Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିପିପି ମୋଡରେ ପ୍ରତିଷ୍ଠା କରାଯିବ ଏଭିଜିସି ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର
ଆଜିର ଖବର

ପିପିପି ମୋଡରେ ପ୍ରତିଷ୍ଠା କରାଯିବ ଏଭିଜିସି ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର

September 27, 2022No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ମିଡିଆ ଓ ମନୋରଞ୍ଜନ ଉଦ୍ୟୋଗ କ୍ଷେତ୍ରରେ କାରବାର ୧୦୦ ବିଲିୟନ ଡଲାରରେ ପହଞ୍ଚିବା ଉଚିତ୍‌। ବର୍ତ୍ତମାନ ଠାରୁ ଏହି ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ଲାଗି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର ଆହ୍ବାନ କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୧୦ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ୧୦ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଏହାକୁ ଦୃଷ୍ଟିରେ ରଖି ମିଡିଆ ଓ ମନୋରଞ୍ଜନ ଉଦ୍ୟୋଗକୁ ଆମେ ୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାରରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିବା ଉଚିତ୍‌। ଏହି କ୍ଷେତ୍ରକୁ ସହାୟତା କରିବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ନେବ ବୋଲି ଶ୍ରୀ ଚନ୍ଦ୍ର କହିଥିଲେ। ମଙ୍ଗଳବାର, ସେପ୍ଟେମ୍ବର ୨୭, ୨୦୨୨ରେ ମୁମ୍ବାଇ ଠାରେ ଅନୁଷ୍ଠିତ ଫିକ୍କି ଫ୍ରେମ୍ସ ଫାଷ୍ଟ ଟ୍ରାକ୍‌ ୨୦୨୨ ସମାରୋହର ଉଦଘାଟନୀ ଅଧିବେଶକୁ ସମ୍ବୋଧିତ କରି ସଚିବ ଏହା କହିଥିଲେ।

ଏହି ଅବସରରେ ସଚିବ ଘୋଷଣା କରିଥିଲେ ଯେ ଭାରତରେ ଚଳଚ୍ଚିତ୍ର କ୍ଷେତ୍ରରେ ଅଧିକ ବିଦେଶୀ ନିବେଶକୁ ଆକୃଷ୍ଟ କରିବା ଲାଗି ଇନଭେଷ୍ଟ ଇଣ୍ଡିଆରେ ରହିଥିବା ସମ୍ଭାବନାକୁ ଉଜାଗର କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଚଳଚ୍ଚିତ୍ର ୟୁନିଟଗୁଡ଼ିକୁ ଗୋଟିଏ ବ୍ୟବସ୍ଥା ମଧ୍ୟକୁ ଆଣିବା ଲାଗି ପଦକ୍ଷେପ ନିଆଯାଇଛି। ମୁମ୍ବାଇରେ ଥିବା ଏନଏଫଡିସି ସରକାରଙ୍କ ଚଳଚ୍ଚିତ୍ର ଶାଖାର ମୁଖ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ସେ କହିଥିଲେ ଯେ ଆମେ ଚଳଚ୍ଚିତ୍ର ସୁବିଧା ପ୍ରଦାନ କାର୍ଯ୍ୟାଳୟର ପୁନରୁଦ୍ଧାର କରିବା ଲାଗି ଚାହୁଁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରଙ୍କ ଦ୍ବାରା ଗଠନ କରାଯାଇଥିବା ମୁଖ୍ୟ ନିବେଶ ଶାଖା, ଇନଭେଷ୍ଟ ଇଣ୍ଡିଆ ହାତରେ ଆମେ ଏହି ଦାୟିତ୍ବ ଦେବାକୁ ଚାହୁଁଛୁ । ଫଳରେ ଭାରତକୁ ବିଦେଶୀ ଉଦ୍ୟୋଗମାନେ ଆକର୍ଷିତ ହୋଇ ଆସିବେ । ବିଦେଶୀ ନିବେଶ ଆକୃଷ୍ଟ କରିବା ଲାଗି ଆମେ ଇନଭେଷ୍ଟ ଇଣ୍ଡିଆ ବ୍ୟବସ୍ଥାର ଉପଯୋଗ କରିବୁ ଏବଂ ଭାରତକୁ ଆସିବା ଲାଗି ବିଦେଶୀ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ସମ୍ପର୍କ ସ୍ଥାପନ କରିବୁ ବୋଲି ସଚିବ କହିଥିଲେ ।

