Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀ ଠାରେ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ପୁରୀ ଠାରେ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

October 4, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ/ଭୁବନେଶ୍ୱର: ଏକବିଂଶ ଶତାବ୍ଦୀରେ ଭାରତୀୟତା, ଭାରତୀୟ ପରମ୍ପରା ଓ ହିନ୍ଦୁତ୍ୱ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ଆହୁରି ପ୍ରଭାବଶାଳୀ ଭାବେ ନୂଆପିଢି ସହ ଯୋଡ଼ିବା ଉଦ୍ଦେଶ୍ୟରେ ଆଜି ପବିତ୍ର ପୁରୀ ଧାମ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସରେ ଦେଶର ଦ୍ୱିତୀୟ ‘ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ରାଜ୍ୟରୁ ଆସିଥିବା ବେଦ ବିଶାରଦଙ୍କ ଉପସ୍ଥିତିରେ ଯଜ୍ଞ ଉତ୍ସବରେ ସାମିଲ ହୋଇ ପୂର୍ଣ୍ଣାହୁତି ଦେଇ ଏହି ବେଦ ବିଦ୍ୟାଳୟର ଲୋକାର୍ପଣ କରିଥିଲେ। ହିନ୍ଦୁ ଅଧ୍ୟୟନ କେନ୍ଦ୍ରର ଉଦଘାଟନ ସହ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନା ଗୁଡ଼ିକର ମଧ୍ୟ ଶୁଭାରମ୍ଭ  କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ଶ୍ରୀସଦାଶିବ କ୍ୟାମ୍ପସରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶରେ ଜାତୀୟ ଶିକ୍ଷା ନୀତି ଆଧାରରେ ବେଦ ବିଦ୍ୟାର ପୃଥକ ବୋର୍ଡ ତିଆରି କରାଯାଇଛି। ଉଜ୍ଜୟିନୀ ସ୍ଥିତ ମହର୍ଷି ସାନ୍ଦୀପନି ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନକୁ ଏହାର ମାନ୍ୟତା ଦିଆଯାଇଛି। ଦେଶରେ ପାଞ୍ଚଟି ନୂଆ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ଯୋଜନା କ୍ରମରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ନାମରେ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ନାମକରଣ କରାଯାଇଛି। ଋଗ୍ ବେଦର କେନ୍ଦ୍ର ପୁରୀରେ ଏହି ବେଦ ବିଦ୍ୟାଳୟ ମୁଖ୍ୟ ବେଦ ଗୁଡ଼ିକର ସବିଶେଷ ଅଧ୍ୟୟନର ଅବସର ତିଆରି କରିବ। ବେଦର ଜ୍ଞାନର ଭଣ୍ଡାରକୁ ସଂରକ୍ଷଣ କରିବା ସହ ପ୍ରଚାର ପ୍ରସାର କରିବା ଲୋକାର୍ପିତ ହୋଇଥିବା ପ୍ରତିଷ୍ଠାନର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ୟୁନିୟନ ଗ୍ରାଣ୍ଟ କମିଶନ(ୟୁଜିସି) ବିଧିବଦ୍ଧ ଭାବେ ହିନ୍ଦୁ ଅଧ୍ୟୟନକୁ ପୋଷ୍ଟ ଗ୍ରାଜୁଏସନର ପାଠ୍ୟକ୍ରମରେ ଅନ୍ତର୍ଭୃକ୍ତ କରିଛି। ଜାତୀୟ ଶିକ୍ଷା ନୀତି ଆଧାରରେ ଚଳିତବର୍ଷ ଠାରୁ ଶ୍ରୀସଦାଶିବ କ୍ୟାମ୍ପସରେ ପିଜି ପାଠ୍ୟକ୍ରମରେ ହିନ୍ଦୁ ଅଧ୍ୟୟନ ଆରମ୍ଭ କରାଯିବାର ବ୍ୟବସ୍ଥା କରାଯାଇଛି। ‘ହିନ୍ଦୁ ଅଧ୍ୟୟନ କେନ୍ଦ୍ର’ ଦ୍ୱାରା ଉତ୍କଳୀୟ ପରମ୍ପରାରେ ଥିବା ହିନ୍ଦୁତ୍ୱକୁ ଅଧ୍ୟୟନ କରାଯିବ। ଏହା କେବଳ ରାଜ୍ୟ କିମ୍ବା ଦେଶ ନୁହେଁ ବରଂ ଆନ୍ତର୍ଜାତିକ ସ୍ତରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀ ଅନାଦି ଅନନ୍ତ କାଳରୁ ଜ୍ଞାନ, ସଂସ୍କୃତି, ବିଜ୍ଞାନ ଓ ଆଧୁନିକତାର ପୀଠ ଭାବେ ପରିଗଣିତ ହେଉଛି। ଆମ ସଭ୍ୟତାର ମୌଳିକ ଜ୍ଞାନ ବେଦ ଉପନିଷେଦ ସମ୍ପର୍କରେ ନୂଆପିଢିଙ୍କୁ ଆଧୁନିକ ସ୍ୱୀକୃତି ସହ ପଢାଇବାର ବ୍ୟବସ୍ଥା କରିବା ପାଇଁ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଆରମ୍ଭ କରାଯାଇଛି। ସେହିପରି ଅନେକ ଭାଷା ଓ ସଂସ୍କୃତିକୁ ଶିଖାଇବାରେ ଶ୍ରୀକ୍ଷେତ୍ର ପୁରୀ ହିଁ ଏକ ବଡ଼ ବିଶ୍ୱବିଦ୍ୟାଳୟ। ସବୁ ଶିକ୍ଷା କେବଳ ଶ୍ରେଣୀଗୃହରେ ନୁହେଁ ବରଂ ଅନୁଭବରୁ ହିଁ ଶିକ୍ଷା ଗ୍ରହଣ ହୁଏ।  ପୁରୀ ଶ୍ରୀମନ୍ଦିର ସେବକ, ପୂଜକ ଭାଇ ମାନେ ଏହାର ବଡ଼ ଉଦାହରଣ।

