ନୂଆଦିଲ୍ଲୀ, ଭାରତର ପ୍ରଧାନମନ୍ତ୍ରୀ ମହାମହିମ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭର୍ଚୁଆଲ ବ୍ୟବସ୍ଥାରେ ୨୦୨୦ ଡିସେମ୍ବର ୧୭ ତାରିଖରେ ଏକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ। ଏହି ଅବସରରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସଂପର୍କର ସମସ୍ତ ଦିଗ ଉପରେ ପୂର୍ଣ୍ଣାଙ୍ଗ ଓ ସବିଶେଷ ଆଲୋଚନା କରିଥିଲେ । ଏହାଛଡା ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟ ପକ୍ଷ ମଧ୍ୟରେ ମତ ବିନିମୟ ହୋଇଥିଲା।
ଉଭୟ ପ୍ରଧାନମନ୍ତ୍ରୀ ଦୁଇଦେଶ ମଧ୍ୟରେ ଥିବା ବର୍ତ୍ତମାନର ଦ୍ୱିପାକ୍ଷିକ ସଂପର୍କ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଏହି ସଂପର୍କ ଐତିହାସିକ, ସାଂସ୍କୃତିକ, ଭାଷାଗତ ଏବଂ ଅନ୍ୟାନ୍ୟ ଅଦ୍ୱିତୀୟ ସମାନତା ଉପରେ ଗଢି ଉଠି ଅଂଶୀଦାରୀର ବିଶେଷତ୍ୱ ପାଲଟିଛି । ଭାରତ-ବାଂଲାଦେଶ ମଧ୍ୟରେ ଥିବା ସଂପର୍କ ଭ୍ରାତୃତ୍ୱ ଉପରେ ଗଢି ଉଠି ସାର୍ବଭୌମତ୍ୱ, ସମାନତା, ବିଶ୍ୱାସ, ବୁଝାମଣା ଏବଂ ରଣକୌଶଳାତ୍ମକ କ୍ଷେତ୍ରରେ ପ୍ରତିଫଳିତ ହୋଇଛି ବୋଲି ଉଭୟ ନେତା କହିଛନ୍ତି ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ- ବୈଶ୍ୱିକ ସ୍ୱାସ୍ଥ୍ୟ ଆହ୍ୱାନର ମୁକାବିଲା
1- ଭାରତରେ ଯେତେବେଳେ କରୋନା ଟିକା ପ୍ରସ୍ତୁତ ହେବ ବାଂଲାଦେଶକୁ ତାହା ଯୋଗାଇ ଦିଆଯିବ ବୋଲି ମୋଦୀ ଶ୍ରୀମତୀ ହସିନାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
2-ଭାରତ ମଧ୍ୟ ଔଷଧପତ୍ର କ୍ଷେତ୍ରରେ ବାଂଲାଦେଶକୁ ଏହି ଅବସରରେ ସହଯୋଗ କରିବାକୁ ପ୍ରସ୍ତାବ ଦେଇଛି । ବିଶେଷକରି ଟିକା ପ୍ରସ୍ତୁତି କ୍ଷେତ୍ରରେ ବାଂଲାଦେଶ ସହ ଅଂଶୀଦାର ହେବାକୁ ଭାରତ ଆଗ୍ରହ ପ୍ରକାଶ କରିଛି । ବାଂଲା ଭାଷାରେ ଡାକ୍ତରୀ ପାଠ୍ୟକ୍ରମ ପ୍ରସ୍ତୁତି ଓ ପାଠପଢା ସୁବିଧା ଭାରତ ବିକଶିତ କରିଥିବାରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏହା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ସାଂସ୍କୃତିକ ସହଯୋଗ- ଐତିହାସିକ ସଂପର୍କର ମିଳିତ ପରିପାଳନ
