
ପୁରୀ, ଗୋଟିଏ ପଟେ ଘଡଘଡ ନାଦ କରି ପୁରୀ ବଡଦାଣ୍ଡରେ ରଥ ଗଡୁଥିବା ବେଳେ ଅନ୍ୟପଟେ ସମୁଦ୍ର ଗର୍ଜନ ଭକ୍ତଙ୍କୁ ବିମୋହିତ କରିବା କଥା। ହେଲେ କୋଭିଡ19 କଟକଣା ଯୋଗୁଁ ଏଥର ଭକ୍ତଶୂନ୍ୟ ହୋଇ ପଡିଥିଲା ପୁରୀ ବଡଦାଣ୍ଡ ଓ ସମୁଦ୍ରକୂଳ। ତେବେ ଭକ୍ତ ଥାଆନ୍ତୁ କି ନାହିଁ ଗଡିଲା ରଥ। ସେହିପରି ବିନା ଦର୍ଶକରେ ମଧ୍ୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜଗନ୍ନାଥଙ୍କୁ ପ୍ରଦାନ କରିଛନ୍ତି ଭକ୍ତିପୂତ ଅର୍ଘ୍ୟ।
ବିଭିନ୍ନ ଘଟଣାକୁ ନେଇ ବାଲୁକା କଳା ନିର୍ମାଣ କରିବାରେ ସୁଦର୍ଶନ ପଟ୍ଟନାୟକଙ୍କ ବେଶ୍ ଖ୍ୟାତ ଅଛନ୍ତି। ସେହିପରି ଏଥର ରଥଯାତ୍ରାରେ ମଧ୍ୟ ସେ ନିର୍ମାଣ କରିଛନ୍ତି ଏକ ଆକର୍ଷଣୀୟ ବାଲୁକା କଳା। ପୁରୀ ବେଳାଭୂମିରେ ସେ ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ବାଲୁକାରେ ରଂଗୀନ କଳା ନିର୍ମାଣ କରିଛନ୍ତି। ଏଥିସହିତ ଶ୍ରୀମନ୍ଦିରକୁ ମଧ୍ୟ ସେ ତାଙ୍କ କଳାରେ ସ୍ଥାନିତ କରିଛନ୍ତି। ଏହା ଦେଖିବା ପାଇଁ ଦର୍ଶକ ନ ଥିଲେ ମଧ୍ୟ ବର୍ତ୍ତମାନ ରଥଯାତ୍ରା ପାଇଁ ଏହା ବେଶ୍ ଆକର୍ଷଣୀୟ ହୋଇପାରିଛି।