
ସୀତାରାମ ଅଗ୍ରୱାଲ
ବାଣପୁର: ଐତିହାସିକ ବାଣପୁର ପ୍ରସିଦ୍ଧ ପଞ୍ଚଦୋଳ ଯାତ୍ରା ନିମନ୍ତେ ଆଜି ଅପରାହ୍ନରେ ପଲଟନ ପଡିଆସ୍ଥିତ ଛାୟା ମଣ୍ଡପ ପରିସରରେ ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବାଣପୁର ଓ ବାଲୁଗାଁର ବିଭିନ୍ନ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ, ଜନପ୍ରତିନିଧି, ଲାଇନ ଡିପାର୍ଟମେଣ୍ଟ କର୍ମଚାରୀ, ପଞ୍ଚଦୋଳ କମିଟି ସଭ୍ୟ ଏବଂ ସାମ୍ବାଦିକମାନେ ଯୋଗଦେଇଥିଲେ।
ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ପଞ୍ଚଦୋଳ ମେଳଣ ପର୍ବ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା କିପରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ତାହାକୁ ଗୁରୁତ୍ୱ ଦେଇଥିଲେ ତହସିଲଦାର। ପଞ୍ଚଦୋଳ ପର୍ବ ପାଳନ ନିମନ୍ତେ ପ୍ରଶାସନ ପକ୍ଷରୁ ପଞ୍ଚଦୋଳ କମିଟିକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦିଆଯିବ ବୋଲି ତହସିଲଦାର ପ୍ରତିଶୃତି ଦେଇଥିଲେ।
ଉକ୍ତ ବୈଠକରେ ପଞ୍ଚଦୋଳ ଯାତ୍ରା ନିମନ୍ତେ ଜନସାଧାରଣଙ୍କ ଆବଶ୍ୟକ ଥିବା ବିଭିନ୍ନ ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଯାତ୍ରା ସମୟରେ ଆଇନ ଶୃଙ୍ଖଳା ରକ୍ଷା, ପରିଷ୍କାର ଓ ପରିଚ୍ଛନ୍ନତା ବଜାୟ ରଖିବା, ସ୍ୱାସ୍ଥ୍ୟସେବା ଯୋଗାଇବା, ବିଦ୍ୟୁତ ସେବା ଯୋଗାଇବା, ଜନସାଧାରଣଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା କରିବା ଆଦି ବିଭିନ୍ନ ବିନ୍ଦୁ ଉପରେ ଚର୍ଚ୍ଚା କରାଯାଇ ତାହାର ବିଧିବଦ୍ଧ ବ୍ୟବସ୍ଥା କରାଯିବ ବୋଲି ସର୍ବସହମତିରେ ପ୍ରକାଶ ପାଇଥିଲା।