ସଚିବ ଶ୍ରୀ ଚନ୍ଦ୍ର ଏହି ଅବସରରେ ସୂଚନା ଦେଇଥିଲେ ଯେ, ଭାରତରେ ଚଳଚ୍ଚିତ୍ର ଶୁଟିଂକୁ ପ୍ରୋତ୍ସାହନ ଦେବା ଏବଂ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାର କାର୍ଯ୍ୟ କରିବେ। ନିକଟରେ ଅନୁଷ୍ଠିତ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଆମେ ଅଡିଓ-ଭିଜୁଆଲ କୋ ପ୍ରଡକ୍ସନ ଏବଂ ଭାରତରେ ବିଦେଶୀ ଚଳଚ୍ଚିତ୍ରର ଶୁଟିଂ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଜନା ଘୋଷଣା କରିଥିଲୁ । ରାଜ୍ୟମାନଙ୍କ ପକ୍ଷରୁ ମଧ୍ୟ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଥିବାରୁ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଏକ ଆକର୍ଷଣୀୟ ଏବଂ ଶସ୍ତା ପ୍ୟାକେଜ୍‌ ମିଳିପାରିବ ।

ସଚିବ ଏହି ଅବସରରେ ଘୋଷଣା କରିଥିଲେ ଯେ ଭାରତ ସରକାର ଏକ ଆଦର୍ଶ ଥିଏଟର ନୀତି ଗଠନ କରିବା ଲାଗି ରାଜ୍ୟମାନଙ୍କ ସହିତ କାର୍ଯ୍ୟ କରୁଛନ୍ତି । ଗତ ୫-୬ ବର୍ଷ ମଧ୍ୟରେ ଥିଏଟର ସଂଖ୍ୟା ହ୍ରାସ ପାଇଛି । ଆମେ ଏହି ଧାରାକୁ ବଦଳାଇବାକୁ ଚାହୁଁଛୁ । ଥିଏଟର ଖୋଲିବା ପାଇଁ ମଞ୍ଜୁରି ଦେବା ନିମନ୍ତେ ଆମେ ଏକ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ଖୋଲିବା ଲାଗି ଚଳଚ୍ଚିତ୍ର ସୁବିଧା ପ୍ରଦାନ କାର୍ଯ୍ୟାଳୟମାନଙ୍କୁ ଦାୟିତ୍ବ ଦେବୁ । ଯାହାଫଳରେ ଅଧିକରୁ ଅଧିକ ଥିଏଟର ଖୋଲିବ ଏବଂ ଲୋକମାନେ ଥିଏଟରରେ ଚଳଚ୍ଚିତ୍ରର ଚମତ୍କାର ଦିଗକୁ ଦେଖିବାର ସୁଯୋଗ ପାଇପାରିବେ। ରାଜ୍ୟମାନଙ୍କ ସହଭାଗିତାରେ ଆମେ ଏକ ଆଦର୍ଶ ଥିଏଟର ନୀତି ପ୍ରସ୍ତୁତ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବୁ ।

ସଚିବ କହିଥିଲେ ଯେ, କୋଭିଡ-୧୯ ମହାମାରୀ ଲୋକମାନଙ୍କ ଚଳଚ୍ଚିତ୍ର ଦେଖିବା ଅଭ୍ୟାସକୁ ବଦଳାଇ ଦେଇଛି । ତିନି ଦିନ ପୂର୍ବରୁ ଟିକେଟ ଦର ୭୫ ଟଙ୍କାକୁ କମିବା ପରେ ସବୁ ଶୋ’ ଫୁଲ ଯାଉଥିବା ଦେଖାଯାଇଥିଲା। ଏହା ଦର୍ଶାଉଛି ଯେ ଦର ଠିକ୍‌ ରହିଲେ ଲୋକମାନେ ଥିଏଟରରେ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇପାରିବେ । ଥିଏଟରକୁ ଯିବା ଲାଗି ଲୋକମାନଙ୍କ ମଧ୍ୟରେ ଆଗ୍ରହ ରହିଛି, ତେଣୁ ଆମେ ଲୋକମାନଙ୍କୁ କିଭଳି ପୁଣିଥରେ ଥିଏଟରକୁ ଫେରାଇ ଆଣିବୁ ସେ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।

