Konark Festival Inauguration: ଆଜି ୩୬ତମ ବିଶ୍ବ ପ୍ରସିଦ୍ଧ କୋଣାର୍କ ମହୋତ୍ସବକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିରର ପୃଷ୍ଠଭୂମିରେ ଏହି ଉତ୍ସବ ଦେଶ ବିଦେଶର କଳାପ୍ରେମୀ ମାନଙ୍କ ପାଇଁ ଆକର୍ଷଣର ଅନ୍ୟତମ କେନ୍ଦ୍ର । ଶାସ୍ତ୍ରୀୟ ନୃତ୍ୟ ଗୁଡିକ କେବଳ ଏକ ଆର୍ଟ ଫର୍ମ ନୁହେଁ, ଏହା ହେଉଛି କଳା ମାଧ୍ୟମରେ ଆଧ୍ୟାତ୍ମିକତାର ଏକ ମହାନ ଅନୁଭବ, ଇଶ୍ବର ପ୍ରାପ୍ତିର ଏକ ମାର୍ଗ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଥିଲେ ଯେ, କୋଣାର୍କ ଉତ୍ସବ ହେଉଛି ଆମ ଓଡିଶାର ସାଂସ୍କୃତିକ ଅସ୍ମିତାର ଏକ ଉଜ୍ଜ୍ୱଳ ପରିଚୟ। ଏହି ଉତ୍ସବ କେବଳ ଓଡିଶାର କଳା ନୁହେଁ, ବରଂ ଓଡିଶାର ସାମଗ୍ରିକ ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଚଳିତ ବର୍ଷ ଓଡିଶୀ ସହିତ ଭାରତନାଟ୍ୟମ, କଥାକଳୀ, ମଣିପୁରୀ ଓ କଥକ ଆଦି ନୃତ୍ୟ ପରିବେଷଣ ପାଇଁ ବିଭିନ୍ନ ରାଜ୍ୟରୁ ନୃତ୍ୟ ଶିଳ୍ପୀମାନେ ଆସିଛନ୍ତି । ଏହି ମଞ୍ଚରେ ଭାରତର ବିଭିନ୍ନ ରାଜ୍ୟର ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ ଆମ ଦେଶର ସାଂସ୍କୃତିକ ସମ୍ପଦକୁ ବଞ୍ଚାଇ ରଖିବା ପାଇଁ ଏକ ଉତ୍ତମ ପ୍ଲାଟଫର୍ମ ବୋଲି ସେ କହିଥିଲେ।


