାୟକ ଭାବରେ ତାଙ୍କୁ ତାଙ୍କ ଗଳାର ସହଜ ଗତି ବେଶ ସହାୟକ ହେଉଥିଲା। ହେଲେ ବିଷାଦ ଗୀତକୁ ନେଇ ଗୋଟେ ଉଚ୍ଛ୍ଵାସ ଯେ ନିର୍ମାଣ କରାଯାଇପାରେ ଏ କଥା ଆମେ କେବଳ ଚିତ୍ତ ଜେନାଙ୍କ ପାଖରେ ପାଇଛୁ। ହରିହର ମିଶ୍ରଙ୍କ ପ୍ରସିଦ୍ଧ ଗୀତ “ଢାଳି ଦିଅ ସାରା ଧରଣୀରେ ଆଜି ତୁମରି ଆଲୋକ ଧାରା” ରେ ଚିତ୍ତ ଜେନାଙ୍କ ଉଦାତ୍ତ ସ୍ଵର ଆମକୁ ମଣିଷ ହେବାର ବାଟ ଦେଖାଇଦିଏ। ସେମିତି “ବିଲ୍ଵ ମଙ୍ଗଳ” ସିନେମାରେ ସେ ଗାଇଥିବା ମନବୋଧ ଚଉତିଶାର ପଦ… “କହଇ  ମନ ଆରେ ମୋ ବୋଲ କର…” ଏଠି ସନ୍ୟାସ, ଉଦାସୀନତା ଓ ଅନାସକ୍ତିର ଗୋଟେ ବିଚିତ୍ର ମିଶ୍ରଣ। “ଦେଖି ସେ ବଣମଲ୍ଲୀ…” ଗୀତରେ ଶବ୍ଦ, ପଦ ଓ ପଦ ଭିତରେ ରହିଥିବା ନୀରବତାକୁ ସେ ଏମିତି ଗାଇଛନ୍ତି, ଯେମିତି ସେ ଗୀତ ନୁହେଁ, କେବଳ ଧାରେ ବ୍ୟାକୁଳତା। ପ୍ରଫୁଲ୍ଲ କର ଓ ଚିତ୍ତ ଜେନାଙ୍କ ଯୋଡ଼ି ଓଡିଆ ଗୀତର ପରମ୍ପରାରେ ଏମିତି କିଛି କୁହୁକ କରିଛନ୍ତି, ଯାହାର ଆବିଷ୍କାର ଏଯାଏ ପୂର୍ଣ୍ଣାଙ୍ଗ ନୁହେଁ।

୨୪ ଡିସେମ୍ବର ୧୯୪୧ ରୁ ୧୨ ନଭେମ୍ବର ୨୦୧୮, ଚିତ୍ତ ଜେନାଙ୍କ ଆୟୁଷ ସେତିକି। ହେଲେ ସେ ମହାକାଳର ଗାୟକ। ତାଙ୍କର ମୃତ୍ୟୁ ନାହିଁ। କେବଳ ଦୁଃଖ ଏତିକି ଯେ, ତାଙ୍କ କଣ୍ଠରେ ଆଜି ଓଡିଆ ଭାଷାର ଯାଦୁକରୀ ଶୁଦ୍ଧତା ସବୁଦିନ ଲାଗି ଶୋଇପଡିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ରାଏଲ ସ୍ୱାଧୀନତା ଦିବସରେ ମଶାଲ ପ୍ରଜ୍ୱଳନ ପାଇଁ ମୋଦୀଙ୍କୁ ନେତାନ୍ୟାହୁଙ୍କ ଆମନ୍ତ୍ରଣ

October 23, 2026

କୃଷକଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

October 23, 2026

ବିଶ୍ୱ ସ୍ତରରେ ଶକ୍ତିଶାଳୀ ପ୍ରତିଷ୍ଠାନ ଏବଂ ଗ୍ଲୋବାଲ୍ ସାଉଥ୍‌ର ଅଧିକାର ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

October 22, 2026

ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ପ୍ରତିଭାବାନ ଆଥଲେଟ୍

October 22, 2026
Latest News

୨୦୨୭ରୁ WhatsApp ଓ Telegram ବ୍ୟବହାରରେ ବଡ଼ ପରିବର୍ତ୍ତନ! ଫୋନ୍‌ରେ SIM ନଥିଲେ ହୋଇପାରେ ଅସୁବିଧା

October 23, 2026

କେନ୍ଦୁଝରରେ ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର, ଡାହାଣ ଗୋଡ଼ରେ ବାଜିଲା ଗୁଳି

October 23, 2026

ମେଗନ୍ ଶଟ୍ ଦୁଇଟି ମ୍ୟାଚ୍‌ରୁ ସସ୍‌ପେଣ୍ଡ

October 23, 2026

ଏମସିଡି ଗୃହରେ ହଙ୍ଗାମା: ବିଜେପି-ଆପ୍ ମୁହାଁମୁହିଁ

October 23, 2026

ପାର୍ବଣ ପୂର୍ବରୁ ରୂପା ଆମଦାନିକୁ ବଡ଼ ଅନୁମତି, ଗ୍ରାହକଙ୍କୁ ମିଳିବ କି ଆଶ୍ୱସ୍ତି?

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.