ସରିଲା ୧୫ ଦିନିଆ ରାଜ୍ୟସ୍ତରୀୟ ଆଦିବାସୀ ମେଳା, ୮ କୋଟିରୁ ଅଧିକ ଟଙ୍କାର କାରବାର

Published: Feb 10, 2020, 9:31 am IST

ଭୁବନେଶ୍ୱର, ସାଧରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ୧୫ଦିନିଆ ରାଜ୍ୟସ୍ତରୀୟ ଆଦିବାସୀମେଳା ଗତକାଲି ଶେଷ ହୋଇଛି । ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ ବିାଭଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ସୁରୁଖୁରୁରେ ମେଳା ଆୟୋଜନ ଲାଗି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ପ୍ରଥମଥର ପାଇଁ ମେଳା ପରିସରରେ ଆୟୋଜିତ ହେଇଥିବା ଜାତୀୟ ଜନଜାତି ଖାଦ୍ୟ ମେଳା ଓ ଜନଜାତି କଳା ପ୍ରଦର୍ଶନକୁ ନେଇ ଶ୍ରୀମତୀ ଚୋପ୍ରା ଖୁସି ବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ମେଳାର କଳେବର ଯେଭଳି ଆହୁରି ବୃଦ୍ଧି ପାଇବ ସେ ଦିଗରେ ପଦକ୍ଷେପ ନେବାକୁ କହିଥିଲେ । ମେଳାର ଆୟୋଜକ ତଥା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଡକ୍ଟର ଅଖିଳ ବିହାରୀ ଓତା ଚଳିତବର୍ଷ ମେଳାର ସଫଳ ଆୟୋଜନ ଲାଗି ସମସ୍ତଙ୍କ ସହଯୋଗ ସଂକ୍ରାନ୍ତରେ ସୂଚନା ଦେବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ବିଶେଷକରି କମିଶନରେଟ ପୁଲିସ୍‍, ଅଗ୍ନିଶମ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ବେଶ୍‍ ପ୍ରଶଂସା କରିଛନ୍ତି । ଡକ୍ଟର ଓତା କହିଛନ୍ତି ଯେ ପ୍ରଥମଥର ପାଇଁ ଆଦିବାସୀ ମେଳାରେ ଆୟୋଜିତ ଜାତୀୟ ଜନଜାତି ଖାଦ୍ୟ ମେଳା ଓ କଳା ପ୍ରଦର୍ଶନକୁ ବେଶ୍‍ ସଫଳତା ମିଳିଛି । ଆଗାମୀ ବର୍ଷ ଏହି ମେଳା ଯେଭଳି ଅଧିକ ଆକର୍ଷଣୀୟ ହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଚଳିତବର୍ଷ ମେଳାର ୧୪ଦିନ ମଧ୍ୟରେ ରେକର୍ଡ ପରିମାଣର ୮କୋଟି ଟଙ୍କାର କାରବାର ହୋଇଥିବାବେଳେ ଶେଷଦିନରେ ଏହା ଆହୁରି ବୃଦ୍ଧି ପାଇବ । ସେହିଭଳି ଚଳିତବର୍ଷର ଜାତୀୟ ଜନଜାତି ନୃତ୍ୟ ମହୋତ୍ସବରେ ଯୋଗ ଦେଇଥିବା ୯ଟି ରାଜ୍ୟର କଳାକାରମାନେ ବି ୩ଦିନ ଧରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ଶହୀଦ ଦିବସର ରାମଧୂନ ହେଉ କିମ୍ବା ଅନ୍ୟ ଦିନ ଗୁଡିକରେ ଓଡିଶାର ଜନଜାତି କଳାକାରଙ୍କ ପ୍ରଦର୍ଶନ ହେଉ ଦର୍ଶକଙ୍କ ଭିଡ ମଞ୍ଚ ନିକଟରେ ପରିଲକ୍ଷିତ ହେଉଥିଲା । ସେହିଭଳି ଓଡିଶା ସମେତ ୧୪ଟି ରାଜ୍ୟର ଜନଜାତି ପରସି ହେଉଥିବା ପାରମ୍ପରିକ ଖାଦ୍ୟର ମଜା ବି ଉଠାଇଥିଲେ ରାଜ୍ୟବାସୀ । ଏହି ମେଳା ଯେଭଳି ଆଗାମୀ ବର୍ଷ ଗୁଡିକରେ ଅଧିକ ଆକର୍ଷଣୀୟ ହେବ ଏବଂ ଏହାଦ୍ୱାରା ରାଜ୍ୟର ଜନଜାତି କଳାକାରମାନେ ଦେଶ ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତିି ଡକ୍ଟର ଓତା ।

Related posts