କୈଳାସ ଚନ୍ଦ୍ର ଦାଶ
ଊନବିଂଶ ଶତକର ଶେଷଭାଗରୁ ବିଂଶ ଶତକର ପ୍ରଥମ ପଞ୍ଚ ଦଶନ୍ଧି ଥିଲା ଓଡିଆ ଜାଗୃତିର ଅବିସ୍ମରଣୀୟ ପର୍ଯ୍ୟାୟ । ସାମାଜିକ, ରାଜନୀତିକ, ଆର୍ଥନୀତିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଓଡିଆମାନେ ପଡ଼ୋଶୀ ବଙ୍ଗ, ବିହାର ଓ ମାନ୍ଦ୍ରାଜ (ବର୍ତ୍ତମାନର ଚେନ୍ନାଇ) ଅଞ୍ଚଳର ଲୋକମାନଙ୍କ ପରି ନିଜକୁ ଉନ୍ନତ ବୋଲି ପ୍ରମାଣିତ କରିବା ପାଇଁ ବହୁବିଧ ଉଦ୍ୟମ ଚଳାଇଥିଲେ । ସେମାନଙ୍କର ଏହି ସଚେତନତାକୁ ଓଡ଼ିଆ ଅସ୍ମିତା ବୋଲି ଅନେକ ଗ୍ରହଣ କରିଥାଆନ୍ତି । ପ୍ରକୃତରେ ଓଡ଼ିଆମାନଙ୍କର ସାଂସ୍କୃତିକ ଜାଗରଣ ଦେଖାଦେବାରୁ ସେମାନେ ନିଜର ବିଭବ ଓ ଅଭାବ ସମ୍ପର୍କରେ ସଚେତନ ହେଲେ । ସାହିତ୍ୟ, କଳା, ବିଜ୍ଞାନ, ଧର୍ମ, ନୃତ୍ୟଗୀତପରି ବିଭିନ୍ନ କ୍ଷେତ୍ରରେ ଓଡ଼ିଆମାନେ ଅତୀତରେ ଅଗ୍ରଣୀ ଥିଲେ ବୋଲି ଦାବୀ କଲେ । ଓଡ଼ିଆରେ ଚଳଚ୍ଚିତ୍ର ସେମାନଙ୍କର ଏକ ବୃହତ୍ ଅଭାବ ବୋଲି ଗୃହୀତ ହେଲା । ୧୯୩୦ଠାରୁ ୧୯୫୦ ମଧ୍ୟରେ ସେମାନେ ଏଦିଗରେ ବହୁ ବିଚାର ଓ ପରୀକ୍ଷା ଗ୍ରହଣ କରିଥିଲେ ।
ଓଡ଼ିଆରେ ସବାକ୍ ଚଳଚ୍ଚିତ୍ର ପାଇଁ ୧୯୩୦ରୁ ବେଶ୍ ଉଦ୍ୟମ ହୋଇଥିଲା । ହଲମୁଖ୍ ଫିଲ୍ମ କମ୍ପାନୀ ୧୯୩୪ ମସିହାରେ କଟକରେ ଏ ଦିଗରେ ଚେଷ୍ଟାକରି ଢେଙ୍କନାଳ ପ୍ରଭୃତି ଗଡ଼ଜାତ ରାଜାମାନଙ୍କ ସହିତ ସାକ୍ଷାତ କରିଥିଲେ । ସେତେବେଳେ ଗୋଟିଏ ଭଲ ଓଡ଼ିଆ ନାଟକର ଫିଲ୍ମ ଉଠାଇବା ପାଇଁ ୨୫ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ସ୍ଥିର ହୋଇଥିଲା । ଅଭିନେତାମାନଙ୍କର ଅଭାବ ନଥିଲା । ଅଭିନେତ୍ରୀମାନଙ୍କର ଅଭାବ ଥିଲା । ସମ୍ବଲପୁରରୁ ଗୋକୁଳ ପୂଜାରୀ, ଜନାର୍ଦ୍ଦନ ପୂଜାରୀ ଏବଂ ଦୟାସାଗର ମହାପାତ୍ର, ବାଲେଶ୍ୱରରେ ଡାକ୍ତର ଆଶୁବାବୁ, ଶ୍ରୀରାମଚନ୍ଦ୍ର ବୋଷ, ଗୌରାଙ୍ଗ, କଟକରେ ଦଳାଇବାବୁ, ନନ୍ଦବାବୁ, ଗୋବିନ୍ଦ ଶୂରଦେଓ, ପୁରୀର କଣ୍ଠ, ଗଣେଶ୍ୱର, ଅଦ୍ୱୈତବାବୁ ଏବଂ ଗଞ୍ଜାମରୁ କେତେଜଣଙ୍କୁ ଏକାଠି କରି ସେମାନଙ୍କର ଜାତୀୟଭାବକୁ ଆବେଦନ କଲେ ଅଭିନେତା ହିସାବରେ ବେଶ୍ କୃତିତ୍ୱ ଅର୍ଜ୍ଜନ କରିବେ ବୋଲି ଦେଶକଥା ସାପ୍ତାହିକ ସମ୍ବାଦପତ୍ର ଅକ୍ଟୋବର ୪, ୧୯୩୫ରେ ମତ ଦେଇଥିଲେ । କେବଳ ଅଭିନେତ୍ରୀ କଥା ସମସ୍ୟା ଥିଲା ।
୧୯୩୪ ବେଳକୁ ମୋହନସୁନ୍ଦର ଦେବ ଗୋସ୍ୱାମୀ(୧୮୯୨-୧୯୪୮) ଓ କବିରାଜ ରାଧାରମଣ ରାୟ କଲିକତା କାଳିଫିଲିମ୍ ସହିତ ଚୁକ୍ତି କରିଥିଲେ । ସ୍ୱର୍ଗତ କାମପାଳ ମିଶ୍ରଙ୍କର ସୀତା ବିବାହ ନାଟକରେ ଫିଲିମ୍ ଉଠାଯିବ ବୋଲି ସ୍ଥିର ହୋଇଥିଲା । ମୋହନସୁନ୍ଦରଙ୍କ ପରି ସୁଗାୟକ, ନାଟ୍ୟକଳାପ୍ରିୟ ଓ ଅଭିନୟ ଅଭିଜ୍ଞଙ୍କ ହାତରେ ଏ ଭାର ଅର୍ପିତ ହେବାରୁ କେତେକାଂଶରେ ସଫଳତା ଆସିଲା । ଭଲଭଲ ଅଭିନେତା ଓ ଅଭିନେତ୍ରୀ ଯୋଗାଡ଼ କରିବା ପାଇଁ କମ୍ପାନୀ ତରଫରୁ ୫୦୦ ଟଙ୍କା ଗୋସ୍ୱାମୀ ଓ ରାୟଙ୍କୁ ଦିଆଯାଇଥିଲା । ୧୯୩୫ ମସିହାରେ ସେମାନେ କଲିକତାରେ ମଧ୍ୟ ଏ ସମ୍ପର୍କରେ ଟ୍ରେନିଂ ନେଲେ । ତେବେ ସୀତାବିବାହର କଥାବସ୍ତୁ ପୌରାଣିକ ଓ ସର୍ବସାଧାରଣରେ ଅତି ପରିଚିତ ହେଲେ ସୁଦ୍ଧା ଦୃଶ୍ୟଗୁଡିକ ଯେପରି ସଜ୍ଜା ଯାଇଥିଲା ସେଥିରେ ନାଟକୀୟ ଚମତ୍କାରିତା ନଥିଲା । ତେଣୁ ଅନ୍ୟ କୌଣସି ଆଧୁନିକ ରୁଚିସମ୍ପନ୍ନ ନାଟକ ଚଳଚ୍ଚିତ୍ର ପାଇଁ ମନୋନୀତ ହୋଇଥିଲେ ଖୁବ୍ ଭଲ ହୋଇଥାନ୍ତା ବୋଲି ମତ ଦିଆଯାଇଥିଲା । (ନବୀନ, ଅଗଷ୍ଟ, ୨୬, ୧୯୩୫) । ୧୯୩୬ରେ ସୀତାବିବାହ ଚଳଚ୍ଚିତ୍ର ଆତ୍ମପ୍ରକାଶ କଲା । ତେବେ “ଉଠିବା ମାଛର ମୁହଁରେ ବାଡ଼ି”ପରି ପଡ଼ୋଶୀଙ୍କ ଆଗରେ ଓଡ଼ିଆମାନଙ୍କର ଏହି ଚଳଚ୍ଚିତ୍ର ଆତ୍ମପ୍ରକାଶ କରିବା ପରେ ଦୁର୍ବଳତା ପ୍ରକାଶ ପାଇଥିଲା । ସହାନୁଭୂତି ନପାଇ ଗୋସ୍ୱାମୀ ହଟ୍ଟହଟ୍ଟା ହୋଇଥିଲେ । ଏ ଦିଗରେ ସଫଳତା ପାଇଁ ଅର୍ଥ ଓ ସଂଗଠନର ଅଭାବ ଥିଲା । ୧୯୪୦ ମସିହାରେ ଗଞ୍ଜାମର ରମ୍ଭାଠାରେ ନିଖିଳ ଗଞ୍ଜାମ ସଂଗୀତ ସମ୍ମିଳନୀରେ ଗୋଟିଏ ଚଳଚ୍ଚିତ୍ର ପ୍ରତିଷ୍ଠା ଲାଗି କମିଟି ଗଢ଼ା ଯାଇଥିଲା । ଏଥି ନିମିନ୍ତେ ଦେଶର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ସଙ୍ଗେ ଚିଠିପତ୍ର ବିନିମୟ ମଧ୍ୟ ହୋଇଥିଲା । କଟକରୁ ମଧ୍ୟ କେତେ ଜଣ କଳା ଉତ୍ସାହୀ ଏ ଦିଗରେ ଉଦ୍ୟମ ଆରମ୍ଭ କରିଥିଲେ ।
୧୯୪୩ ମସିହା ବେଳକୁ ଏକ ଲକ୍ଷ ଓ ପଚାଶ ହଜାର ଟଙ୍କା ମୂଳଧନରେ ଉତ୍କଳ ଟକି ନାମ ଦେଇ ଗୋଟିଏ ଅନୁଷ୍ଠାନ ଆରମ୍ଭ ହେଲା । ଏ ଅନୁଷ୍ଠାନର ପ୍ରଥମ କଥାକୁହା ଫିଲ୍ମ “ଦୋଷ କାହାର” ବାହାରିବା ପାଇଁ ସ୍ଥିର ହେଲା । ଓଡିଶାର ପାଞ୍ଚ ଜଣ ଡାଇରେକ୍ଟର ଏହାକୁ ଚଳାଇବେ ବୋଲି ସ୍ଥିର ହେଲା । ଦିବାକର ପଟ୍ଟନାୟକ ଏହାର ମୁଖ୍ୟ ଡାଇରେକ୍ଟର ହୋଇଥିଲେ । ଖୋର୍ଦ୍ଧାର ବି. ମହାନ୍ତି ଏହାର ପରିଚାଳକ ଓ ଅନ୍ୟତମ ଡାଇରେକ୍ଟର । ଓଡ଼ିଶାର ପାଞ୍ଚ ଜଣ ଡାଇରେକ୍ଟର ପ୍ରତ୍ୟେକ ୧୦୦୦୦ ଟଙ୍କା ହିସାବରେ ଦେବେ ଓ ବମ୍ବେର ଜଣେ ଅର୍ଥପତି ଏକ ଲକ୍ଷ ଟଙ୍କା ଦେବେ ବୋଲି ସ୍ଥିର ହେଲା । ବମ୍ବେରେ ଏ ଅନୁଷ୍ଠାନର ପ୍ରଧାନ ଅଫିସ୍ ଓ କଟକରେ ଶାଖା ଅଫିସ୍ ରହିବାକୁ ସ୍ଥିର ହେଲା । ଫିଲିମ୍ ବମ୍ବେଠାରେ ନିଆଯିବ ଓ ଅଭିନେତା ଅଭିନେତ୍ରୀମାନେ ବମ୍ବେରେ ଦୁଇ ମାସ ରହି ଶିକ୍ଷା ପାଇବେ ବୋଲି ନିର୍ଦ୍ଦେଶକମାନେ ମତ ଦେଲେ । ଫିଲ୍ମର ଲମ୍ବା ୧୧୦୦୦ ଫୁଟ୍ ହେବ ବୋଲି ମଧ୍ୟ ସ୍ଥିର ହେଲା । କିନ୍ତୁ କେତେକ କାରଣ ପାଇଁ ଏ ଉଦ୍ୟମ ସ୍ଥଗିତ ହେଲା । ଚଳଚ୍ଚିତ୍ର ବାସ୍ତବ ରୂପ ଓଡ଼ିଶାରେ ନହେବାର ଏକ ମୁଖ୍ୟ କାରଣ ଥିଲା ଅଭିନେତ୍ରୀ/ଅଭିନେତାମାନଙ୍କର ତୃଟିପୂର୍ଣ୍ଣ ଅଭିନୟ । ଚିତ୍ରର ନାୟକ ଓ ନାୟିକା ନିର୍ବାଚନ କରିବାରେ ସେତେବେଳେ ବିଶେଷ ଅସୁବିଧା ହୋଇଥିଲା । ଶେଷରେ ୧୯୪୮ରେ ଓଡ଼ିଆମାନେ ଆଉ କିଛି ବାଟ ଏ ଦିଗରେ ଆଗେଇଲେ ।
ଗ୍ରେଟ୍ ଇଷ୍ଟର୍ଣ୍ଣ ମୁଭିଟୋନ୍ ଲିମିଟେଡ୍ରେ ଗୌରଚନ୍ଦ୍ର ପ୍ରତାପ ସିଂହଦେବଙ୍କର ଅବଦାନ “ଲଳିତା” ଓଡ଼ିଶାରେ ଦ୍ୱିତୀୟ ଚଳଚ୍ଚିତ୍ର । ୧୯୪୮ ମସିହା ଅକ୍ଟୋବର ମାସକୁ ଏହା ସମାପ୍ତ ହୋଇଥିଲା । ଚିତ୍ରଟି ମୋଟାମୋଟି ଭଲଥିଲା । ସମାଲୋଚକମାନେ ଆଧୁନିକ ରୁଚିସମ୍ପନ୍ନ ହେବାକୁ ଆହୁରି ଟିକିଏ ଦୃଷ୍ଟିଦେବାକୁ ଇଚ୍ଛା କରିଥିଲେ । ଏହାର ପ୍ରଧାନ ନାୟକ ଲୋକନାଥ ମିଶ୍ର ଓ ନାୟିକା ଉମା ଗୋଏଙ୍କା । ବିଦ୍ୟାପତି ଓ ଲଳିତା ମଧ୍ୟରେ ପ୍ରଥମ ଦର୍ଶନରେ ଯେଉଁ ପ୍ରତ୍ୟୟର ଭାବ ଉଦୟ ହେଲା ତାହା ଆହୁରି ଟିକିଏ ଅଧିକ ହେବାର ଥିଲା ବୋଲି ମତ ଦିଆଯାଇଥିଲା । ଲଳିତାଙ୍କର ସଖୀ ଲତା ଯେଉଁ ଅଭିନୟକୁ ଦେଖାଇଥିଲେ ସେସବୁ ଉଚ୍ଚ ଧରଣର ଥିଲା । ଏହି ଚଳଚ୍ଚିତ୍ରରେ କବିଚରଣ କାଳିଚରଣ ପଟ୍ଟନାୟକ, ନିଳିମା ସାନ୍ୟାଲ, ସୁମତି ଦେବୀ ସହିତ ଝୁମର ଗାୟକ ପ୍ରଫୁଲ୍ଲ ଚନ୍ଦ୍ର ସିଂହଦେବ କଣ୍ଠଦାନ କରିଥିଲେ । ୧୯୪୯ରେ କ୍ୟାପିଟାଲ ସିନେମା କଟକରେ ଏହା ପ୍ରଥମେ ମୁକ୍ତିଲାଭ କରିଥିଲା ।
