ସୂକ୍ଷ୍ମ ରୂପରେ ଭଗବାନ ସର୍ବତ୍ର ବିଦ୍ୟମାନ, କିନ୍ତୁ ଏହିପରି ପ୍ରଭୁଙ୍କ ମିଳିଥାଏ ଦର୍ଶନ

Published: Jul 18, 2022, 8:07 am IST

ଉପେନ୍ଦ୍ର ବଳିୟାରସିଂହ

ଥରେ ମହାରାଷ୍ଟ୍ରରେ ସନ୍ଥ ସମ୍ମିଳନୀ ହେଉଥିଲା। ଭକ୍ତମଣ୍ଡଳୀ ସନ୍ଥମାନଙ୍କର ପରୀକ୍ଷା ପାଇଁ ସନ୍ଥ ଗୋରା କୁମାହାରଙ୍କୁ ସାଧ୍ଵୀ ମୁକ୍ତା ବାଇ ଆଦେଶ ଦେଲେ। ସେମାନଙ୍କ ମଧ୍ୟରେ ପ୍ରସିଦ୍ଧ ସନ୍ଥ ନାମଦେବ ବି ଥିଲେ। ନାମଦେବ ବିଟଠଲ୍ ଭଗବାନଙ୍କର ଜଣେ ପ୍ରିୟ ଭକ୍ତ ଥିଲେ। ଏପରିକି ସେ ବିଟଠଲ୍ ଭଗବାନଙ୍କ ସହ ପ୍ରତ୍ୟକ୍ଷ କଥାବାର୍ତ୍ତା ବି କରିପାରୁଥିଲେ। ତେଣୁ ନାମଦେବଙ୍କର ନିଜ ଉପରେ ଅତ୍ୟନ୍ତ ଅଭିମାନ ଥିଲା ଯେ, ସେ ଭଗବାନଙ୍କର ଅତି ପ୍ରିୟ ଅଟନ୍ତି।

ଗୋରା କୁମାହାର ସନ୍ଥମାନଙ୍କର ପରୀକ୍ଷା କରିବାକୁ ଯାଇ ସମସ୍ତଙ୍କ ମସ୍ତକରେ ଟିପ ମାରୁଥିଲେ। ନାମଦେବଙ୍କ ମସ୍ତକରେ ମଧ୍ୟ ଟିପ ମାରିଲେ। ନାମଦେବଙ୍କୁ ଛାଡି ଅନ୍ୟମାନେ ନିର୍ବିକାର ରହିଲେ। କିନ୍ତୁ ନାମଦେବ ଭୀଷଣ କ୍ରୋଧାନ୍ଵିତ ହୋଇଗଲେ। ଉପରକୁ ତ କିଛି କହିଲେ ନାହିଁ, କିନ୍ତୁ ମନେ ମନେ ଅଭିମାନବଶ ଭାବିଲେ, କ’ଣ କେବେ ମାଟି ମାଠିଆ ପରି ଏମିତି ପରୀକ୍ଷା ହୋଇପାରେ?

ଅନ୍ୟମାନଙ୍କର ଚେହେରା ଅପରିବର୍ତ୍ତିତ ରହିଥିବା ବେଳେ ନାମଦେବଙ୍କର ଚେହେରା ବିବର୍ଣ୍ଣ ହୋଇଗଲା। ଗୋରା କୁମହାର ନିଷ୍ପତ୍ତି ଶୁଣାଇ ଦେଲେ। ସମସ୍ତଙ୍କର ମସ୍ତକ ପକ୍କା, କିନ୍ତୁ ଏହି ନାମଦେବଙ୍କର କଚା ଅଟେ।

ଏହା ଶୁଣି ନାମଦେବ କ୍ରୋଧରେ କହିଲେ, “ତୁମ ମସ୍ତକ ହିଁ କଚା। ତୁମକୁ ଅଧିକ ଶିକ୍ଷାର ଆବଶ୍ୟକତା ରହିଛି। ନାମଦେବ ଫେରିଆସି ବିଟଠଲ୍ ଭଗବାନଙ୍କ ଆଗରେ ସବୁ କଥା କହିଲେ।

