ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ସ୍ଥଗିତ, ଭାରତର ମନସା ବାରାଣାସୀଙ୍କ ସମେତ ସଂକ୍ରମିତ ହେଲେ ୧୭ ପ୍ରତିଯୋଗୀ

Published: Dec 17, 2021, 12:57 pm IST

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ବିପଦ ପୁଣି ଥରେ ବଢୁଥିବା ପରି ମନେ ହେଉଛି। ଅନେକ ଦେଶରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢୁଥିବା ଦେଖାଯାଉଛି। ଏହି ମହାମାରୀର ପ୍ରଭାବ ବର୍ତ୍ତମାନ ମିସ୍ ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତାକୁ ମଧ୍ୟ ପ୍ରଭାବିତ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଭାରତର ମନସା ବାରାଣାସୀଙ୍କ ସମେତ ୧୭ ଜଣ ପ୍ରତିଯୋଗୀ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ମାମଲା ସାମ୍ନାକୁ ଆସିବା ମାତ୍ରେ ମିସ୍ ୱାର୍ଲ୍ଡ-୨୦୨୧ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି। ମିସ୍ ୱାର୍ଲ୍ଡ ବିୟୁଟି ପେଜେଣ୍ଟର ଅଫିସିଆଲ୍ ସୋସିଆଲ୍ ମିଡିଆ ପୃଷ୍ଠାରେ ଏଏଇ ସୂଚନା ଦିଆଯାଇଛି। ସମସ୍ତ ଲୋକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏହି ଘଟଣାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

ମିସ୍ ୱାର୍ଲ୍ଡ ର ଗ୍ରାଣ୍ଡ୍ ଫାଇନାଲ୍ ଆଜି ସକାଳ ୪.୩୦ରେ ଅନୁଷ୍ଠିତ ହେବାକୁ ଥିଲା। ଆୟୋଜକମାନେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଇଭେଣ୍ଟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ୯୦ ଦିନ ମଧ୍ୟରେ ପୁଏର୍ତୋ ରିକୋରେ ଏହି ପ୍ରତିଯୋଗିତା ପୁନଃ ସ୍ଥିର ହେବ। ମିସ୍ ୱାର୍ଲ୍ଡ- ୨୦୨୧ ଇଭେଣ୍ଟ ଏବଂ ପୁଏର୍ତୋ ରିକୋ ସ୍ୱାସ୍ଥ୍ୟ ବିଭାଗରେ ଉପସ୍ଥିତ ଥିବା ଡାକ୍ତରୀ ବିଶେଷଜ୍ଞଙ୍କ ବୈଠକ ପରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ସଂକ୍ରମିତ ପ୍ରତିଯୋଗୀଙ୍କୁ ନଜରରେ ରଖାଯାଇଛି।

ଏହାସହ ବିବୃତ୍ତିରେ କୁହାଯାଇଛି ଯେ ପ୍ରତିଯୋଗୀମାନେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁମତି ପାଇବା ପରେ ହିଁ ନିଜ ଦେଶକୁ ଯାଇପାରିବେ। ମିସ୍ ୱାର୍ଲ୍ଡ ଲିମିଟେଡର ସିଇଓ ଜୁଲିଆ ମୋର୍ଲି ଏହି ବିଷୟରେ କହିଥିଲେ ଯେ, ମିସ୍ ୱାର୍ଲ୍ଡର ମୁକୁଟ ପାଇଁ ଆମର ପ୍ରତିଯୋଗୀଙ୍କ ପ୍ରତ୍ୟାବର୍ତ୍ତନକୁ ଆମେ ଉତ୍ସାହର ସହିତ ଅପେକ୍ଷା କରିବୁ।

Related posts