1-ଦୁଇ ପ୍ରଧାନମନ୍ତ୍ରୀ ମିଳିତଭାବେ ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ପ୍ରକାଶିତ ସ୍ମାରକ ଡାକଟିକଟକୁ ଉନ୍ମୋଚନ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ସମ୍ମାନାର୍ଥେ ବାଂଲାଦେଶ ସରକାର ଏକ ଟିକଟ ପ୍ରଚଳନ କରିଥିବାରୁ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ଏହି ଡାକଟିକଟ ଗତ ସେପ୍ଟେମ୍ବର ମାସରେ ପ୍ରକାଶ ପାଇଥିଲା ।
2-ବିଂଶ ଶତାବ୍ଦୀର ଦୁଇ ମହାନ୍ ନେତା ମହାତ୍ମା ଗାନ୍ଧୀ ଓ ବଙ୍ଗବନ୍ଧୁଙ୍କ ସ୍ମରଣାର୍ଥେ ଆୟୋଜିତ ଏକ ଡିଜିଟାଲ ପ୍ରଦର୍ଶନୀର ଉଦ୍ଘାଟନୀ ଭିଡିଓ ଏହି ଅବସରରେ ପ୍ରଦର୍ଶିତ ହୋଇଥିଲା । ଏହି ପ୍ରଦର୍ଶନୀ ଭାରତ ଓ ବାଂଲାଦେଶର ପ୍ରମୁଖ ସହର, ଜାତିସଂଘ ସଦର କାର୍ୟ୍ୟାଳୟ ଏବଂ ବିଶ୍ୱର କେତେକ ବଛା ବଛା ନଗରୀରେ ପ୍ରଦର୍ଶିତ ହେବ ବୋଲି ଉଭୟ ଆଶା ପ୍ରକାଶ କରିଛନ୍ତି । ଏହା ହୋଇପାରିଲେ ଲୋକଙ୍କ ମଧ୍ୟରେ ବିଶେଷକରି ଯୁବ ସମାଜରେ ନ୍ୟାୟ, ସମାନତା ଓ ଅହିଂସା ମୂଲ୍ୟବୋଧର ପ୍ରେରଣା ଜାଗ୍ରତ ହେବ ବୋଲି ସେମାନେ ମତ ଦେଇଥିଲେ ।
3-ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମନଙ୍କ ଉପରେ ନିର୍ମିତ ବାୟୋପିକ୍ର ପ୍ରଦର୍ଶନ ଭାରତରେ ୨୦୨୧ ଜାନୁୟାରୀରୁ ଆରମ୍ଭ ହେବ । ଉଭୟ ପକ୍ଷ ଏଥିପାଇଁ ରାଜି ହୋଇଛନ୍ତି । ପ୍ରଖ୍ୟାତ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗାଲଙ୍କ ନିର୍ଦ୍ଦେଶନାରେ ଏହି ବାୟୋପିକ୍ ନିର୍ମିତ ହୋଇଛି ।
4-ଉଭୟ ପକ୍ଷ କହିଛନ୍ତି ଯେ ୨୦୨୧ ଭାରତ-ବାଂଲାଦେଶ ସଂପର୍କ ଐତିହାସିକ ପ୍ରମାଣିତ ହେବ । ଏହି ବର୍ଷ ଉଭୟ ଦେଶ ବାଂଲାଦେଶ ମୁକ୍ତିଯୁଦ୍ଧର ୫୦ତମ ସ୍ମାରକ ଦିବସ ପାଳନ କରିବେ । ଏଥିସହିତ ଦୁଇଦେଶ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନର ୫୦ ବର୍ଷ ମଧ୍ୟ ପାଳନ କରାଯିବ । ଏହି ଦୁଇ ଯୁଗାନ୍ତକାରୀ ଘଟଣାକୁ ସ୍ମରଣ କରିବା ପାଇଁ ଭାରତ ଓ ବାଂଲାଦେଶ ଅନ୍ୟାନ୍ୟ ତୃତୀୟ ପକ୍ଷ ରାଷ୍ଟ୍ରଙ୍କ ସହଯୋଗ ପାଇଁ ରାଜି ହୋଇଛନ୍ତି ।