ଭଗବାନ କହିଲେ, “ନାମଦେବ! ଯଦି ମୁକ୍ତାବାଇ ଓ ଗୋରା କୁମହାର କହୁଛନ୍ତି, ତାହାହେଲେ ତୁମର ମସ୍ତକ ହିଁ କଚା ଅଟେ। ନାମଦେବ ତୁମକୁ ଏପର୍ଯ୍ୟନ୍ତ ସର୍ବବ୍ୟାପକ ଭଗବାନ (ବ୍ରହ୍ମ)ଙ୍କର ଅନୁଭବ ହୋଇନାହିଁ। କାରଣ ତୁମେ କୌଣସି ସଦଗୁରୁଙ୍କ ଆଶ୍ରୟ ନେଇନାହିଁ। ତୁମେ ମଙ୍ଗଳ ବେଢାରେ ରହୁଥିବା ମୋର ଭକ୍ତ ବିସୋବା ଖେଚରଙ୍କର ପାଖକୁ ଯାଅ। ସେ ତୁମକୁ ଜ୍ଞାନ ପ୍ରଦାନ କରିବେ।”

ନାମଦେବ ଖୋଜି ଖୋଜି ଶିବଙ୍କ ମନ୍ଦିରରେ ପହଞ୍ଚିଲେ। ସେତେବେଳେ ବିସୋବା ଖେଚର ଶିବ ଲିଙ୍ଗ ଆଡକୁ ଗୋଡ ଲମ୍ବେଇ ଶୋଇଥିଲେ। ସେ ଜାଣିସାରିଥିଲେ, ନାମଦେବ ଆସୁଛନ୍ତି। ଅତଃ ତାଙ୍କୁ ଶିକ୍ଷା ଦେବା ପାଇଁ ଏପରି ନାଟକ କଲେ।

ନାମଦେବ ଏସବୁ ଦେଖି ଚିନ୍ତା କଲେ ଯେ, ଭଗବାନଙ୍କ ଆଡକୁ ଗୋଡ ପ୍ରସାରୀ ଶୟନ କରୁଛି ଅର୍ଥାତ ଭଗବାନଙ୍କର ଅପମାନ କରୁଛି। ସେ ମୋତେ କି ଜ୍ଞାନ ଦେବ? ନାମଦେବ କହିଲେ, “ଆଜ୍ଞା ଶିବ ଲିଙ୍ଗ ଉପରୁ ଗୋଡ ହଟାଇ ଦିଅନ୍ତୁ।

ବିସୋବା କହିଲେ, “ଠିକ ଅଛି। ତୁ ମୋର ଗୋଡକୁ ଉଠାଇ ଏପରି ଜାଗାରେ ରଖ, ଯେଉଁଠାରେ ଶିବ ଭଗବାନଙ୍କର ଅସ୍ତିତ୍ଵ ନଥିବ।”

ନାମଦେବ ତାଙ୍କ ଗୋଡକୁ ଉଠାଇ ଏଣେତେଣେ କଲେ। ସେ ଯେଉଁଠାରେ ଗୋଡ ରଖୁଥିଲେ, ଶିବ ଲିଙ୍ଗ ପ୍ରକଟ ହୋଇଯାଉଥିଲା। ଏହିପରି ସାରା ମନ୍ଦିର ଶିବଲିଙ୍ଗମୟ ହୋଇଗଲା। ଏହାଦେଖି ନାମଦେବ ଆଶ୍ଚର୍ଯ୍ୟଚକିତ ହୋଇଗଲେ।

ବିସୋବା କହିଲେ, “ନାମଦେବ! ପ୍ରକୃତରେ ତୁମେ କଚା ଅଟ।” ଏବେ ବି ତୁମେ ସମସ୍ତ ସ୍ଥାନରେ ଇଶ୍ଵରଙ୍କୁ ଦର୍ଶନ କରିପାରୁନ? ବିଶ୍ଵରେ ଭଗବାନ ତ ସୂକ୍ଷ୍ମ ରୂପରେ ସର୍ବତ୍ର ବିଦ୍ୟମାନ, ସର୍ବବ୍ୟାପକ। ତୁମେ ସମସ୍ତ ଜଡଚେତନା ଠାରେ ଈଶ୍ବରୀୟ ସତ୍ତା ଅନୁଭବ କର। ନାମଦେବଙ୍କର ଜ୍ଞାନ ଉଦୟ ହେଲା।

ଯେତେବେଳେ ଭକ୍ତି ଓ ଜ୍ଞାନ ଏକାଠି ହେଲେ, ସେତେବେଳେ ତାଙ୍କୁ ଇଶ୍ଵର ଦର୍ଶନ ସର୍ବତ୍ର ପ୍ରାପ୍ତ ହେଲା।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା

Related posts