ଦୁଇବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଛି ଛାତ୍ରଛାତ୍ରୀଙ୍କ ମହୋତ୍ସବ ‘ସର୍‌ଗିଫୁଲ୍‌’

Published: Dec 20, 2022, 10:33 am IST

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଏବଂ ଅନ୍ୟାନ୍ୟ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧୀନସ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମହୋତ୍ସବ ‘ସର୍‌ଗିଫୁଲ୍‌’ ଚଳିତ ଡିସେମ୍ବର ୨୦ ତାରିଖ ଦିନ ପୂର୍ବାହ୍ନରେ ଭୁବନେଶ୍ୱର ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଉଦ୍‌ଘାଟିତ ହେବ। କିଶୋର ଛାତ୍ରଛାତ୍ରୀଙ୍କ ଏହି ମହୋତ୍ସବ ସର୍‌ଗିଫୁଲକୁ ଅନୂସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ।

କୋଭିଡ୍‌ କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ଏହି ମହୋତ୍ସବ ଅନୁଷ୍ଠିତ ହୋଇପାରିନଥିଲା। ଚଳିତ ବର୍ଷ ଏହି ମହୋତ୍ସବରେ ଅନୂସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ବିଦ୍ୟାଳୟରେ ପଢ଼ୁଥିବା ବିଭିନ୍ନ ଜିଲ୍ଲାର ୧୦୫୦ ଜଣ ଛାତ୍ରଛାତ୍ରୀ ଏବଂ ୭୦ ଜଣ ଶିକ୍ଷକଶିକ୍ଷୟିତ୍ରୀ ଯୋଗଦାନ କରିବେ । ଏ ନେଇ ଛାତ୍ରଛାତ୍ରୀ ମହଲରେ ବିଶେଷ ଉତ୍କଣ୍ଠା ପରିଲକ୍ଷିତ ହୋଇଛି । ଜିଲ୍ଳାସ୍ତରରୁ ମନୋନୀତ ହୋଇ ଆସିଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରତିଭାର ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଡିସେମ୍ବର ୨୩ ତାରିଖ ଦିନ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବେ । ବିଭାଗୀୟ କମିଶନର ଶ୍ରୀମତୀ ରୂପାରୋଶନ ସାହୁ ଓ ଏକାଡେମୀର ସଦସ୍ୟ ସଚିବ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉତ୍ସବ ପରିଚାଳିତ ହେଉଛି ।

Related posts