5-ଭାରତ-ବାଂଲାଦେଶ ସୀମାନ୍ତ ମୁଜିବ ନଗରଠାରୁ ନଦିଆ ଯାଏଁ ଥିବା ଐତିହାସିକ ସଡକର ନାମ ସ୍ୱାଧୀନତା ସଡକ ରଖିବା ପାଇଁ ବାଂଲାଦେଶ ସରକାର ଭାରତକୁ ଯେଉଁ ପ୍ରସ୍ତାବ ଦେଇଥିଲେ ତାହା ବିଚାର କରି ଦେଖିବାକୁ ଶ୍ରୀମତୀ ହସିନା ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଛନ୍ତି । ବାଂଲାଦେଶ ମୁକ୍ତି ସଂଗ୍ରାମ ସମୟରେ ଏହି ସଡକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ମୁକ୍ତିଯୁଦ୍ଧର ୫୦ତମ ବାର୍ଷିକ ପାଳନ ଅବସରରେ ଏହାର ନାମକରଣ ତଦନୁସାରେ କରିବା ଉପଯୁକ୍ତ ହେବ ବୋଲି ସେ କହିଛନ୍ତି ।
6-ଦୁଇଦେଶ ମଧ୍ୟରେ ସାଂସ୍କୃତିକ, ଶୈକ୍ଷିକ, ବିଜ୍ଞାନ, ପ୍ରଯୁକ୍ତି, ଯୁବସେବା, କ୍ରୀଡା ଓ ଗଣମାଧ୍ୟମ ଆଦି କ୍ଷେତ୍ରରେ ସଂପର୍କ ବୃଦ୍ଧି ପାଇଁ ନିୟମିତଭାବେ ଗୋଷ୍ଠୀ ଓ ପ୍ରତିନିଧି ଆଦାନ ପ୍ରଦାନ ଜାରି ରଖିବାକୁ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଛନ୍ତି ।
ସୀମା ପରିଚାଳନା ଓ ନିରାପତ୍ତା ସହଯୋଗ
(୧୨) ସୀମାନ୍ତରେ ଥିବା ଇଛାମତୀ, କାଳିନ୍ଦୀ, ରାୟମଙ୍ଗଳ ଏବଂ ହରିଆଭାଙ୍ଗ ନଦୀର ଦୁଇ ପାଶ୍ୱର୍ରେ ଥିବା ଅଞ୍ଚଳର ପଟ୍ଟି ନକ୍ସା (ଷ୍ଟ୍ରିଟ ମ୍ୟାପ) ପ୍ରସ୍ତୁତ କରିବା ପାଇଁ ଶୀଘ୍ର ଯୁଗ୍ମ ସୀମା ସମ୍ମିଳନୀ ଆୟୋଜନ କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ସୀମାନ୍ତର ମୁଖ୍ୟ ଖୁଣ୍ଟି ୧ଠାରୁ ସ୍ଥଳ ସୀମା ଟର୍ମିନସ ପର୍ୟ୍ୟନ୍ତ ଥିବା ଅଞ୍ଚଳର ଏହି ମାନଚିତ୍ର ପ୍ରସ୍ତୁତ କରାଗଲେ ପୁରୁଣା ଅସ୍ପଷ୍ଟ ସୀମାର ଅବସାନ ଘଟି ନୂଆ ସୀମାରେଖା ଧାର୍ୟ୍ୟ ସହଜ ହୋଇପାରିବ । ସେହିଭଳି କୁସିଆରା ନଦୀ ଯାହା ଏବେ ଆନ୍ତର୍ଜାତିକ ସୀମାରେଖାଭାବେ ବିବେଚିତ ହେଉଛି ତାହାକୁ ଏକ ସ୍ଥାୟୀ ସୀମାରେ ପରିଣତ କରିବା ପାଇଁ ଆବଶ୍ୟକ କାର୍ୟ୍ୟ ଆରମ୍ଭ କରିବାକୁ ଉଭୟ ପକ୍ଷ ମଧ୍ୟ ରାଜି ହୋଇଛନ୍ତି ।
(୧୩) ରାଜସାହି ଜିଲାରେ ପ୍ରବାହିତ ପଦ୍ମା ନଦୀପଥରେ ଏକ ୧.୩ କିମି ଲମ୍ବର ସଂଯୋଗ ପଥ ଖୋଲିବାକୁ ବାଂଲାଦେଶ ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ କାର୍ୟ୍ୟକାରୀ କରିବାକୁ ଏହି ଅବସରରେ ପୁଣି ଦୃଷ୍ଟିଆକର୍ଷଣ କରିଛି । ଏ ସଂପର୍କରେ ବିଚାର କରି ଦେଖାଯିବ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଏହି ସଂଯୋଗ ପଥ ଦେଇ ବାଂଲାଦେଶ ଭାରତୀୟ ଜଳସୀମା ଅତିକ୍ରମ କରି ନିଜର ଦ୍ୱୀପାଞ୍ଚଳକୁ ପହଞ୍ଚିବାର ସୁବିଧା ପାଇବ ।
(୧୪) ତ୍ରିପୁରାଠାରୁ ଆରମ୍ଭ କରି ବାଂଲାଦେଶ-ଭାରତ ମଧ୍ୟରେ ଥିବା ସମସ୍ତ ଆନ୍ତର୍ଜାତିକ ସୀମାରେଖାରେ ବାକି ରହିଥିବା ତାରବାଡ ନିର୍ମାଣ କାର୍ୟ୍ୟ ଯଥାଶୀଘ୍ର ଶେଷ କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ସୀମାନ୍ତରେ ବେସାମରିକ ଲୋକଙ୍କ ଜୀବନହାନି ଏକ ଦୁଃଖଦ ଘଟଣା ବୋଲି ଉଭୟ ପକ୍ଷ ମତ ପ୍ରକାଶ କରିବା ସହ ଏ କ୍ଷେତ୍ରରେ ଅକାରଣେ ସାଧାରଣ ଲୋକଙ୍କୁ ଜୀବନ ହାନି ଯେପରି ନ ଘଟେ ସେଥିପାଇଁ ଉଭୟ ପକ୍ଷ ମଧ୍ୟରେ ସମନ୍ୱୟ ବଢାଇବାକୁ ଦୁଇ ନେତା ରାଜି ହୋଇଛନ୍ତି ।
ଏହାଛଡା ଉଭୟ ନେତା ମଧ୍ୟ ସୀମାନ୍ତକୁ ଉତ୍ତେଜନା ମୁକ୍ତ ରଖିବାକୁ ସମ୍ମତି ପ୍ରକାଶ କରିଛନ୍ତି। ସମନ୍ୱିତ ସୀମା ପରିଚାଳନା ଯୋଜନାକୁ କାର୍ୟ୍ୟକାରୀ କରିବା ପାଇଁ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଥିବାବେଳେ ସୀମାରେ ଅସ୍ତ୍ରଶସ୍ତ୍ର, ମାଦକ ଦ୍ରବ୍ୟ, ନକଲି ଟଙ୍କାର ଚୋରା କାରବାର ତଥା ମହିଳା ଓ ଶିଶୁ ଚାଲାଣ ରୋକିବା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ରାଜି ହୋଇଛନ୍ତି । ଏବେ ସୀମାନ୍ତରେ ଏସବୁ କାର୍ୟ୍ୟ ହ୍ରାସ ପାଇଥିବାରୁ ଉଭୟ ସନ୍ତୋଷ ପ୍ରକାଶ କରିଛନ୍ତି ।
(୧୫) ଉଭୟ ଭାରତ ଓ ବାଂଲାଦେଶ ବାରମ୍ବାର ପ୍ରାକୃତିକ ବିପର୍ୟ୍ୟୟର ସମ୍ମୁଖୀନ ହେଉଥିବାରୁ ବିପର୍ୟ୍ୟୟ ପରିଚାଳନା କ୍ଷେତ୍ରରେ ଦୁଇ ପକ୍ଷ ପରସ୍ପରକୁ ସାହାଯ୍ୟ ସହଯୋଗ କରିବା ପାଇଁ ବୁଝାମଣାପତ୍ରରେ ସ୍ୱାକ୍ଷର କରିବେ। ଏହି ପ୍ରକ୍ରିୟାକୁ ତୁରନ୍ତ ଶେଷ କରିବା ପାଇଁ ଦୁଇପକ୍ଷ ନିଜ ନିଜର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
(୧୬) ଆତଙ୍କବାଦ, ବିଶ୍ୱଶାନ୍ତି ଓ ନିରାପତ୍ତା ପାଇଁ ଏକ ବିପଦ ବୋଲି ଉଭୟ ପକ୍ଷ ଏକମତ ହେବା ସହିତ ଏହାର ମୂଳୋତ୍ପାଟନ ପାଇଁ ମିଳିତଭାବେ କାର୍ଯ୍ୟ କରିବାକୁ ନିଜର ଅଙ୍ଗୀକାର ଦୋହରାଇଛନ୍ତି ।
(୧୭) ଦୁଇଦେଶ ମଧ୍ୟରେ ସାଧାରଣ ଲୋକଙ୍କ ଆତଯାତ ବଢାଇବା ପାଇଁ ପ୍ରବେଶ ପ୍ରସ୍ଥାନ ନୀତିକୁ ସରଳ କରିବାକୁ ଭାରତ-ବାଂଲାଦେଶ ଗୁରୁତ୍ୱାରୋପ କରିଛନ୍ତି । ଭାରତର ଭୂବନ୍ଦରରୁ ବାଂଲାଦେଶକୁ ଯିବା ପାଇଁ ପ୍ରବେଶ-ପ୍ରସ୍ଥାନ କ୍ଷେତ୍ରରେ ଯେଉଁ କଟକଣା ରହିଛି ତାହାକୁ ଉଠାଇ ଦେବାକୁ ବାଂଲାଦେଶ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିପାଇଁ ଭାରତ ପ୍ରତିଶ୍ରୁତି ଦେଇଥିଲା। ଏହା ଫଳରେ ବୈଧ ପାସପୋର୍ଟରେ ଭ୍ରମଣ କରୁଥିବା ବାଂଲାଦେଶୀ ନାଗରିକ ବିଶେଷ ଉପକୃତ ହେବେ। ତ୍ରିପୁରାର ଅଖଉଡା ଓ ପଶ୍ଚିମବଂଗର ଘୋଜଡଙ୍ଗା ସୀମାନ୍ତ ଚେକ୍ପୋଷ୍ଟରେ ଏହି ବ୍ୟବସ୍ଥା ଶୀଘ୍ର କାର୍ୟ୍ୟକାରୀ କରିବାକୁ ବାଂଲାଦେଶ ପ୍ରସ୍ତାବ ଦେଇଛି ।
ଅଭିବୃଦ୍ଧି ପାଇଁ ବାଣିଜ୍ୟ ଅଂଶୀଦାର
(୧୮) ସାଫ୍ଟା ଚୁକ୍ତି ଅନୁସାରେ ୨୦୧୧ରୁ ଭାରତ ପକ୍ଷରୁ ବାଂଲାଦେଶୀ ସାମଗ୍ରୀକୁ ଭାରତରେ ବିନା ଶୁଳ୍କ ଓ ପରିମାଣ (କୋଟା)ରେ ପ୍ରବେଶ ପାଇଁ ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶେଖ ହସିନା ସେହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ବାଣିଜ୍ୟ କାରବାର କ୍ଷେତ୍ରରେ ଯେଉଁସବୁ କଟକଣା ଓ ଜଟିଳତା ରହିଛି ତାହାକୁ ତୁରନ୍ତ ସମାଧାନ କରିବାକୁ ଉଭୟ ନେତା ରାଜି ହୋଇଛନ୍ତି । ଏହା ଫଳରେ ସାଫ୍ଟା ଚୁକ୍ତି ଅନୁସାରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଆହୁରି ବୃଦ୍ଧି ପାଇବ ।
ବାଂଲାଦେଶ ପକ୍ଷରୁ ଏହି ଅବସରରେ କୁହାଯାଇଛି ଯେ ଭାରତର ଅତ୍ୟାବଶ୍ୟକ ସାମଗ୍ରୀ ବାଂଲାଦେଶ ବଜାରରେ ପହଞ୍ଚିବା ପରେ ଘରୋଇ ବଜାର ପ୍ରଭାବିତ ହେଉଛି । ଅତଏବ ଭାରତର ରପ୍ତାନୀ-ଆମଦାନୀ ନୀତିରେ କୌଣସି ସଂଶୋଧନ ପୂର୍ବରୁ ଭାରତ ସରକାର ଏ ବିଷୟରେ ବାଂଲାଦେଶକୁ ଆଗୁଆ ଜଣାଇଲେ ଭଲ ହେବ ବୋଲି ବାଂଲାଦେଶ ପକ୍ଷରୁ କୁହାଯାଇଛି । ଏହି ଅନୁରୋଧକୁ ବିଚାର କରି ଦେଖାଯିବ ବୋଲି ଭାରତ କହିଛି ।
(୧୯) ଉଭୟ ନେତା କରୋନା ମହାମାରୀ କାଳରେ ଦୁଇଦେଶ ମଧ୍ୟରେ ସାମଗ୍ରୀର ନିରନ୍ତର ପରିବହନ ପାଇଁ ବାଣିଜ୍ୟ ଓ ରେଳବାଇ ଅଧିକାରୀଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି । ରେଳପଥରେ ଉଭୟ ଦେଶ ମଧ୍ୟରେ ଏହି ସମୟରେ ସାମଗ୍ରୀର ପରିବହନ ବେଶ୍ ଉତ୍ତମ ଥିଲା ।