ଏହି ଅବସରରେ ଚଳଚ୍ଚିତ୍ର ଜଗତକୁ ସୂଚନା ଦେଇ ସଚିବ କହିଥିଲେ ଯେ, ଗତକାଲି ଆମେ ଚଳଚ୍ଚିତ୍ର ଉଦ୍ୟୋଗର କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଏକ ଫଳପ୍ରଦ ବୈଠକରେ ଆଲୋଚନା କରିଛୁ । ସିନେମାଟୋଗ୍ରାଫ ଆଇନରେ ପ୍ରସ୍ତାବିତ ସଂଶୋଧନକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ପାଇରେସୀ ନିରୋଧୀ ବ୍ୟବସ୍ଥା ଏବଂ ୟୁଏ ବର୍ଗରେ ବୟସ ବର୍ଗୀକରଣକୁ ନେଇ ପ୍ରସ୍ତାବିତ ସଂଶୋଧନକୁ ସବୁ ଅଂଶୀଦାରମାନେ ସମର୍ଥନ କରିଛନ୍ତି। ଚଳଚ୍ଚିତ୍ର ଉଦ୍ୟୋଗର ସହାୟତା ସହିତ ସଂସଦର ଆସନ୍ତା ଶୀତ ଅଧିବେଶନରେ ଏହି ବିଲ ଉପସ୍ଥାପନ ହେବା ନେଇ ଆଶା କରାଯାଉଛି ବୋଲି ସଚିବ ସୂଚନା ଦେଇଥିଲେ ।

ସଚିବ ସୂଚନା ଦେଇଥିଲେ ଯେ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗଠନ କରାଯାଇଥିବା ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ ଓ କମିକ୍ସ (ଏଭିଜିସି) ପ୍ରମୋସନ ଟାସ୍କ ଫୋର୍ସ ଆସନ୍ତା ୧୫ ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ । ଉପ ଟାସ୍କ ଫୋର୍ସ ପକ୍ଷରୁ ଦିଆଯାଇଥିବା ରିପୋର୍ଟକୁ ଆମେ ତର୍ଜମା କରୁଛୁ । ଏହାପରେ ଆମେ ଆବଶ୍ୟକ ସୁପାରିସ କରିବୁ ଏବଂ ରିପୋର୍ଟକୁ କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ଆରମ୍ଭ କରିବୁ ବୋଲି ସଚିବ କହିଥିଲେ । ସେ ଆହୁରି କହିଥିଲେ ଯେ ଏଭିଜିସି କ୍ଷେତ୍ରରେ ଭବିଷ୍ୟତର ସମ୍ଭାବନା ରହିଛି । ଶ୍ରେଷ୍ଠ ହଲିଉଡ଼ ଚଳଚ୍ଚିତ୍ରଗୁଡ଼ିକ ଏବେ ବେଙ୍ଗାଲୁରୁ ଏବଂ ଅନ୍ୟ ସ୍ଥାନରେ ପ୍ରସ୍ତୁତ ହେଉଛି । ୨୦ ବର୍ଷ ତଳେ ଯେମିତି ଭାବେ ଆଇଟି ବିପ୍ଳବ ଆସିଥିଲା ଠିକ ସେହିପରି ଏଭିଜିସି କ୍ଷେତ୍ରରେ ଦେଶର ନୂଆ ବିପ୍ଳବ ଆସିବ ବୋଲି ସଚିବ ସୂଚନା ଦେଇଥିଲେ ।

ଘରୋଇ କ୍ଷେତ୍ରର ସହଭାଗିତା ଜରିଆରେ ଦେଶରେ ଏଭିଜିସି ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ସଚିବ ସୂଚନା ଦେଇଥିଲେ । ସେ କହିଥିଲେ ଯେ ପିପିପି ମୋଡରେ ଏଭିଜିସି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଲାଗି  ଆମେ ନୀତିଗତ ନିଷ୍ପତ୍ତି ନେଇଛୁ । ଏଥିରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୪୮% ଅଂଶଧନ, ଫିକ୍କି ଏବଂ ସିଆଇଆଇର ୨୬% ଲେଖାଏଁ ଅଂଶଧନ ରହିବ ବୋଲି ପ୍ରସ୍ତାବ ରହିଛି। ତେଣୁ ସରକାର ନୁହନ୍ତି, ବରଂ ଘରୋଇ କ୍ଷେତ୍ର ଏଭିଜିସି କ୍ଷେତ୍ରରେ ନେତୃତ୍ବ ନେବେ । ସଚିବ କହିଥିଲେ ଯେ, ମିଡିଆ ଏବଂ ମନୋରଞ୍ଜନ ଉଦ୍ୟୋଗର ବିକାଶ କ୍ଷେତ୍ରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହାୟକ ସଂସ୍ଥା ଭାବେ କାର୍ଯ୍ୟ କରିବ ବୋଲି ଆମେ ଆଶା କରୁଛୁ ।

