ଆଜି ଶ୍ରୀମନ୍ଦିରରେ ମଧ୍ୟ ପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା,ରାକ୍ଷୀ ପ୍ରସ୍ତୁତ

Published: Aug 3, 2020, 7:54 am IST

ଭୁବନେଶ୍ୱର : ଓଡିଶା ଜନଜୀବନ ଭିତରେ ଜଗତର ନାଥ ଜଗନ୍ନାଥ ମଧ୍ୟ ଜଡିତ। ସେଥିପାଇଁ ଓଡିଆ ପରଂପରାରେ ଯାହା ପ୍ରଚଳିତ ତାହା ଶ୍ରୀମନ୍ଦିରରେ ପରିଲକ୍ଷିତ ହୋଇଥାଏ। ସେହିପରି ଆଜିର ରାକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ଶ୍ରୀମନ୍ଦିରରେ ରହିଛି ପରଂପରା ଓ ସ୍ବତନ୍ତ୍ର ପୂଜାନିତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା। ଏଥିପାଇଁ ପାଟରା ବିଶୋଇ ସେବାୟତ ଶ୍ରୀମନ୍ଦିରକୁ ରାକ୍ଷୀ ତିଆରି କରି ଯୋଗାଇ ଦେଇଥାନ୍ତି।

ପ୍ରାଚୀନ ସମୟରୁ ଶ୍ରୀମନ୍ଦିରକୁ ପାଟରା ବିଶୋୟୀ ସେବାୟତମାନେ ରାକ୍ଷୀ ପ୍ରସ୍ତୁତ କରି ପଠାଇଥାନ୍ତି। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜିଉଙ୍କ ଚିତାଲାଗି, ରାକ୍ଷୀ ପୂର୍ଣ୍ଣିମା, ଓ ରେଖା ପଞ୍ଚମୀ ସମୟରେ ସାମଗ୍ରୀ ତିଆରି କରିବାକୁ ୧୫ କେଜି ବାସୁଙ୍ଗା ପାଟ ଦିଆଯାଇଥାଏ। ମୁଖତଃ ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ୪ଟି ରଙ୍ଗର ରାକ୍ଷୀ ପ୍ରସ୍ତୁତ ହୋଇଥାଏ। ମହାପ୍ରଭୁଙ୍କ ପାଇଁ ୪ଟି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆ ଦେଇ ୪ଟି ଗୁଆ ମାଳ ମଧ୍ୟ ତିଆରି ହୋଇଥାଏ। ଗହ୍ମାପୂର୍ଣ୍ଣିମାରେ ଗୋପାଳବଲ୍ଲଭ ଧୂପ ପରେ ପାଟରା ବିଶୋଇ ମନ୍ଦିରକୁ ଯାଇ ଏହି ରାକ୍ଷୀକୁ ମେକାପ ସେବାୟତଙ୍କୁ ପ୍ରଦାନ କରିଥାନ୍ତି । ସିଂହାରି ସେବକ ଏହାକୁ ମହାପ୍ରଭୁଙ୍କ ଠାରେ ଲାଗି କରିଥାନ୍ତି ।

Related posts