(୨୦) ଦୁଇପକ୍ଷର ଆର୍ଥିକ ଓ ବ୍ୟାବସାୟିକ ଦକ୍ଷତାକୁ ସ୍ୱୀକାର କରି ଉଭୟ ପ୍ରଧାନମନ୍ତ୍ରୀ ନିଜ ନିଜ ଦେଶର ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଅଧିକ ନିବିଡତା ରକ୍ଷା ପାଇଁ ପରାମର୍ଶ ଦେଇଛନ୍ତି । ପୂର୍ଣ୍ଣାଙ୍ଗ ଅର୍ଥନୈତିକ ଅଂଶୀଦାରୀ ସହଯୋଗ ବା ସେପା ଚୁକ୍ତି ତୁରନ୍ତ ସ୍ୱାକ୍ଷର କରିବା ସହ ଦୁଇ ପକ୍ଷ ମଧ୍ୟରେ ଆର୍ଥିକ ଓ ବାଣିଜ୍ୟିକ ସହଯୋଗକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି ।
(୨୧) ଚଳିତବର୍ଷ ଦୁଇ ଦେଶର ବୟନ ଉଦ୍ୟୋଗର ଯେଉଁ ପ୍ରଥମ ବୈଠକ ବସିଥିଲା ସେ ନେଇ ଉଭୟ ପକ୍ଷ ସନ୍ତୋଷ ପ୍ରକାଶ କରିବା ସହ ଏ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବଢାଇବାକୁ ରାଜି ହୋଇଛନ୍ତି । ଏଥିପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ଦୁଇ ପ୍ରଧାନମନ୍ତ୍ରୀ ନିଜ ନିଜର ଅଧିକାରୀମାନଙ୍କୁ କହିଛନ୍ତି । ବାଂଲାଦେଶରୁ ଭାରତକୁ ଆସୁଥିବା ଝୋଟଜାତ ପଦାର୍ଥ ଉପରେ ପ୍ରତିପାତି କର ଓ ଟିକସ ନ ଲଗାଇବା ପାଇଁ ଢାକା ପକ୍ଷରୁ ଯେଉଁ ଅନୁରୋଧ କରାଯାଇଛି ତାହାକୁ ଶୀଘ୍ର ବିଚାର କରି ଦେଖାଯିବ ବୋଲି ଭାରତ ପ୍ରତିଶ୍ରୁତି ଦେଇଛି ।
ସମୃଦ୍ଧି ପାଇଁ ସଂଯୋଗ
(୨୨) ୧୯୬୫ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଯେଉଁ ରେଳ ସଂଯୋଗ ବ୍ୟବସ୍ଥା ଥିଲା ତାହାର ପୁନରୁଦ୍ଧାର ପାଇଁ ଚାଲିଥିବା ଉଦ୍ୟମରେ ଦୁଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଅବସରରେ ଉଭୟ ମିଳିତଭାବେ ଭାରତର ହଳଦୀବାଡି ଏବଂ ବାଂଲାଦେଶର ଚିଲହାଟି ମଧ୍ୟରେ ନୂଆକରି ପୁନରୁଦ୍ଧାର ହୋଇଥିବା ରେଳ ସଂଯୋଗ ବ୍ୟବସ୍ଥାକୁ ଉଦ୍ଘାଟନ କରିଥିଲେ । ଏହି ରେଳ ସଂଯୋଗ ବ୍ୟବସ୍ଥା ଫଳରେ ଲୋକଙ୍କ ଆତଯାତ ଓ ମାଲ ପରିବହନ ବ୍ୟବସ୍ଥା ତ୍ୱରାନ୍ୱିତ ହୋଇପାରିବ ଏବଂ ତଦ୍ଜନିତ ସଂପର୍କ ବଢିବ । କରୋନା ପରିସ୍ଥିତିରେ ଉନ୍ନତି ଆସିବା ମାତ୍ରେ ଏହି ପଥ ଦେଇ ରେଳ ଚଳାଚଳ କରିବ ।