ଭାରତୀୟ ନାଗରିକମାନେ ଖୁବଶୀଘ୍ର ଉଚ୍ଚମାନର ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ବିଷୟବସ୍ତୁ ସେମାନଙ୍କର ମୋବାଇଲ ଫୋନରେ ପାଇପାରିବେ । ଏଥିପାଇଁ କୌଣସି ମୋବାଇଲ ଡାଟା ଖର୍ଚ୍ଚ ହେବ ନାହିଁ ବୋଲି ସଚିବ ସୂଚନା ଦେଇଥିଲେ। ଏହା ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ । ଆଗକୁ ଦେଶରେ 5ଜି ସେବା ଉପଲବ୍ଧ ହେବ, ତେଣୁ ଡାଇରେକ୍ଟ ଟୁ ମୋବାଇଲ୍‌ ବ୍ରଡକାଷ୍ଟ ପାଇଁ ଆଉ ଏକ ସୁଯୋଗ ସୃଷ୍ଟି ହେବ । କାନପୁର ଆଇଆଇଟି ସହ ମିଶି ପ୍ରସାର ଭାରତୀ ଏକ ପ୍ରୁଫ୍‌ ଅଫ୍‌ କନସେପ୍ଟ ଉପରେ କାର୍ଯ୍ୟ କରୁଛି, ଏହା ସଫଳ ହେଲେ ମୋବାଇଲରେ ୨୦୦ରୁ ଅଧିକ ଚାନେଲ ଏବଂ ଉଚ୍ଚ ମାନର ଚଳଚ୍ଚିତ୍ର ଦେଖି ହେବ । ଏଥିପାଇଁ କୌଣସି ଡାଟା ଖର୍ଚ୍ଚ ହେବ ନାହିଁ । ଆସନ୍ତା ୩-୪ ବର୍ଷ ମଧ୍ୟରେ ଏପରି ଏକ ପରିକଳ୍ପନା ସାକାର ରୂପ ନେଇ ପାରିବ ବୋଲି ସଚିବ ଶ୍ରୀ ଚନ୍ଦ୍ର କହିଥିଲେ ।

ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ମିଡିଆ ଓ ମନୋରଞ୍ଜନ କୌଶଳ ପରିଷଦର ଗୁରୁତ୍ବ ଉପରେ ସୂଚନା ଏବଂ ପ୍ରସାରଣ ସଚିବ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଅଧିକରୁ ଅଧିକ ସଂଖ୍ୟାରେ ଲୋକମାନେ ଏବେ ଓଟିଟି ପ୍ଲାଟଫର୍ମରେ ବିଭିନ୍ନ ବିଷୟବସ୍ତୁ ଦେଖୁଛନ୍ତି । କିନ୍ତୁ ବିଷୟବସ୍ତୁ ବା କଣ୍ଟେଣ୍ଟ ସୃଷ୍ଟି ବଢ଼ିଛି ଏବଂ ଅଧିକ ସଂଖ୍ୟାରେ ଲୋକମାନେ ଏଥିରେ ନିଯୁକ୍ତ ହେଉଛନ୍ତି । ଚାକିରି ସୃଷ୍ଟି କରିବା କ୍ଷେତ୍ରରେ କୌଶଳ ବିକାଶ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏ କ୍ଷେତ୍ରରେ ମିଡିଆ ଓ ମନୋରଞ୍ଜନ କୌଶଳ ପରିଷଦର ପ୍ରମୁଖ ଭୂମିକା ରହିଛି ।

