
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅବସ୍ଥିତ କୁତୁବ ମିନାର ପରିସରରେ ଖନନ କାର୍ଯ୍ୟ ଆରମ୍ଭ ହୋଇପାରେ। ସୂଚନାନୁସାରେ, କୁତୁବ ମିନାରରେ ପ୍ରତିମାମାନଙ୍କର ଆଇକନୋଗ୍ରାଫି କରାଯିବା ଉଚିତ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। କୁତୁବ ମିନାର ପରିସରରେ ଥିବା ଏକ ରିପୋର୍ଟ ଆଧାରରେ ଖନନ କାର୍ଯ୍ୟ ଆରମ୍ଭ ହେବ। ଖନନ ପାଇଁ ସଂସ୍କୃତି ମନ୍ତ୍ରଣାଳୟକୁ ASI ରିପୋର୍ଟ କରିବ।
ଶନିବାର ଦିନ ଅଧିକାରୀଙ୍କ ସହ ଏକ ସାଇଟ୍ ପରିଦର୍ଶନରେ ସଂସ୍କୃତି ସଚିବ ଏହି ନିଷ୍ପତ୍ତି ନେଇଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମିନାରର ଦକ୍ଷିଣରେ ଥିବା ମସଜିଦ ଠାରୁ ୧୫ ମିଟର ଦୂରରେ ଖନନ କାର୍ଯ୍ୟ ଆରମ୍ଭ ହୋଇପାରେ।
ଆଇକନୋଗ୍ରାଫି କ’ଣ?:
ଆଇକନୋଗ୍ରାଫି ହେଉଛି କଳା ଇତିହାସର ଏକ ଶାଖା ଯାହା ଚିତ୍ରଗୁଡ଼ିକର ବିଷୟବସ୍ତୁର ଚିହ୍ନଟ, ବର୍ଣ୍ଣନା ଏବଂ ବ୍ୟାଖ୍ୟାକୁ ଅଧ୍ୟୟନ କରେ।
ପ୍ରକାଶ ଯୋଗ୍ୟ ଯେ, କିଛି ଦିନ ପୂର୍ବେ କୁତୁବ ମିନାର ପରିସରରେ ଉପସ୍ଥିତ ଥିବା କୁୱୁତୁଲ ଇସଲାମ ମସଜିଦରେ ହିନ୍ଦୁ ଦେବତାମାନଙ୍କର ପୁନରୁଦ୍ଧାର ଏବଂ ଉପାସନା କରିବାର ଅଧିକାର ମାଗିବା ପାଇଁ ସାକେତ କୋର୍ଟରେ ଏକ ଆବେଦନ କରାଯାଇଥିଲା। ଯାହା ଆଜି ମଇ ୨୪ ତାରିଖରେ ସାକେତ କୋର୍ଟରେ ଶୁଣାଣି ହେବ।
ଏହି ଆବେଦନରେ ଦାବି କରାଯାଇଛି ଯେ, ମହମ୍ମଦ ଘୋରିଙ୍କ ଜେନେରାଲ କୁତୁବୁଦ୍ଦିନ ଆଇବାକ୍ ୨୭ ଟି ମନ୍ଦିରକୁ ଆଂଶିକ ଭାଙ୍ଗି ଦେଇଥିଲେ ଏବଂ ଏହି ସାମଗ୍ରୀରୁ କୁୱତ-ଉଲ୍-ଇସଲାମ ମସଜିଦ ନିର୍ମାଣ କରିଥିଲେ।