(୨୩) ଦୁଇ ପ୍ରଧାନମନ୍ତ୍ରୀ ଏହି ଅବସରରେ ଦ୍ୱିପାକ୍ଷିକ ସଂଯୋଗ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସେମାନେ ମଧ୍ୟ ଅନ୍ତର୍ଦ୍ଦେଶୀୟ ଜଳ ପରିବହନ ଓ ବାଣିଜ୍ୟ ଚୁକ୍ତିର ସଂଶୋଧନକୁ ସ୍ୱାଗତ କରିଛନ୍ତି । ଏହା ଫଳରେ କଲକାତା ବନ୍ଦରରୁ ଭାରତୀୟ ସାମଗ୍ରୀ ବାଂଲାଦେଶର ଚଟଗ୍ରାମ ବନ୍ଦର ଦେଇ ଜଳପଥରେ ଅଗରତଲାରେ ପହଞ୍ଚିପାରିବ । ଏଥିପାଇଁ ସ୍ୱନାମୁରା-ଦାଉତକାଣ୍ଡି ଜଳପଥକୁ କାର୍ୟ୍ୟକ୍ଷମ କରାଯାଇଛି । ଏହା ପ୍ରୋଟୋକଲ ରୁଟ୍ ନାମରେ ପରିଚିତ । ଚଟଗ୍ରାମ ସହିତ ମଙ୍ଗଳା ବନ୍ଦର ଦେଇ ଭାରତୀୟ ସାମଗ୍ରୀ ତ୍ରିପୁରାକୁ ପଠାଇବା କାର୍ୟ୍ୟ ତ୍ୱରାନ୍ୱିତ କରିବାକୁ ଦୁଇ ପକ୍ଷ ରାଜି ହୋଇଛନ୍ତି ।
(୨୪) ଉଭୟ ପକ୍ଷ ବିବିଆଇଏନ୍ ମୋଟର ଯାନ ଚୁକ୍ତିକୁ ଶୀଘ୍ର କାର୍ୟ୍ୟକାରୀ କରିବାକୁ ରାଜି ହୋଇ ଏ ସଂକ୍ରାନ୍ତରେ ଏକ ବୁଝାମଣାପତ୍ର ନେପାଳ ସହ ମିଶି ସ୍ୱାକ୍ଷର କରିବାକୁ ଏକମତ ହୋଇଛନ୍ତି । ଆବଶ୍ୟକ ପଡିଲେ ଭୁଟାନକୁ ଏଥିରେ ପରେ ସାମିଲ କରିବାକୁ ପ୍ରସ୍ତାବ ରହିବ। ଏହା ଫଳରେ ଦକ୍ଷିଣ ଏସିଆର ଏହି ୪ଟି ଦେଶ ମଧ୍ୟରେ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ଏବଂ ସାମଗ୍ରୀର ପରିବହନ ଓ ଲୋକ ଆତଯାତ ବ୍ୟବସ୍ଥା ସହଜ ହୋଇପାରିବ ।
(୨୫) ଏବେ ଭାରତ, ମିଆଁମାର ଓ ଥାଇଲାଣ୍ଡ ମିଶି ଯେଉଁ ତ୍ରିପାକ୍ଷିକ ରାଜପଥ ପ୍ରକଳ୍ପ କାର୍ୟ୍ୟକାରୀ କରିବାକୁ ଉଦ୍ୟମ କରୁଛନ୍ତି ସେଥିପ୍ରତି ବାଂଲାଦେଶ ପ୍ରଧାନମନ୍ତ୍ରୀ ବିଶେଷ ଆଗ୍ରହ ଦେଖାଇଛନ୍ତି । ବାଂଲାଦେଶକୁ ଏହି ପ୍ରକଳ୍ପରେ ସାମିଲ କରିବା ପାଇଁ ସେ ଭାରତର ସହଯୋଗ ଲୋଡିଛନ୍ତି ।
ଏହା ଫଳରେ ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଏସିଆରେ ସଡକ ଯୋଗଯୋଗ ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ସେ କହିଛନ୍ତି । ଭାରତ ମଧ୍ୟ ଏହି ଅବସରରେ ପଶ୍ଚିମବଂଗର ହିଲ୍ଲିଠାରୁ ମେଘାଳୟର ମହିନ୍ଦ୍ରଗଞ୍ଜକୁ ବାଂଲାଦେଶ ଦେଇ ସଡକ ସଂପର୍କ ସ୍ଥାପନ କରିବା ପାଇଁ ଅନୁମତି ଦେବାକୁ ଶେଖ୍ ହସିନାଙ୍କ ଦୃଷ୍ଟି ଆକର୍ଷଣ କରିଛି ।