ଚଳଚ୍ଚିତ୍ର ପ୍ରଯୋଜକ ରମେଶ ସିପ୍ପୀ, ବ୍ରିଟେନର ୱେଷ୍ଟ ୟର୍କଶାୟର ମେୟର ଟ୍ରେସୀ ବ୍ରାବିନ, ବିଶିଷ୍ଟ ଅଭିନେତା ରଣବୀର ସିଂ, ଫିକ୍କି ଏଭିଜିସି ଫୋରମ ଏବଂ ପୁନରୟୁଗର ପ୍ରତିଷ୍ଠାତା ଆଶିଷ କୁଲକର୍ଣ୍ଣୀ, ସଞ୍ଚାର ଓ ସୂଚନା ପ୍ରଯୁକ୍ତି ଷ୍ଟାଣ୍ଡିଂ କମିଟି ସଦସ୍ୟା ତଥା ସାଂସଦ ସୁମଲତା ଅମ୍ବରୀଶ, ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ଷ୍ଟାଣ୍ଡିଂ କମିଟି ସଦସ୍ୟା ତଥା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ସଞ୍ଚାର ଓ ସୂଚନା ପ୍ରଯୁକ୍ତି ଷ୍ଟାଣ୍ଡିଂ କମିଟି ସଦସ୍ୟ ତଥା ସାଂସଦ ସଞ୍ଜୟ ସେଠ, ଫିକ୍କିର ମହାନିର୍ଦ୍ଦେଶକ ଅରୁଣ ଚାୱଲା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ଫିକ୍କି ଫ୍ରେମ୍ସ ଫାଷ୍ଟ ଟ୍ରାକ୍‌ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର, ପ୍ରସାରଣ (ଟିଭି ଓ ରେଡିଓ), ଡିଜିଟାଲ ମନୋରଞ୍ଜନ, ଆନିମେସନ, ଗେମିଂ ଓ ଭିଜୁଆଲ ଇଫେକ୍ଟସ ଆଦି ବିଭିନ୍ନ କ୍ଷେତ୍ର ଉପରେ କର୍ମଶାଳା, ମାଷ୍ଟର କ୍ଲାସ୍‌ ସହିତ ସମାନ୍ତରାଳ ଆଲୋଚନା ଅଧିବେଶନ ଅନୁଷ୍ଠିତ ହେବ । ମିଡିଆ ଓ ମନୋରଞ୍ଜନ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଣ, ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଅନ୍ୟ ବ୍ୟବସାୟ ଓ ସୃଜନଶୀଳ ବ୍ୟକ୍ତିବିଶେଷଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧିମାନେ ପ୍ରତିବର୍ଷ ଆୟୋଜନ କରାଯାଉଥିବା ଏହି ସମାରୋହରେ ଅଂଶଗ୍ରହଣ କରିଥିଲେ ।

ଅପୂର୍ବ ଚନ୍ଦ୍ର ଏଭିଜିସି ଜାତୀୟ ଉତ୍କର୍ଷ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଥିରୁବନନ୍ତପୁରମ ନଗର ନିଗମ ଉପନିର୍ବାଚନରେ ବିଜେପି ପରାସ୍ତ, ସଂଖ୍ୟାଗରିଷ୍ଠତାରୁ ବଞ୍ଚିତ!

January 13, 2026

ଓଡ଼ିଶା@୨୦୩୬ ଠାରୁ ଦୋକାନ ବଜାର ପର୍ଯ୍ୟନ୍ତ: ପିଏମ୍ ଶ୍ରୀ ଉତ୍ସବରେ ଛାତ୍ର ପ୍ରତିଭାର ପ୍ରଦର୍ଶନ

January 13, 2026

ଗୌତମ ଗମ୍ଭୀରଙ୍କ ଉପରେ ପକ୍ଷପାତିତା ଅଭିଯୋଗ: ଆୟୁଷ ବଦୋନିଙ୍କ ଚୟନକୁ ନେଇ ପ୍ରଶ୍ନ

January 13, 2026

ଆଇଚର ଗାଡ଼ିକୁ ପିଟିଲା ଟୁରିଷ୍ଟ ଗାଡି, ୭ ଆହତ, ଜଣେ ଗୁରୁତର

January 13, 2026
Latest News

ବାଲୁଗାଁ: ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର

January 13, 2026

କେନ୍ଦୁଝରରେ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 13, 2026

ଥିରୁବନନ୍ତପୁରମ ନଗର ନିଗମ ଉପନିର୍ବାଚନରେ ବିଜେପି ପରାସ୍ତ, ସଂଖ୍ୟାଗରିଷ୍ଠତାରୁ ବଞ୍ଚିତ!

January 13, 2026

ଓଡ଼ିଶା@୨୦୩୬ ଠାରୁ ଦୋକାନ ବଜାର ପର୍ଯ୍ୟନ୍ତ: ପିଏମ୍ ଶ୍ରୀ ଉତ୍ସବରେ ଛାତ୍ର ପ୍ରତିଭାର ପ୍ରଦର୍ଶନ

January 13, 2026

ଗୌତମ ଗମ୍ଭୀରଙ୍କ ଉପରେ ପକ୍ଷପାତିତା ଅଭିଯୋଗ: ଆୟୁଷ ବଦୋନିଙ୍କ ଚୟନକୁ ନେଇ ପ୍ରଶ୍ନ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.