ମହାପ୍ରଭୁଙ୍କର ନୀତି କାନ୍ତି ଜ୍ଞାନର ଅପାର ଭଣ୍ଡାର ଓ ସାମାଜିକ ଜୀବନରେ ବିଜ୍ଞାନ, ସାହିତ୍ୟ, କଳା, ସ୍ୱାସ୍ଥ୍ୟସେବା ଓ ସମାଜ ନୀତିର ତତ୍ତ୍ୱ ହେଉଛି ବେଦ ଓ ଉପନିଷେଦ। ବେଦ ଏକ ମନ୍ତ୍ର ନୁହେଁ ବରଂ ବେଦରେ ଲିଖିତ ପ୍ରତିଟି ମନ୍ତ୍ର ବିଜ୍ଞାନ ପ୍ରମାଣିତ ତତ୍ତ୍ୱ। ବେଦର ସଠିକ୍ ଉଚ୍ଚାରଣରେ ହିଁ ମାନବତାର ଉପଚାର ଅଛି। ରଘୁରାଜପୁରର ପଟ୍ଟଚିତ୍ର, ଗୋଟିପୁଅ ଓ ଅନ୍ୟାନ୍ୟ ସାଂସ୍କୃତିକ କଳା ଓ ପରମ୍ପରା ବେଦ ଏବଂ ସଂସ୍କୃତରେ ଅନ୍ତର୍ନିହିତ। ପୁରୀ ଶଙ୍କରାଚାର୍ଯ୍ୟ ମହାରାଜ ଏହି ଜ୍ଞାନ ଦ୍ୱାରା ଆଜି ଜଣେ ବିଦ୍ୱାନ ଭାବରେ ପ୍ରତିଷ୍ଠିତ ହୋଇଛନ୍ତି। ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ବେଳେ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ବେଦ ଅଧ୍ୟୟନରେ ସମାଜକୁ ନୂଆ ଦିଗଦର୍ଶନ ଦେବ। ଶ୍ରୀଜଗନ୍ନାଥ ସଂସ୍କୃତି ବିନା ହିନ୍ଦୁତ୍ୱର କଳ୍ପନା କରାନଯାଇପାରେ। ଆମର ପର୍ବ ପର୍ବାଣୀ ଗୁଡ଼ିକ ଏକ ଉତ୍ସବ ନୁହେଁ ବରଂ ବୈଜ୍ଞାନିକ ପଦ୍ଧତିରେ ସମାଜକୁ ଚଲାଇବା ଏବଂ ଭାଇଚାରାକୁ ସୁଦୃଢ଼ କରିବାର ମହାନ ପରମ୍ପରା। ‘ହିନ୍ଦୁ ଅଧ୍ୟୟନ କେନ୍ଦ୍ର’ ଆମର ସଂସ୍କୃତି ଓ ପରମ୍ପରାର ବୈଜ୍ଞାନିକ ପ୍ରକ୍ରିୟା ଓ ଉଦ୍ଦେଶ୍ୟର ପରିପ୍ରକାଶ କରିବ। ଏ ସବୁ ଗୁଡ଼ିକ ବିଷୟରେ ଶ୍ରୀ ସଦାଶିବ ପରିସରର ଏହି ହିନ୍ଦୁ ଅଧ୍ୟୟନ ସେଣ୍ଟର ଉତ୍କଳୀୟ ପରମ୍ପରା ଅନୁସାରେ ଜଗତର କଲ୍ୟାଣ ଅନୁଯାୟୀ କାମ କରିବ।

