ପୁରୀ: ପୁରୀ ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ବନ ଭୋଜି ବେଶ ଅନୁଷ୍ଠିତ ହେଉଛି। ଜନ୍ମାଷ୍ଟମୀଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶ୍ରୀକୃଷ୍ଣ ଲୀଳା ଆରମ୍ଭ ହୋଇଛି। ଏଥିପାଇଁ ମହାପ୍ରଭୁଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଉଛି। ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନ ଭୋଜି ବେଶ ସହ କୋଳି ବିକା ନୀତି, ବକାସୁର ବଦ୍ଧ ଓ ଅର୍ଘାସୁର ବଦ୍ଧ ନୀତି ଅନୁଷ୍ଠିତ ହେଉଛି।
ମଧ୍ୟାହ୍ନ ଧୂପ ପରେ ରାମକୃଷ୍ଣ ଦୁଇ ଚଳନ୍ତି ପ୍ରତିମାକୁ ପୂଜାପଣ୍ଡା ସେବକମାନେ ଆଜ୍ଞା ମାଳ ପ୍ରଦାନ କରିବା ପରେ ବିମାନରେ ବସାଇ ସିଂହଦ୍ୱାର ନିକଟସ୍ଥ ବଡଛତା ମଠ ପାର୍ଶ୍ୱରେ ଥିବା ଏକ କାଠ ସିଂହାସନକୁ ବିଜେ କରାଯାଇଥାଏ। ସେଠାରେ କୋଳି ବିକା ନୀତି ସମ୍ପନ୍ନ ହୋଇଥାଏ। ପରେ ସନ୍ଧ୍ୟା ଧୂପ ନୀତି ଶେଷହୋଇ ଠାକୁରମାନଙ୍କୁ ବନ ଭୋଜି ବେଶରେ ସଜ୍ଜିତ କରାଯାଉଛି। ଏହି ବେଶରେ ଠାକୁରମାନଙ୍କୁ ପ୍ରାୟ ୧୮ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଏ।