
ନୂଆଦିଲ୍ଲୀ: ଆଜି ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ବି ବି ଲାଲଙ୍କର ୧୦୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଲାଲ ଭାରତ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଥିଲେ। ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ହେଉଥିବା ଅଯୋଧ୍ୟା ସ୍ଥାନରେ ଖନନ ସମୟରେ ମନ୍ଦିର ସ୍ତମ୍ଭ ସେ ପାଇଥିଲେ।
ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଲାଲ ଜଣେ ମହାନ ବୁଦ୍ଧିଜୀବୀ ଭାବରେ ସ୍ମରଣୀୟ ହୋଇ ରହିବେ। “ଶ୍ରୀ ବି ବି ଲାଲ ଜଣେ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ଥିଲେ। ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କୁ ଜଣେ ମହାନ ବୁଦ୍ଧିଜୀବୀ ଭାବରେ ସ୍ମରଣ କରାଯିବ ଯିଏ ଆମର ସମୃଦ୍ଧ ଅତୀତ ସହିତ ଆମର ସମ୍ପର୍କକୁ ଆହୁରି ଗଭୀର କରିଥିଲେ। ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ମୋର ସମବେଦନା। ଓମ୍ ଶାନ୍ତି।
ସେହିପରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶାନ ରେଡ୍ଡୀ କହିଛନ୍ତି ଯେ ଦେଶ ଏକ ଉଜ୍ଜ୍ୱଳ ତାରକା ହରାଇଛି। ସେ କହିଛନ୍ତି ଲାଲ ଭାରତର ପ୍ରତ୍ନତାତ୍ତ୍ୱିକ ଖନନ ଏବଂ ପ୍ରୟାସରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ଚାରି ଦଶନ୍ଧି ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ ତାଲିମ ଦେଇଛନ୍ତି।
ଭାରତ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏକ ଟୁଇଟ୍ରେ କହିଛି, “ପ୍ରତ୍ନତତ୍ତ୍ୱରେ ପଦ୍ମଭୂଷଣ ପ୍ରଫେସର ବି ବି ଲାଲଙ୍କ ଅବଦାନ ଅତୂଳନୀୟ। ତାଙ୍କର 101 ବର୍ଷର ଜୀବନକୁ ଏହି ପ୍ରତ୍ନତତ୍ବ ବିଷୟ ପାଇଁ ଉତ୍ସର୍ଗ କରିଥିଲେ।