ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇପାରନ୍ତି ଦ ଗ୍ରେଟ ଖଲି: କେଜ୍ରିୱାଲ ଦେଲେ ସଙ୍କେତ

Published: Nov 18, 2021, 2:46 pm IST

ନୂଆଦିଲ୍ଲୀ: ପଞ୍ଜାବରେ କିଛି ମାସ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ସଫଳତା ହାସଲ କରିବା ପାଇଁ ରଣନୀତି ଜାରି ରଖିଛି। ଡବ୍ଲ୍ୟୁଡବ୍ଲ୍ୟୁଇ ଭଳି ଅନ୍ତର୍ଜାତୀୟ ଖେଳରେ ନିଜର ପରିଚୟ ସୃଷ୍ଟି କରିଥିବା ଗ୍ରେଟ୍ ଖଲି ତଥା ଦଲିପ ସିଂ ରାଣା, ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇପାରନ୍ତି। ଦଲିପ ସିଂ ରାଣାଙ୍କ ସହ ଅରବିନ୍ଦ କେଜ୍ରିୱାଲ ଏକ ଫଟୋ ସେୟାର କରିଛନ୍ତି, ଯାହା ପରେ ଷ୍ଟାର ରେସଲରଙ୍କ ରାଜନୀତିରେ ପ୍ରବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦଲିପ ରାଣାଙ୍କ ସହ ସେ ପଞ୍ଜାବର ଚିତ୍ର ବଦଳାଇବେ। ସେ ଟୁଇଟ୍ କରି କହିଛନ୍ତି ଯେ, ମୁଁ ଦଲିପ ସିଂ ରାଣାଙ୍କୁ ଭେଟିଥିଲି। ଦି ଗ୍ରେଟ୍ ଖଲି ନାମରେ ଜଣାଶୁଣା ଦଲିପ ରାଣା ସମଗ୍ର ବିଶ୍ୱରେ ଭାରତର ପରିଚୟ ପ୍ରଦାନ କରିଛନ୍ତି। ଦିଲ୍ଲୀର ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଏବଂ ବିଦ୍ୟୁତ୍ ଉପରେ ଆମ୍ ଆଦମୀ ପାର୍ଟି ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଦଲୀପ ରାଣା ପସନ୍ଦ କରିଛନ୍ତି।

ତେବେ ଆମ୍ ଆଦମୀ ପାର୍ଟିରେ ଯୋଗଦେବା ପାଇଁ ଦଲିପ ରାଣା କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି। କିନ୍ତୁ ବିଶ୍ୱାସ କରାଯାଏ ଯେ, ଅରବିନ୍ଦ କେଜ୍ରିୱାଲଙ୍କ ପଞ୍ଜାବ ଗସ୍ତରେ ଦଲିପ ରାଣା ଆନୁଷ୍ଠାନିକ ଭାବେ ଯୋଗ ଦେଇ ପାରନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ ​​ଦଲିପ ରାଣା ମଧ୍ୟ ଆପ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।

ଦଲିପ ରାଣା ପଞ୍ଜାବ ପୋଲିସର ଜଣେ କର୍ମଚାରୀ ରହିଆସିଛନ୍ତି। ଡବ୍ଲୁଡବ୍ଲୁଇରେ ଯୋଗଦେବା ପାଇଁ ଦଲିପ ରାଣା ପଞ୍ଜାବ ପୋଲିସର ଚାକିରି ଛାଡିଥିଲେ। ଦଲିପ ରାଣା ମଧ୍ୟ ବଲିଉଡରେ ଅଭିନୟ କରିଛନ୍ତି।

Related posts