ମୟୁରଭଞ୍ଜରେ ଜେଏମଏମ ପ୍ରାର୍ଥୀ ଅଞ୍ଜନୀଙ୍କ ଦମଦାର ପ୍ରଚାର, ଯୋଗଦେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଓ କଳ୍ପନା

Published: May 10, 2024, 9:22 am IST

ଭୁବନେଶ୍ବର: ମୟୁରଭଂଜ ଲୋକସଭା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଜେଏମଏମ ପ୍ରାର୍ଥୀ ଅଞ୍ଜନୀ ସୋରେନ। ସେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ହୋଇଥିବାରୁ ସେଠାରେ କଂଗ୍ରେସ କାହାକୁ ପ୍ରାର୍ଥୀ କରି ନାହିଁ। ତାଙ୍କ ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରା ଏବଂ ପ୍ରଚାରରେ ଯୋଗଦେବା ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଯୋଗ ଦେଇଥିଲେ।

ଗତକାଲି ଉଭୟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଏବଂ କଲ୍ପନା ଏକ ହେଲିକାପ୍ଟରରେ ଆସି ମୟୁରଭଂଜରେ ଓହ୍ଲାଇଥିଲେ। ସେଠାରେ ତାଙ୍କୁ ସାଂସଦ ପ୍ରାର୍ଥୀ ଅଞ୍ଜନୀଙ୍କ ସହିତ ହଜାରହଜାର ସମର୍ଥକ ସ୍ବାଗତ କରିଥିଲେ। ସେଠାରୁ ସମସ୍ତେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ କରିଥିଲେ। ଏହାପରେ ଏକ ବିଶାଳ ଜନସମାବେଶକୁ କଳ୍ପନା ଉଦବୋଧନ ଦେଇଥିଲେ।

ମୟୁରଭଞ୍ଜର ଲୋକସଭା ପ୍ରାର୍ଥୀ ଅଞ୍ଜନୀ ସୋରେନ ହେଉଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଝିଅ। ସେ ମୟୁରଭଂଜରେ ବିବାହ କରିଛନ୍ତି। ଅଞ୍ଜନୀ ପୂର୍ବରୁ ମୟୁରଭଂଜ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି। ସେହିପରି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ହେଉଛନ୍ତି ମୟୁରଭଂଜର ଝିଅ। ସେ ହେମନ୍ତ ସୋରେନଙ୍କୁ ବିବାହ କରି ଝାଡଖଣ୍ଡରେ ରହୁଛନ୍ତି।

ହେମନ୍ତ ସୋରେନ ଜେଲ ଯିବା ପରେ ବର୍ତ୍ତମାନ ଓଡିଆ ଝିଅ କଳ୍ପନା ସୋରେନ ଝାଡଖଣ୍ଡ ନିର୍ବାଚନର ମଙ୍ଗ ଧରିଛନ୍ତି। ତାଙ୍କ ନେତୃତ୍ବରେେ ବର୍ତ୍ତମାନ ଝାଡଖଣ୍ଡରେ ଦଳ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି।

Related posts