୧୯୪୮-୪୯ ବେଳକୁ ଚଳଚ୍ଚିତ୍ର ପ୍ରୀତି ଓଡ଼ିଆମାନଙ୍କର ବେଶ୍ ପରିଦୃଷ୍ଟ ହୋଇଥିଲା । କଟକର ରଣଜିତ୍ ସାମୁଏଲ୍ ନାମକ ଜଣେ ଯୁଦ୍ଧ ଫେରନ୍ତା ଅଫିସର୍ “ଭାରତ ଆର୍ଟ ପ୍ରଡକ୍ସନ୍”ର ମାଳା ନାମକ ଗୋଟିଏ ହିନ୍ଦି ଚଳଚ୍ଚିତ୍ରରେ ସର୍ବପ୍ରଥମେ ଅଭିନୟ କରିଥିଲେ । ୧୯୫୧ ମସିହାରେ “କଳାଶ୍ରୀ” ନାମକ ମାସିକ ଓଡ଼ିଆ ସିନେମା ପତ୍ରିକା ଆତ୍ମପ୍ରକାଶ କରିଥିଲା । ଏଥିରେ ଚଳଚ୍ଚିତ୍ର ସମ୍ପର୍କିତ ବହୁ ବିବରଣୀ ସ୍ଥାନ ପାଇଥିଲା । ସମ୍ଭବତଃ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏହା ଥିଲା ପ୍ରଥମ ପତ୍ରିକା (ନବୀନ, ଜୁନ୍ ୧୯, ୧୯୫୧) ତେବେ ୧୯୫୧ ବେଳକୁ ଓଡ଼ିଶାର ପଡ଼ୋଶୀ ପ୍ରଦେଶମାନଙ୍କରେ ଚଳଚ୍ଚିତ୍ର ବ୍ୟବସାୟ ଖୁବ୍ ବ୍ୟାପକ ପ୍ରସାର ପାଇଥିବା ବେଳେ ଓଡ଼ିଶାରେ ଗୋଟିଏ ଉତ୍କୃଷ୍ଟ ଧରଣର ଚିତ୍ର ପ୍ରସ୍ତୁତ ହୋଇନଥିଲା ବୋଲି ଓଡ଼ିଆମାନେ କ୍ଷୋଭ ପ୍ରକାଶ କରିଥିଲେ । ୧୯୫୦ରେ କଟକ ରୂପଭାରତୀ “ଶ୍ରୀଜଗନ୍ନାଥ” ଚିତ୍ର ପ୍ରକାଶ କଲେ । ଏହି ଚଳଚ୍ଚିତ୍ର ପ୍ରକାଶନରୁ ଏକ ଉଜ୍ଜ୍ୱଳ ଭବିଷ୍ୟତର ପରିଚୟ ମିଳିଥିଲା । କିନ୍ତୁ ରୂପଭାରତୀ ଚିତ୍ର ପ୍ରତିଷ୍ଠାନର ବିଭିନ୍ନ ଅଂଶୀଦାର ମଧ୍ୟରେ ମନୋମାଳିନ୍ୟ ଘଟି ଏକ ଶୋଚନୀୟ ସ୍ତରକୁ ଆସିଲା । ଫଳରେ ଏହାର ଅସ୍ତିତ୍ୱ ନେଇ ଘୋର ସନ୍ଦେହ ଜାଗ୍ରତ ହେଲା । ଉକ୍ରଳ କଥାଚିତ୍ର କମ୍ପାନୀ ନାମରେ ଆଉ ଗୋଟିଏ ଚିତ୍ର ପ୍ରତିଷ୍ଠାନ ସପ୍ତଶଯ୍ୟା ନାମରେ ଗୋଟିଏ ଚିତ୍ର ୧୯୫୧ ବେଳକୁ ପ୍ରସ୍ତୁତ କରିଥିଲେ । ଅର୍ଥ ଅଭାବରୁ ହେଉ ବା ଅନ୍ୟ କୌଣସି କାରଣରୁ ହେଉ ଏ ଚିତ୍ରଟି ୧୯୫୧ରେ ପ୍ରକାଶ ପାଇପାରିଲାନାହିଁ । ଏହି ଚିତ୍ର ନିର୍ମାଣ କାଳରେ ସୁଦ୍ଧା କେତେକ ଗଣ୍ଡଗୋଳ ଉପୁଜି କୋର୍ଟ କଚେରୀ ନିଷ୍ପତ୍ତି ପର୍ଯ୍ୟନ୍ତ ଯାଇଥିଲା । ଫଳରେ ଚିତ୍ର ନିର୍ମାଣ କର୍ତ୍ତୃପକ୍ଷ ଚିତ୍ର ପ୍ରତିକ୍ଷାରେ ରହିଥିବା ଜନସାଧାରଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେହି ଅନୁକ୍ରମରେ ସେମାନେ କାର୍ଯ୍ୟ କରିପାରିନଥିଲେ । ଚିତ୍ର ନିର୍ମାତାମାନେ ବ୍ୟବସାୟ ଓ ସ୍ୱାର୍ଥଗତ କାରଣ ନେଇ ଜାତୀୟ ସମୂହ କଲ୍ୟାଣ ପ୍ରତି ଆଦୌ ଦୃଷ୍ଟି ଦେଇନଥିଲେ । ସେ ଦିନ ନବୀନ ସମ୍ବାଦପତ୍ରରେ ଏ ସମ୍ପର୍କରେ ମତ ପ୍ରକାଶ ପାଇଥିଲା-“ ଓଡିଆର ଚଳଚ୍ଚିତ୍ର ଦିଗରେ ଏ ନିଶ୍ଚେଷ୍ଟତା ଦେଖି ଓଡ଼ିଆ ଇତର ଲୋକେ ଯେ ଆକ୍ଷେପ କରୁଛନ୍ତି ତାହା କହିବା ବାହୁଲ୍ୟ । କେହିକେହି ସୁଦ୍ଧା କହିବୁଲିଲେଣି ଯେ ଓଡିଶାରେ ପୁଞ୍ଜିର ଅଭାବ ପଛକୁ ଶିଳ୍ପର ମଧ୍ୟ ଘୋର ଅଭାବ ରହିଛି । ଏସବୁ ଆକ୍ଷେପମୂଳକ ଉପହାସ ଓଡ଼ିଆମାନଙ୍କୁ ନୀରବରେ ସହ୍ୟ କରିବାକୁ ପଡିଲା ।” (ନବୀନ, ଜୁନ୍ ୫, ୧୯୫୧)
ଓଡ଼ିଶାରେ ଯୌଥସୂତ୍ରରେ ଚଳଚ୍ଚିତ୍ର ପ୍ରତିଷ୍ଠା କରିବା ସମ୍ଭବପର ନୁହେଁ ଏକଥା ଏକାଧିକ ସୂତ୍ରରୁ ଦେଖାଦେଇଥିଲା । ଯୌଥ କାରବାର ଚଳାଇବା ପାଇଁ ଓଡ଼ିଆମାନଙ୍କର ଶକ୍ତିର ଅଭାବ ଥିଲା । ଅନ୍ୟାନ୍ୟ କାରଣ ମଧ୍ୟ ଥିଲା । ଯୌଥ ପ୍ରତିଷ୍ଠାନଗୁଡ଼ିକ ଭାଙ୍ଗିଯିବାପରେ ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସ କ୍ରମେକ୍ରମେ କମିଗଲା । ତେଣୁ କମ୍ପାନୀଗୁଡ଼ିକରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅର୍ଥ ମହଜୁଦ୍ ରଖିବା ନିରାପଦ ନୁହେଁ ବୋଲି ୧୯୫୦-୫୧ ବେଳକୁ ଓଡ଼ିଆମାନେ ହୃଦୟଙ୍ଗମ କରିସାରିଥିଲେ । ସେତେବେଳେ ଓଡିଶାର ପୁଞ୍ଜିପତି ଓ ଧନୀ ବ୍ୟବସାୟୀମାନେ ଇଚ୍ଛାକଲେ ଆପଣା ପୁଞ୍ଜି ବଳରେ ଚଳଚ୍ଚିତ୍ର ପ୍ରସ୍ତୁତ କରିପାରିବେ ବୋଲି ମତ ପ୍ରକାଶ ପାଇଲା । ସେଥିପାଇଁ ବିଜୟାନନ୍ଦ ପଟ୍ଟନାୟକ ପ୍ରଭୃତି ଉତ୍ସାହୀ ବ୍ୟବସାୟୀମାନେ ଏଦିଗରେ ଟିକିଏ ଦୃଷ୍ଟି ଦେଲେ ଓଡ଼ିଶାର ଚଳଚ୍ଚିତ୍ର ନେଇ ଅଭାବ ଅଚିରେ ଦୂର ହୋଇଯିବ ଏବଂ ଓଡ଼ିଆର ଜାତୀୟ ଜୀବନରେ ଯେଉଁ ଆଞ୍ଚ ଆସିଛି ତାହା ହୁଏତ ଅପସାରିତ ହୋଇଯିବ ବୋଲି ଓଡ଼ିଆମାନେ ଚିନ୍ତା କରିଥିଲେ । ସେତେବେଳର ଓଡ଼ିଶା ସରକାର ଏଦିଗରେ ତତ୍ପର ହୋଇ ପୁଞ୍ଜି ସାହାଯ୍ୟ ଦେଲେ ଅଳ୍ପ ସମୟ ମଧ୍ୟରେ ଓଡିଆ ଚଳଚ୍ଚିତ୍ର କେତୋଟି ବାହାରିପାରିବ ବୋଲି ଅନେକ ଆଶାବାଦୀ ଥିଲେ ।
ବିଂଶ ଶତକର ଷଷ୍ଠ ଦଶନ୍ଧିରେ ଓଡ଼ିଆ ଚଳଚ୍ଚିତ୍ର ବିଫଳତା ସମ୍ପର୍କରେ ଅନେକ ସଚେତନ ଥିଲେ । ଓଡ଼ିଶାରେ ପ୍ରିୟାପ୍ରୀତିତୋଷଣ, ଉପଯୁକ୍ତ ପରିମାଣରେ ପ୍ରଦର୍ଶନୀ ଗୃହର ଅଭାବ, ଗଳ୍ପ ଓ ଚିତ୍ର ନିର୍ଦ୍ଦେଶନାରେ ବିଫଳତା ତଥା ପ୍ରାଦେଶିକ ସରକାରଙ୍କର ଚଳଚ୍ଚିତ୍ରକୁ ସାହାଯ୍ୟର ଅଭାବ ହିଁ ଏହି ବିଫଳତା ନିମନ୍ତେ ଦାୟୀ । ନିର୍ମାତା ନିଜର ସ୍ୱାର୍ଥ ପ୍ରତି ଦୃଷ୍ଟି ନଦେଇ ଚଳଚ୍ଚିତ୍ର ନିମନ୍ତେ ଉପଯୁକ୍ତ ଅଭିନେତା ଅଭିନେତ୍ରୀ ବାଛିବା ଉଚିତ୍ । ସେଥିପାଇଁ କେଦାରଗୌରୀ ଚଳଚ୍ଚିତ୍ର ଉପରେ ବେଶ୍ ସମାଲୋଚନା ୧୯୫୫ରେ ହରିହର ପ୍ରସାଦ ମହାଳିକ୍ ଉପସ୍ଥାପନ କରିଥିଲେ ।(ଡଗର, ଜୁନ୍ ୧୯୫୫) ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ପେଶାଦାର ଅଭିନେତା ଅଭିନେତ୍ରୀମାନଙ୍କୁ ନେଇ କେଦାରଗୌରୀ ନିର୍ମାଣ କରିଥିଲେ ଯଥେଷ୍ଟ ଉନ୍ନତ ଧରଣର ହୋଇପାରିଥାଆନ୍ତା ବୋଲି ସେ ମତ ଦେଇଥିଲେ । କେଦାରଗୌରୀରେ ନିତାଇ ପାଲିତଙ୍କ ଭୂମିକାଠାରୁ ବାବିଙ୍କର ଭୂମିକା ଅଧିକ ଆକର୍ଷଣୀୟ ହୋଇଥାଆନ୍ତା । ଦୁଷ୍ଟ ଚରିତ୍ର ଅଭିନୟରେ ବାବିଙ୍କୁ ହିନ୍ଦି ଚଳଚ୍ଚିତ୍ର ଜଗତର ପ୍ରାନ୍ ଓ ଜାଗିରଦାରଙ୍କ ସହିତ ତୁଳନା କରାଯାଇଥିଲା । ମାତ୍ର ଓଡ଼ିଆ ଚଳଚ୍ଚିତ୍ରରେ ସେ ଥିଲେ ଅବହେଳିତ । ନିରଞ୍ଜନ ଶତପଥି ମଧ୍ୟ ଜଣେ ଉଚ୍ଚ ଦରର ଅଭିନେତା । ବଳାଇ ବାନାର୍ଜୀ ଓ କୃଷ୍ଣଚରଣ ପାଣ୍ଡେ ପ୍ରମୁଖ ଚଳଚ୍ଚିତ୍ର ଅଭିନୟରେ ଅଦ୍ୱିତୀୟ । ସେମାନେ ମଧ୍ୟ ସେତେବେଳେ ଅବହେଳିତ । ନାୟିକା ହେବା ନିମନ୍ତେ ସୌଖୀନ୍ ଅଭିନେତ୍ରୀ ମଧ୍ୟରେ ଚପଳା ଏକମାତ୍ର । ପ୍ରଦର୍ଶନୀ ଗୃହର ଅଭାବ ମଧ୍ୟ ଏ କାଳର ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପ୍ରଧାନ ପ୍ରତିବନ୍ଧକ । ଅଧିକାଂଶ ଟୁରିଂ ସିନେମା ଓ ସାମୟିକ ସିନେମା ଗୃହକୁ ବାଦଦେଲେ ଓଡ଼ିଶାରେ ୮/୧୦ଟି ବଡ଼ ପ୍ରଦର୍ଶନୀ ଗୃହ ଥିଲା । ତହିଁରେ ଦୈନିକ ଆୟ ୩୦୦ ଟଙ୍କାରୁ ୮୦୦ ଟଙ୍କା ମଧ୍ୟରେ ଥିଲା । ତେଣୁ ଲକ୍ଷାଧିକ ଅର୍ଥ ବ୍ୟୟରେ ନିର୍ମିତ ଚିତ୍ର ୨/୩ ସପ୍ତାହ ପ୍ରଦର୍ଶିତ ହୋଇ ଲାଭାଂଶ ପାଇବା ଅତି କଷ୍ଟସାଧ୍ୟ ଥିଲା । ଅଧିକ ପରିମାଣରେ ପ୍ରଦର୍ଶନୀ ଗୃହ ନିର୍ମାଣ ନହେବା ପର୍ଯ୍ୟନ୍ତ ଅତ୍ୟଧିକ ବ୍ୟୟରେ ଓଡ଼ିଆ ଚିତ୍ର ନିର୍ମାଣ କରିବା ନିର୍ବୋଧତା ବୋଲି ଓଡ଼ିଆମାନେ ସେତେବେଳେ ଅନୁଭବ କରିଥିଲେ । ୧୯୫୫ ମସିହା ସୁଦ୍ଧା ଓଡ଼ିଶାରେ ନିର୍ଦ୍ଦେଶକହେବା ନିମନ୍ତେ ଉପଯୁକ୍ତ ବ୍ୟକ୍ତି ନଥିଲେ ବୋଲି ମତ ଉପସ୍ଥାପିତ ହୋଇଥିଲା । ଏସବୁ ଦୃଷ୍ଟିରୁ ଚଳଚ୍ଚିତ୍ର ଜଗତରେ ଓଡ଼ିଆମାନେ ସମସ୍ତ ଆଗ୍ରହ ସତ୍ତ୍ୱେ ୧୯୫୫ ପର୍ଯ୍ୟନ୍ତ ବେଶ୍ ପଛରେ ଥିଲେ ଏବଂ ବହୁତ କମ୍ ଓଡ଼ିଆ ଚିତ୍ର ପ୍ରକାଶ ପାଇଥିଲା ।
ପୂର୍ବତନ ଇତିହାସ ପ୍ରାଧ୍ୟାପକ,