Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଜଗା ହାତରେ ରାକ୍ଷୀ ପିନ୍ଧାଇଲା ପାଟପୁର ଗାଁର ମାଳତୀ: ଭିନ୍ନ ଏକ କିମ୍ବଦନ୍ତୀ, ଭିନ୍ନ ଏକ ଲୋକକଥା
ଧର୍ମ

ଜଗା ହାତରେ ରାକ୍ଷୀ ପିନ୍ଧାଇଲା ପାଟପୁର ଗାଁର ମାଳତୀ: ଭିନ୍ନ ଏକ କିମ୍ବଦନ୍ତୀ, ଭିନ୍ନ ଏକ ଲୋକକଥା

September 1, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link
ପାଟପୁର ଗାଁର ମାଳତୀ
ଜଗା ହାତରେ ରାକ୍ଷୀ ପିନ୍ଧାଇଲା ପାଟପୁର ଗାଁର ମାଳତୀ: ଭିନ୍ନ ଏକ କିମ୍ବଦନ୍ତୀ, ଭିନ୍ନ ଏକ ଲୋକକଥା

ଭୁବନେଶ୍ବର: ପ୍ରାଚୀନ ଯୁଗର କଥା। ଶ୍ରୀକ୍ଷେତ୍ର ଯିବା ପଥରେ ଗ୍ରାମଟିଏ ପଡ଼େ ପାଟପୁର। ସେହି ଗ୍ରାମରେ ବାସ କରୁଥିଲେ,ଏକ ଅତ୍ୟନ୍ତ ଗରିବ ପରିବାର। ପତି, ପତ୍ନୀ,ପୁଅ ଓ ଗୋଟିଏ ଝିଅକୁ ନେଇ ପରିବାରଟି ଅତି କଷ୍ଟରେ ଦିନ ବିତାଉଥିଲେ। ଝିଅଟିର ନାମ ମାଳତୀ। ଗୃହ ସ୍ୱାମୀ ଜଣକ ମୁଲ ଲାଗି ଯେତିକି କମାନ୍ତି ସେଇଥିରେ ପରିବାରର ଗୁଜୁରାଣ ମେଣ୍ଟି ଥାଏ। ଅଭାବୀ ସଂସାରରେ କେଉଁ ଦିନ ଥାଏ ତ କେଉଁଦିନ ପୁଣି ନଥାଏ।

ହେଲେ ଏତିକି ସୁଖ ମଧ୍ୟ ବିଧାତା ସହିଲା ନାହିଁ। ଦିନେ ସଞ୍ଜବେଳେ ଗୃହସ୍ୱାମୀ ମୂଲ ଲାଗି ଘରକୁ ଫେରୁଛନ୍ତି କୁଆଡ଼ୁ ଗୋଟେ ନାଗସାପ ଆସି ତାଙ୍କ ଗୋଡ଼କୁ କାମୁଡ଼ିଦେଲା। ସେ ଘରେ ଆସି ପହଞ୍ଚୁ ପହଞ୍ଚୁ ଉତ୍କଟ ବିଷ ଜ୍ୱାଳାରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା। ପୋଷଣାହାରୀ ସ୍ୱାମୀ ଚାଲି ଗଲା !! ସ୍ତ୍ରୀ ଲୋକଟି କରେ କଅଣ, ପରିବାର ପୋଷଣ ପାଇଁ ନିଜେ ଅଣ୍ଟା ଭିଡ଼ିଲା, ବାରଘରେ ପାଇଟି କଲା।

ଘରେ ମାତ୍ର ପାଞ୍ଚ ବର୍ଷର ପୁଅ ଓ ତିନି ବର୍ଷର ଝିଅ, କଷ୍ଟେ ମଷ୍ଟେ ଅଭାବୀ ସଂସାରଟା କୌଣସି ମତେ ଚଳି ଯାଏ। କିନ୍ତୁ ବିଧାତା ପୁଣି ବାମ ହେଲା। ଏ ସୁଖ ମଧ୍ୟ ତାଙ୍କର ଆଉ ବେଶିଦିନ ରହିଲା ନାହିଁ। ପୁଅଟି ହଠାତ୍ ଦିନେ ଦନ୍ତାଘାତରେ ଆର ପାରିକୁ ଚାଲିଗଲା। ପୁଅକୁ ହରାଇ ମାଆ ଜଣକ ଦାରୁଣ ଦୁଃଖରେ ଭାଙ୍ଗିପଡ଼ିଲେ। ଭୋକେ ଉପାସେ ଦିନ ବିତି ଚାଲିଲା।

କିଛି ଦିନ ପରେ ଆସିଲା ଭାଇ ଭଉଣୀଙ୍କ ଅତୁଟ ସ୍ନେହ ବନ୍ଧନର ପର୍ବ ରକ୍ଷା ବନ୍ଧନ, ରାକ୍ଷୀ ପୂର୍ଣ୍ଣିମା। ମାଳତୀର ସାଙ୍ଗ ସାଥୀ ମାନେ ରାକ୍ଷୀ କିଣୁ ଥାନ୍ତି ଦେଖି, ମାଳତୀ ଯାଇ ମାଆ ପାଖରେ ଅଳିକଲା, ମାଆ ମୋତେ ବି ପଇସା ଦେ ମୁଁ ରାକ୍ଷୀ କିଣିବି। ଝିଅର ଅଳି ଦେଖି ମାଆ ମଇଳା ଲୁଗା କାନିରେ ବନ୍ଧା ହୋଇଥିବା ଦଶ ପଇସିଟିଏ ଖୋଲି ଝିଅକୁ ଧରାଇ ଦେଲେ।

ପରଦିନ ମାଳତୀ ରାକ୍ଷୀ କିଣିବାକୁ ବଜାର ଯାଇ ଜାଣିବାକୁ ପାଇଲା ଯେ ଏ ରାକ୍ଷୀ, ଭାଇ ମାନଙ୍କ ହାତରେ ଭଉଣୀ ମାନେ ବାନ୍ଧନ୍ତି। ଭଉଣୀମାନେ ନିଜର ରକ୍ଷା କବଚ ଭାଇର ଶୁଭ ମନାସୀ ରାକ୍ଷୀ ବାନ୍ଧନ୍ତି। ପୁଣି ସେ ଲୋକଙ୍କ ପାଖରୁ ଶୁଣିଲା ଏହି ପର୍ବର ସୁନ୍ଦର ସୁନ୍ଦର ପୁରାଣ କାହାଣୀ। ମାଳତୀ ରାକ୍ଷୀ କିଣିଲା ହେଲେ ତା’ ମୁଣ୍ଡରେ ଚିନ୍ତା ପଶିଲା ମୋର ଭାଇ କାହିଁ ! କାହାକୁ ନେଇ ମୁଁ ଏ ରାକ୍ଷୀ ବାନ୍ଧିବି ! ଏହିପରି କେତେ କଅଣ !!!

ମାଆ ସନ୍ଧ୍ୟାରେ ପାଇଟି ସାରି ଫେରି ଆସିବାରୁ ମାଳତୀ ଯାଇ ମାଆ ପାଖରେ ଜିଗର କଲା, କହ ମୋ ଭାଇ କାହିଁ,ମୁଁ ତା ହାତରେ ରାକ୍ଷୀ ବାନ୍ଧିବି। ମାଆ ଆଖିରୁ ଝରି ପଡ଼ିଲା ଦୁଇବୁନ୍ଦା ଲୁହ। ସେ ଝିଅକୁ ବୁଝାଇବା ପାଇଁ କହିଲେ, ଜଗା ହେଉଛି ତୋ’ର ଭାଇ। ଜଗା ଭାଇ ତୋର ଶ୍ରୀମନ୍ଦିରରେ ରହେ। ତୁ ତାଆରି ହାତରେ ଯାଇ ରାକ୍ଷୀ ବାନ୍ଧ।