ସଂସ୍କୃତ ଭାଷା ଆମର ବେଦ ଭାଷା ଓ ଆଦ୍ୟ ଭାଷା। ସଂସ୍କୃତ କେବଳ ଏକ ଭାଷା ନୁହେଁ ଆମର ଏକ ଆବେଗ ଓ ଅଭିବ୍ୟକ୍ତିର ପରିପ୍ରକାଶ। ଅତୀତରେ ସଂସ୍କୃତ ଭାଷାର ପ୍ରଚଳନ ସମୟରେ ହିଁ ମହାପ୍ରଭୁଙ୍କ ବଡ଼ ଦେଉଳ ହଜାର ବର୍ଷ ପୂର୍ବରୁ ତିଆରି ହୋଇଛି। ସେତେବେଳେ ଇଞ୍ଜିନିୟରିଂ ଓ ଆଇଆଇଟି ଭଳି ଅନୁଷ୍ଠାନ ନଥିବା ସତ୍ତ୍ୱେ ଏଠାକାର କୁଶଳୀ କାରିଗରମାନେ ବିନା ଲୁହା ଓ ସିମେଣ୍ଟରେ ଭବ୍ୟ ମନ୍ଦିର ତିଆରି କରିବାରେ ସକ୍ଷମ ହେଉଥିଲେ। ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂ, ସିଭିଲ୍ ଇଞ୍ଜିନିୟରିଂ, କେମିକାଲ ଇଞ୍ଜିନିୟରିଂ, ଆର୍ଟ ସାଇନ୍ସ ଇଞ୍ଜିନିୟରିଂର ସମ୍ମିଶ୍ରଣରେ ମହାପ୍ରଭୁଙ୍କ ମନ୍ଦିର ତିଆରି ହୋଇଛି। ସେତେବେଳେ ଭାଷା ବି ଏବଂ ସୂତ୍ର ବି ସଂସ୍କୃତିରେ ଥିବା ଅନେକ ଇତିହାସକାରମାନେ ମତ ଦେଇଛନ୍ତି।

