ଆର୍ଜେଣ୍ଟିନା : ଆର୍ଜେଣ୍ଟିନାର ପୂର୍ବତନ ମିସ୍ଓ୍ବାର୍ଲ୍ଡ ନୋର୍ମା କ୍ୟାପଲେଗ୍ଲି ମୃତ୍ୟୁ ହୋଇଛି । ଡିସେମ୍ବର 17 ତାରିଖରେ ନିଜ ଘର ପାଖରେ ଚାଲୁଥିବା ସମୟରେ ପଛପଟୁ ଏକ ବସ୍ ତାଙ୍କ ଧକ୍କା ଦେଇଥିଲା । ନୋର୍ମାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁଣ୍ଡରେ ଫ୍ୟାକ୍ଚର ଥିବା କାରଣରୁ ସେ କୋମାକୁ ଚାଲିଯାଇଥିଲେ । 6 ଦିନ କାଳ ଜୀବନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 81 ବର୍ଷ ବୟସ ହୋଇଥିଲା ।
1960 ମସିହାରେ ନୋର୍ମା ମିସ୍ ଓ୍ବାଲ୍ଡର ଟାଇଟଲ୍ ବିଜୟିନୀ ହୋଇଥିଲେ । ଆର୍ଜେଣ୍ଟିନାର ପ୍ରଥମ ମହିଳା ଭାବେ ସେ ଏହି ଟାଇଟଲ୍ ଜିତିଥିଲେ । ସେ ମାତ୍ର 21 ବର୍ଷ ବୟସରେ ବିଶ୍ବ ସୁନ୍ଦରୀ ମୁକୁଟର ବିଜୟିନୀ ହୋଇଥିଲେ । ବିଶ୍ବ ସୁନ୍ଦରୀ ହେବା ପରେ ସେ ଅରମାନୀ, ଡିୟୋର ପରି ଲୋକପ୍ରିୟ ବ୍ରାଣ୍ଡ ପାଇଁ ମଡେଲିଂ କରିଥିଲେ ।
ମଡେଲିଂ ସହିତ ସେ ଗୀତ ମଧ୍ୟ ଗାଉଥିଲେ । 1962 ମସିହାରେ ସେ ‘ସେକ୍ସୀ ଓ୍ବାଲର୍ଡ’ ଗୀତରେ କଣ୍ଠଦାନ କରିଥିଲେ ।କିଛି ସମୟ ସେ ବ୍ରାଜିଲ୍ ରହୁଥିଲେ । 1989 ମସିହାରେ ସେ ଆର୍ଜେଣ୍ଟିନା ପ୍ରତ୍ୟାବର୍ତ୍ତନ କରିଥିଲେ ।
ନୋର୍ମାଙ୍କ ଝିଆରୀ କହିଛନ୍ତି ଯେ, ତାଙ୍କ ମୃତ୍ୟୁ ବସ୍ ଦୁର୍ଘଟଣାରେ ହୋଇଛି । ବୟସାଧିକ୍ୟ ହେବା ସତ୍ତ୍ବେ ସେ ବହୁତ ଆକ୍ଟିଭ୍ ଥିଲେ । ମାତ୍ର ବସ୍ ଧକ୍କା କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏହି ମାମଲାରେ 28 ବର୍ଷୀୟ ବସ୍ ଡ୍ରାଇଭର୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ ନୋର୍ମା 60 ଦଶକରେ ଇଟାଲୀର ବ୍ୟବସାୟୀଙ୍କୁ ବିବାହ କରି ଫ୍ୟାସନ୍ ଇଣ୍ଡଷ୍ଟ୍ରିରୁ ଅଲ୍ବିଦା ନେଇଥିଲେ । ମାତ୍ର ଏହାପରେ ଇଟାଲୀର ମ୍ୟାଗଜିନ୍ ମେନ ବାବାଜର ପାଇଁ ସେ ଜର୍ଣ୍ଣାଲିଷ୍ଟ ରୂପେ କାର୍ଯ୍ୟ କରୁଥିଲେ । (ଏଜେନ୍ସି)