ପରଦିନ ରାକ୍ଷୀ ପୂର୍ଣ୍ଣିମା। ମାଳତୀ ମାଆ କହିବା ଅନୁସାରେ, ବଡ଼ି ଭୋରରୁ ଉଠି ରାକ୍ଷୀଟିକୁ ଧରି ଚାଲିଲା ଶ୍ରୀମନ୍ଦିରକୁ ଜଗାଭାଇ ହାତରେ ବାନ୍ଧିବ ବୋଲି। ବାଟ ପଚାରି ପଚାରି କୁନି ଝିଅ ମାଳତୀ ଯାଇ, ଶ୍ରୀମନ୍ଦିରରେ ପହଞ୍ଚିଲା। ନିର୍ବୋଧ ଶିଶୁଟି ପଣ୍ଡା ପଢ଼ିଆରୀ ସମସ୍ତଙ୍କୁ ପଚାରିଲା, ମୋ ଜଗା ଭାଇ କିଏ ଟିକେ ଚିହ୍ନାଇ ଦିଅ। ମୁଁ ତା’ ହାତରେ ରାକ୍ଷୀ ବାନ୍ଧିବି। ସିଏ ଏହି ଶ୍ରୀମନ୍ଦିରରେ ରହେ। କୁନିପିଲାଟି କଥାକୁ କାହିଁକି ବା କିଏ ଧ୍ୟାନ ଦେବ।

ସେଦିନ ରାତିରେ ଠାକୁରଙ୍କ ପହୁଡ଼ ପଡ଼ିଲା। କାହାରି ଠାରୁ କିଛି ଉତ୍ତର ନପାଇ ମାଳତୀ ମନ ଦୁଃଖରେ ସିଂହ ଦ୍ୱାରର ଗୋଟିଏ କୋଣରେ ମୁହଁ ମାଡ଼ି ହୋଇ ଶୋଇପଡ଼ିଲା। ଆଖିକୁ କୋଉ ନିଦ ଆସୁଛି ଯେ ! ମନ ଭିତରେ ଜଗା ଭାଇ ଆଉ ତା ହାତରେ ରାକ୍ଷୀ ବାନ୍ଧିବା ଚିନ୍ତା।

ଭାବଗ୍ରାହୀ ପ୍ରଭୁ ଅବୋଧ ଝିଅଟିର ଭାବକୁ ବୁଝିଲେ। ନିଶାର୍ଦ୍ଧରେ ପ୍ରଭୁ ଆସି ପହଞ୍ଚିଗଲେ ମାଳତୀ ନିକଟରେ। ତା’ ମୁଣ୍ଡରେ ହାତ ବୁଲେଇ କହିଲେ,”ମାଳତୀ ଏବେ ଉଠ,ମୁଁ ପରା ତୋ ଜଗା ଭାଇ,ଆ, ଶୀଘ୍ର ରାକ୍ଷୀ ବାନ୍ଧି ଘରକୁ ଯା। ଦିନ ସାରା ଇଆଡ଼େ ଅଛୁ ତୋ ବୋଉ ପରା ତୋତେ ଦିନସାରା ଖୋଜି କାନ୍ଦୁଛି”।

ମାଳତୀର ଖୁସି କହିଲେ ନସରେ। “ଜଗା ଭାଇ, ମୋ ଜଗାଭାଇ” କହି ସେ ମହାପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଧିଦେଲା ଓ କହିଲା,’ଜଗାଇ ମୁଁ ଘରକୁ ଯାଉଛି, ତମେ ଟିକେ ମୋ ସାଙ୍ଗରେ ଆସୁନାହଁ। ରାତି ପାହିନାହିଁ ମୋତେ ଭାରି ଡର ଲାଗୁଛି ପା’। ଜଗାଭାଇ କହିଲା ହଉ ତୁ ଏବେ ଏକାଏକା ଯା। କିଛି ଭୟ କରନାହିଁ। ମୋର ଅନ୍ୟ କାମ ଅଛି ମୁଁ ତୋ ସହିତ ଯାଇ ପାରୁ ନାହିଁ। ତୋତେ ଯେଉଁଠି ଡର ଲାଗିବ ମୋତେ ଡାକିବୁ ମୁଁ ପହଞ୍ଚି ଯିବି।

