ସମୀକ୍ଷା ବ୍ୟୁରୋ
ସାରା ବିଶ୍ବରେ ଜଗନ୍ନାଥଙ୍କ ସଂସ୍କୃତି ଓ ଜଗନ୍ନାଥଙ୍କୁ ନେଇ ବେଶ୍ ଚର୍ଚ୍ଚା । ମହାପ୍ରଭୁ ଜଗନ୍ନାଥଙ୍କ ରୀତିନୀତି ତଥା ସଂସ୍କୃତି ବେଶ୍ ନିଆରା । ଜଗନ୍ନାଥଙ୍କ ବିଭିନ୍ନ ଯାନିଯାତ୍ରା ଭିତରେ ରଥଯାତ୍ରାକୁ ନେଇ ସାରା ବିଶ୍ବବାସୀ ବେଶ୍ ଆଗ୍ରହୀ । ଏହି ରଥଯାତ୍ରାରେ ବ୍ୟବହୃତ ରଥ ସବୁ କାଠରେ ନିର୍ମିତ ହୋଇଥାଏ । ପ୍ରତିବର୍ଷ ନୂଆ କାଠରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ନିର୍ମାଣ କରାଯାଇଥାଏ । ଓଡ଼ିଶାରେ ଦ୍ରୁତ ବେଗରେ ଜଙ୍ଗଲ ହ୍ରାସ ପାଉଥିବାବେଳେ ରଥ ନିର୍ମାଣକୁ ନେଇ ଏବେ ଏକ ବଡ଼ ସମସ୍ୟା ଦେଖାଦେଇଛି । ଜଙ୍ଗଲ ସୃଷ୍ଟି ହେବା ପରିବର୍ତ୍ତେ ଯଦି କ୍ଷୟ ହୁଏ, ତେବେ ଶ୍ରୀଜଗନ୍ନାଥ ଆଗକୁ କେଉଁ ରଥରେ ଯାତ୍ରା କରିବେ, ତାହା ଏକ ବିରାଟ ପ୍ରଶ୍ନ । ଜଙ୍ଗଲ ସୃଷ୍ଟି କରିବା ଆଜିର ସମୟ ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି ।
ଜଗନ୍ନାଥ ମନ୍ଦିରର ଅଧିକାରୀଙ୍କ ସୂତ୍ରରୁ ପାଖାପା୍ଖି ୧୨ଟି ପ୍ରଜାତିର ୧,୧୦୦ରୁ ଅଧିକ ବଡ଼ ବଡ଼ କାଠଗଡ଼ର ଆବଶ୍ୟକତା ହୋଇଥାଏ । ଫାସି, ବୁଆଁର ଓ ଅସନ ପ୍ରଜାତିର ଆଠ ଫୁଟ ଉଚ୍ଚ ୮୬୫ଖଣ୍ଡ କାଠଗଡ ରଥରେ ବ୍ୟବହୃତ ହୋଇଥାଏ । ରଥ ପାଇଁ ଭିନ୍ନ ଆକାରରେ କାଠଗଡଗୁଡ଼ିକୁ ୪,୦୦୦ ଖଣ୍ଡରେ ପରିବର୍ତ୍ତିତ କରାଯାଇଥାଏ । ଓଡ଼ିଶା ସରକାର ମନ୍ଦିରକୁ କାଠ ଯୋଗାଇଦେଇଥା’ନ୍ତି । ରଥଯାତ୍ରା ପରେ ଏହି କାଠଗୁଡ଼ିକ ମନ୍ଦିରର ରୋଷ ଘରେ ଏହି କାଠ ବ୍ୟବହୃତ ହୁଏ । ମନ୍ଦିରର ପ୍ରସ୍ତୁତ ହେଉଥିବା ଅବଢା ପାଇଁ ମଧ୍ୟ କାଠର ଉପଯୋଗ ହୋଇଥାଏ। ଶ୍ରୀମନ୍ଦିରରେ ପ୍ରତ୍ୟହ ୩୦,୦୦୦ରୁ ଅଧିକ ଭକ୍ତଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରାଯାଇଥାଏ ।
କିନ୍ତୁ ଓଡ଼ିଶାରେ ଜଙ୍ଗଲ ଯେଉଁ ପରିମାଣରେ କ୍ଷୟ ହୋଇ ଚାଲିଛି, ରଥ ପାଇଁ କାଠ ମିଳିବା ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି ।
ଜୁନ୍ ୧୨ ତାରିଖରେ ପ୍ରଥମ ରଥଯାତ୍ରା ବୈଠକରେ ତିନି ରଥ ନିର୍ମାଣରେ କାଠର ଅଭାବ ସମ୍ପର୍କରେ ଆଲୋଚନା କରାଯାଇଥଲା । ଏହି ବୈଠକରେ ସମିତିର ଜଣେ ସଦସ୍ୟ ରଥ ପାଇଁ କାଠର ଅଭାବ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ‘ ଗତ ବର୍ଷ ନୟାଗଡ଼ ଜିଲ୍ଲାର ୫୦ଜଣ ଶ୍ରଦ୍ଧାଳୁ ଦେବତାଙ୍କ ରଥ ନିର୍ମାଣ ନିମେନ୍ତ କାଠ ଦାନ କରିଥିଲେ । ଚଳିତ ବର୍ଷ କେବଳ ୨୨ ଜଣ ଶ୍ରଦ୍ଧାଳୁ ରଥ ପାଇଁ କାଠ ଦାନ କରିଛନ୍ତି ।’
ତେବେ ଏହି ସମସ୍ୟା ପ୍ରଥମ ଥର ପାଇଁ ହୋଇନାହିଁ । ଗତ ଏକ ଦଶକ ଭିତରେ ରଥ ପାଇଁ କାଠ ଏକ ଗମ୍ଭୀର ପ୍ରଶ୍ନ ହୋଇ ରହିଆସିଛି । ପାରମ୍ପରିକ ଭାବେ ନୟାଗଡ଼ ଜିଲ୍ଲାର ଜଙ୍ଗଲର କାଠକୁ ରଥ ନିର୍ମାଣରେ ବ୍ୟବହୃତ କରାଯାଇଥାଏ, ଯାହା ପୂର୍ବରୁ ଅବିଭକ୍ତ ପୁରୀ ଜିଲ୍ଲାର ଏକ ଅଂଶ ରହିଥିଲା ।
ନୟାଗଡ ଜିଲ୍ଲା ବନ ବିଭାଗ ଅଧିକାରୀ ସୂତ୍ର ଅନୁସାରେ ରଥ ନିର୍ମାଣରେ ବ୍ୟବହୃତ ହେଉଥିବା ତିନି ପ୍ରଜାତିର ବୃକ୍ଷ ଫାସି, ଭୁଆଁର ଓ ଅସନର ସଂଖ୍ୟା ପୂର୍ବ ପରିମାଣରେ ହ୍ରାସ ପାଇବାରେ ଲାଗିଛି ।
ସମ୍ପୃକ୍ତ ଅଧିକାରୀଙ୍କ ମତରେ କାଠର ଅଭାବ କାରଣରୁ ବନ ବିଭାଗ ୨୦୦୦ ମସିହାରେ ୬୫ ଲକ୍ଷଟଙ୍କା ବିନିଯୋଗରେ ‘ଜଗନ୍ନାଥ ବନ ପ୍ରକଳ୍ପର ଯୋଜନା’ର ଆରମ୍ଭ କରିଥିଲେ । ନୟାଗଡ଼, ବୌଦ୍ଧ ସହିତ ମହାନଦୀ ନଦୀର ଡେଲ୍ଟାର ପାଞ୍ଚଟି ଜିଲ୍ଲାରେ ୨,୮୦୦ ହେକ୍ଟର ଜମିରେ ଫାସି, ଭୁଆଁର, ଓ ଅସନ ସହିତ ୧୩ ପ୍ରଜାତିର ପାଖାପାଖି ୪୫ ଲକ୍ଷ ବୃକ୍ଷରୋପଣ କରାଯାଇଥିଲା ।