ଭାରତୀୟ ଜ୍ଞାନ ପ୍ରଣାଳୀର ମୂଳାଧାର ହେଉଛି ବେଦ। ଦେଶର ପ୍ରଖ୍ୟାତ ଜ୍ଞାନପୀଠ ମହାକାଳନଗରୀ ଇଜ୍ଜୟିନୀ ଠାରେ ମହର୍ଷି ସାନ୍ଦୀପନି ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନ ଦ୍ୱାରା ବେଦ ଅଧ୍ୟୟନକୁ ପୁର୍ନଜୀବିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। ଜାତୀୟ ଶିକ୍ଷା ନୀତି ଆଧାରରେ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଭାରତୀୟ ଭାଷା ଓ ଜ୍ଞାନ ଆଧାରିତ କରିବାକୁ ପଡ଼ିବ। ମୂଳ ଭାରତ ସହ ମୂଳ ସଭ୍ୟତା ସାଙ୍ଗରେ ଯୋଡ଼ିବାକୁ ହେବ।

ଭାରତକୁ ଲମ୍ବା ସମୟ ପରାଧୀନ କରିବା ପାଇଁ ବ୍ରିଟିଶମାନେ ଏଠାକାର ଭାଷା ଓ ଜ୍ଞାନକୁ ଭ୍ରମିତ କରିଥିଲେ। ମାତ୍ର  ଜାତୀୟ ଶିକ୍ଷା ନୀତିରେ ଭାରତୀୟ ଜ୍ଞାନ ଓ ଭାଷାକୁ ଗୁରୁତ୍ୱ ଦିଆଯାଇଛି। ନିଜ ମାତୃଭାଷାରେ ପଢ଼ିଲେ ହିଁ ଗୋଟିଏ ପିଲାର ପୂର୍ଣ୍ଣାଙ୍ଗ ବିକାଶ ହୋଇପାରିବ। ଜାତୀୟ ଶିକ୍ଷା ନୀତିର ଆଭିମୁଖ୍ୟ ରହିଛି ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବହୁମୁଖୀ ଶିକ୍ଷାଭିତ୍ତିକ କରିବା ଏବଂ ଗବେଷଣା ମାଧ୍ୟମରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଭେଟି ଖୁସିବ୍ୟକ୍ତ କରିଥିଲେ। ପୁରୀରେ କାର୍ଯ୍ୟକ୍ରମ ସାରି ଫେରିବା ବେଳେ ବୀର ରାମଚନ୍ଦ୍ରପୁରର ଗ୍ରାମ ଦେବତୀ ମା’ ମଣିନାଗ ଦୁର୍ଗା ମନ୍ଦିର ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହାସହ ମନ୍ଦିର ପ୍ରାଙ୍ଗଣରେ ଗାଁର ଗୁରୁଜନଙ୍କ ସହ ସ୍ଥାନୀୟ ଅଞ୍ଚଳ ସହ ଜଡ଼ିତ ବିଭିନ୍ନ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ପୁରୀ ଲୋକାର୍ପଣ
Share. Facebook Twitter LinkedIn Email WhatsApp Copy Link

Related Posts

ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ କନକ ବର୍ଦ୍ଧନ ସିଂହଦେଓ

January 10, 2026

ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

January 10, 2026

ନୂଆ ବଜାରରେ ପ୍ରବେଶ କଲେ ଭଦ୍ରକ ଜିଲ୍ଲାର ବରକୋଳି ଚାଷୀ: ଆୟ ୨୫% କୁ ବୃଦ୍ଧି

January 10, 2026

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026
Latest News

ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ କନକ ବର୍ଦ୍ଧନ ସିଂହଦେଓ

January 10, 2026

ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

January 10, 2026

ନୂଆ ବଜାରରେ ପ୍ରବେଶ କଲେ ଭଦ୍ରକ ଜିଲ୍ଲାର ବରକୋଳି ଚାଷୀ: ଆୟ ୨୫% କୁ ବୃଦ୍ଧି

January 10, 2026

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.