ମାଳତୀ ଖୁସିରେ ଯାଇ ଘରେ ପହଞ୍ଚିବାରୁ ତା’ର ମାଆ ଚିତ୍କାର କରି କହିଲେ, ଆଲୋ ପାଗଳୀ ତୁ କୁଆଡ଼େ ଯାଇଥିଲୁ କି, ମୁଁ ତୋତେ ଖୋଜି ଖୋଜି ହାଲିଆ। ମାଳତୀ ହସିହସି ସବୁକଥା କହିଗଲା। ଆଉ କହିଲା ମୁଁ ମୋ ଜଗାଭାଇ ହାତରେ ରାକ୍ଷୀ ବାନ୍ଧି ଆସିଛି l ମାଆ କହିଲେ,’ ଦୂର୍ ପାଗଳୀଟା, କଅଣ ବୋଲି କଅଣ କହିଯାଉଛୁ ତୁ’।

ପରଦିନ ସିନ୍ଦୁରା ଫାଟିଲା। ମଣିମା ମଣିମା ଡାକ ଦେଇ ସେବକମାନେ ମହାପ୍ରଭୁଙ୍କ ପହଡ଼ ଫିଟାଇ ଦେଲେ l କିନ୍ତୁ ଏ କଅଣ ! ଆଜି ରାକ୍ଷୀ ପୂର୍ଣ୍ଣିମା। କିନ୍ତୁ, ନୀତି କାନ୍ତି ପୂର୍ବରୁ ମହାପ୍ରଭୁଙ୍କ ଶ୍ରୀଭୁଜରେ ରାକ୍ଷୀ। ଏ ରାକ୍ଷୀ ବାନ୍ଧିଲା କିଏ ! ବାନ୍ଧିଲା କିଏ!! ଖବର ଦିଆଗଲା ଠାକୁର ରାଜାଙ୍କୁ l ରାଜା ସଙ୍ଗେ ସଙ୍ଗେ ଆସି ମନ୍ଦିରରେ ପହଞ୍ଚିଲେ ଓ ସେବାୟତ ମାନଙ୍କୁ ପଚାରିଲେ ପହଡ଼ ପରେ କିଏ ଆସିଥିଲା କାଲି ମନ୍ଦିରକୁ? ସମସ୍ତେ ପରସ୍ପର ଆଡ଼କୁ ଚାହାଁ ଚାହିଁ ହୋଇ କହିଲେ, ଆମେ ଜାଣିନାହୁଁ ! ଆମେ ଜାଣି ନାହୁଁ !!!

କିଛି ଉପାୟ ନପାଇ, ଏହାର ରହସ୍ୟ ଜାଣିବାକୁ ଗଜପତି ଅଧିଆ ପଡ଼ିଲେ ମହାପ୍ରଭୁଙ୍କ ପାଖରେ। ସ୍ଵପ୍ନାଦେଶରେ ମହାପ୍ରଭୁ ଜଣାଇଦେଲେ, ରାଜା ! ପାଟପୁର ଗ୍ରାମର ମାଳତୀ ମୋର ଭଉଣୀ, କାଲି ସେ ଆସିଥିଲା, ମୋତେ ରାକ୍ଷୀ ପିନ୍ଧାଇବା ପାଇଁ, ଜଗା ଭାଇ କେଉଁଠି ଅଛି କହି କେତେ ଖୋଜିଲା, ହେଲେ ତମେମାନେ କେହି ମଧ୍ୟ ତା’ର ମୋ ସହ ଦେଖା କରେଇଲ ନାହିଁ।

ରାତିରେ ମାଳତୀ ସିଂହଦ୍ଵାର ପାଖରେ ଶୋଇଥିଲା, ମୁଁ ଯାଇ ତା’ ହାତରୁ ରାକ୍ଷୀ ପିନ୍ଧି ଆସିଛି। ରାଜା ସେବକ ମାନଙ୍କଠାରୁ ପଚାରି ଜାଣିବାକୁ ପାଇଲେ ଯେ କାଲି ଜଣେ ପାଞ୍ଚ ବର୍ଷର ଝିଅ ଶ୍ରୀମନ୍ଦିର ଭିତରେ ତା ଜଗା ଭାଇକୁ ଖୋଜି ବୁଲୁଥିଲା। ରାଜା ଆଉ କାଳ ବିଳମ୍ବ ନକରି ଯାଇ ପହଞ୍ଚିଲେ ପାଟପୁର ଗ୍ରାମର ମାଳତୀର ଦରିଦ୍ର କୁଡ଼ିଆରେ।