ମନ୍ଦିର ପ୍ରଶାସନ ମଧ୍ୟ ରଥ ନିର୍ମାଣ ପାଇଁ କାଠ ଲାଗି ଶ୍ରଦ୍ଧାଳୁଙ୍କଠାରୁ ଆବଶ୍ୟକୀୟ ବିଶେଷ ବୃକ୍ଷ ଦାନ କରିବାର ଆଗ୍ରହ କରିଥିଲେ। ତେବେ ଏହାକୁ ନେଇ ବିଶେଷ କିଛି ସଫଳତା ମିଳିପାରି ନାହିଁ । ନୟାଗଡ଼ର ଦଶପଲ୍ଲା ଅଞ୍ଚଳକୁ ଛାଡ଼ି ଦେଲ, ଅନ୍ୟାନ୍ୟ ଜାଗାରେ ବୃକ୍ଷରୋପଣ ଆଖିଦୃଶିଆ ହୋଇପାରିନାହିଁ । ତେବେ ଆଉ ଏକ ସମସ୍ୟା ହେଉଛି ଏହି ପ୍ରଜାତିର ବୃକ୍ଷଗୁଡ଼ିକ ପରିପକ୍ବ ହେବା ଲାଗି ଅଧିକ ସମୟ ନେଇଥାନ୍ତି । ଗୋଟେ ଗଛ ବ୍ୟବହାର ଉପଯୋଗୀ ହେବାଲାଗି ପାଖାପାଖି ୨୦ ବର୍ଷର ସମୟ ଲାଗିଥାଏ । ଫାସି ବୃକ୍ଷ ପାଖାପାଖି ୭୦ବର୍ଷରୁ ଅଧିକ ସମୟ ନେଇଥାଏ । ବନଅଧିକାରୀଙ୍କ ମତରେ କିଛି ବର୍ଷ ପୂର୍ବରୁ ଜଙ୍ଗଲରେ ଫାସି ବୃକ୍ଷ ବହୁତ ମିଳୁଥିବାବେଳେ ଏବେ ଏହା କ୍ରମାଗତ ଭାବରେ କମ୍ ମିଳୁଛି । ତେବେ ଶୀର୍ଷ ବନଅଧିକାରୀ ଜଗନ୍ନାଥ ବନ ପ୍ରକଳ୍ପରେ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷ ମହଜୁଦ୍ ଅଛି ବୋଲି କହିଛନ୍ତି । ମହାନଦୀର ଡେଲ୍ଟା କ୍ଷେତ୍ରରେ ରୋପଣ କରାଯାଇଥିବା ବୃକ୍ଷ ପରିପକ୍ବ ହୋଇଗଲାଣି, ତେଣୁ ରଥ ନିର୍ମାଣ ପାଇଁ କାଠର ଆଉ ଅଭାବ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛନ୍ତି । ରଥ ନିର୍ମାଣ ପାଇଁ ଉଦ୍ଦିଷ୍ଟ କାଠ ନୟାଗଡ଼ ବାଦ୍ ଅନ୍ୟ ୧୪ଟି ଜିଲ୍ଲାରେ ଉପଲବ୍ଧ ହେଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛନ୍ତି । ତେବେ ସହରୀକରଣ, ଖନନ ଓ ଅନ୍ୟାନ୍ୟ ବିକାଶ ପରିଯୋଜନାର ବିସ୍ତାର କାରଣରୁ ଜଙ୍ଗଲର ଦ୍ରୁତ ହ୍ରାସକୁ ଦେଖିଲେ, ସେହି ସବୁ ଅଞ୍ଚଳରେ କେତେ ସମୟ ପର୍ଯ୍ୟନ୍ତ ବୃକ୍ଷ ଆଚ୍ଛାଦିତ ହୋଇ ରହିପାରିବ, ତାହା ସମୟ କହିବ ।