ଭୁବନେଶ୍ୱର: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବର୍ଗରେ ‘ଲହରୀ’ ପୁରସ୍କୃତ ହୋଇଛି। ଗୁଜରାଟର ଏକତା ନଗରଠାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ‘ଲହରୀ’ ହେଉଛି ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଉଚ୍ଚ ପ୍ରଶଂସିତ ଓଡ଼ିଆ ଚଳଚ୍ଚିତ୍ର। ଚଳଚ୍ଚିତ୍ରଟିକୁ ଓଲିଉଡର ଜଣାଶୁଣା ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା କରିଛନ୍ତି। ଏଥିରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ଦୀପନ୍ୱିତ ଦାଶ ମହାପାତ୍ର ଏବଂ ସ୍ୱସ୍ତିକ ଚୌଧୁରୀଙ୍କ ଭଳି ପ୍ରମୁଖ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଗତ ଜୁଲାଇ ୧୮ ତାରିଖରେ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବର୍ଗରେ ପୁରସ୍କୃତ କରାଯିବା ନେଇ ଘୋଷଣା କରିଥିଲା।
ଏହି ଚଳଚ୍ଚିତ୍ରଟି ଓଡ଼ିଶାର ମାଟି, ପରମ୍ପରା, ଏବଂ ମାନବୀୟ ସମ୍ପର୍କର ଏକ ସୁନ୍ଦର ମିଶ୍ରଣ। ଏହି ଚଳଚ୍ଚିତ୍ରଟି କେବଳ ଓଡ଼ିଶାରେ ନୁହେଁ, ବରଂ “ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ଣ୍ଣ’ (ଓୠୠଗ) ଭଳି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ବେଶ୍ ପ୍ରଶଂସିତ ହୋଇଛି। ଏଥିରେ ଓଡ଼ିଶାର ଗ୍ରାମୀଣ ପରିବେଶ, ବାପା-ପୁଅଙ୍କ ସମ୍ପର୍କର କାହାଣୀ, ବନ୍ଧୁତ୍ୱ ଏବଂ ଗାଁରେ “ଇକୋ-ଟୁରିଜିମ୍’ ମାଧ୍ୟମରେ ଲୋକଙ୍କ ବିକାଶକୁ ଖୁବ୍ ସୁନ୍ଦର ଭାବେ ଦର୍ଶାଯାଇଛି।