ତ୍ରସ୍ତ ମାଳତୀର ମାଆ ରାଜାଙ୍କ ପାଦ ତଳେ ପଡ଼ି କହିଲେ,” ମୋର କିଛି ଅପରାଧ ହୋଇ ଯାଇଛି, ମୋତେ କ୍ଷମା କରନ୍ତୁ, ଛାମୁ। ମୋ ଝିଅ ମାଳତୀ ଗତକାଲି ଶ୍ରୀମନ୍ଦିରକୁ ଯାଇଥିଲା, ବୋଧହୁଏ ସେ କିଛି ଅନ୍ୟାୟ, ଅନୀତି କରିଛି “।

ରାଜାଙ୍କର ଆଉ ତିଳେମାତ୍ର ସନ୍ଦେହ ରହିଲା ନାହିଁ ଯେ ଏହି ମହିଳାଙ୍କ ଝିଅ ମାଳତୀ କାଲି ରାତିରେ ମହାପ୍ରଭୁଙ୍କୁ ଯାଇ ରାକ୍ଷୀ ପିନ୍ଧାଇ ଆସିଛି। ରାଜା ମାଳତୀର ମାଆ ମୁଣ୍ଡ ଉପରେ ହାତ ରଖିଦେଲେ ଓ କହିଲେ,ମାଆ,ସତେ କେଡ଼େ ସୋଭାଗ୍ୟବତୀ ଲୋ ତୁ ! ତୋ’ ଝିଅ ମାଳତୀ, କାଲି ମହାପ୍ରଭୁଙ୍କୁ ଯାଇ ରାକ୍ଷୀ ପିନ୍ଧାଇଆସିଛି, ଯୁଗ ଯୁଗଧରି ମୁନୀ ଋଷି ମାନେ ଯାହାଙ୍କ ଦର୍ଶନ ପାଇ ପାରି ନାହାଁନ୍ତି, ତୋ ଝିଅ ତାଙ୍କୁ ସ୍ଵ ହସ୍ତରେ ରାକ୍ଷୀ ବାନ୍ଧିଆସିଛି।

ମହାରାଜା ମାଳତୀକୁ ଡାକି କହିଲେ, ଭଉଣୀ ! ତୁ ଆମ କୋଟି ଓଡ଼ିଆର ମଉଡ଼ ମଣି “।ମାଳତୀ ପରିବାରକୁ ମହାରାଜା ଧନ ଧାନ୍ୟ ଦାନ କରି ସେହିଠାରେ ଘୋଷଣା କଲେ,’ ଏ ପାଟପୁର ଗ୍ରାମର ନାମ ଏଣିକି ‘ମାଳତୀ ପାଟପୁର’ ହେବ। ସେହି ପାଟପୁର ଗ୍ରାମ ଅଦ୍ୟାପି ମାଳତୀପାଟପୁର ନାମରେ ବିଦ୍ୟମାନ ହୋଇ ରହିଛି। ଏବେ ସେଠି ଗଢ଼ି ଉଠିଛି ନୂଆ ବସ ଷ୍ଟାଣ୍ଡ ଓ ମାଳତୀପାଟପୁର ରେଳ ଷ୍ଟେସନ।

RakshaBandhan ରାକ୍ଷୀ ପୂର୍ଣ୍ଣିମା ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା
Share. Facebook Twitter LinkedIn Email WhatsApp Copy Link

Related Posts

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

ପି.ଏମ୍ କିଷାନରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡକୁ ପୂରଣ କରି ସହାୟତା ଲାଭ କରନ୍ତୁ: ମୁଖ୍ୟମନ୍ତ୍ରୀ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.