(୨୬) ଭାରତ ମଧ୍ୟ ସୀମାନ୍ତରେ ସର୍ବନିମ୍ନ ଶୁଳ୍କ ବ୍ୟବସ୍ଥା ଥିବା ଗୋଟିଏ ଲେଖାଏଁ ଲ୍ୟାଣ୍ଡପୋର୍ଟ ବା ଭୂବନ୍ଦର ସ୍ଥାପନ ଉପରେ ଗୁରୁତ୍ୱ ଦେଇଛି । ଏହାଦ୍ୱାରା ଉଭୟ ପକ୍ଷ ଉପକୃତ ହୋଇପାରିବେ ବୋଲି ଭାରତ କହିଛି । ପ୍ରଥମେ ଏହି ବ୍ୟବସ୍ଥା ଅଗରତାଲା ଓ ଅଖଉଡା ସେକ୍ଟରରେ ଆରମ୍ଭ କରିବାକୁ ଭାରତ ପ୍ରସ୍ତାବ ଦେଇଛି । ଏହି ପରିପ୍ରେକ୍ଷୀରେ ବାଂଲାଦେଶ ପକ୍ଷରୁ କୁହାଯାଇଛି ଯେ ଫେଣି ସେତୁର ନିର୍ମାଣ କାର୍ୟ୍ୟ ଶେଷ ହେଲେ ଚଟଗ୍ରାମ ବନ୍ଦରରୁ ବାଂଲାଦେଶୀ ଟ୍ରକ ଭାରତର ଉତ୍ତର ପୂର୍ବାଞ୍ଚଳକୁ ସୁବିଧାରେ ସାମଗ୍ରୀ ପରିବହନ କରିପାରିବେ ।
(୨୭) ଦୁଇଦେଶ ମଧ୍ୟରେ ସଂପର୍କ ଓ ଅଂଶୀଦାରୀ ବେଶ୍ ଉତ୍ତମ ରହିଛି ବୋଲି ଉଭୟ ପକ୍ଷ ସ୍ୱୀକାର କରିଛନ୍ତି । ଦୁଇଦେଶ ମଧ୍ୟରେ ନିକଟରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ ଅର୍ଥନୈତିକ ମନିଟରିଂ କମିଟିକୁ କାର୍ୟ୍ୟକ୍ଷମ କରିବାକୁ ଉଭୟ ପକ୍ଷ ଗୁରୁତ୍ୱ ଦେଇଛନ୍ତି । ଢାକାରେ ଥିବା ଭାରତର ଉଚ୍ଚାୟୁକ୍ତ ଏଥିପାଇଁ ବାଂଲାଦେଶର ଆର୍ଥିକ ସଂପର୍କ ବିଭାଗର ସଚିବଙ୍କ ସହିତ ନିୟମିତ ଯୋଗାଯୋଗରେ ରହି ଏଲ୍ଓସି ପ୍ରକଳ୍ପର ନିର୍ମାଣ କାର୍ୟ୍ୟ ଶୀଘ୍ର ଶେଷ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।
(୨୮) କରୋନା ମହାମାରୀ ସମୟରେ ଦୁଇ ଦେଶ ମଧ୍ୟରେ ବିମାନଯାତ୍ରାକୁ ସୁଗମ କରିବା ପାଇଁ ଯେଉଁ ସୁବିଧା ସୃଷ୍ଟି ହୋଇଥିଲା ତାହାର କାର୍ୟ୍ୟକାରିତା ନେଇ ଉଭୟ ପକ୍ଷ ସନ୍ତୋଷ ପ୍ରକାଶ କରିଛନ୍ତି । ଲ୍ୟାଣ୍ଡପୋର୍ଟ ବା ଭୂବନ୍ଦର ମାଧ୍ୟମରେ ନିୟମିତ ଯାତ୍ରୀସେବା ଆରମ୍ଭ କରିବାକୁ ଏହି ଅବସରରେ ବାଂଲାଦେଶ ଭାରତକୁ ଅନୁରୋଧ କରିଛି ।
ଜଳସଂପଦ, ଶକ୍ତି ଓ ଉର୍ଜ୍ଜା କ୍ଷେତ୍ରରେ ସହଯୋଗ
(୨୯) ଏହି ବୈଠକ ଅବସରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତୀସ୍ତା ନଦୀର ଜଳ ବଣ୍ଟନ ପାଇଁ ତୁରନ୍ତ ଏକ ଅନ୍ତରୀଣ ରାଜିନାମା ସ୍ୱାକ୍ଷର ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଜଳ ବଣ୍ଟନ ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିବାକୁ ଦୁଇଦେଶ ୨୦୧୧ରେ ରାଜି ହୋଇଥିଲେ । ଭାରତ ଏ ଦିଗରେ କାର୍ୟ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
(୩୦) ଦୁଇ ନେତା ଦୁଇ ଦେଶରେ ପ୍ରବାହିତ ମନୁ, ମହୁରୀ, ଖୋଆଇ, ଗୋମତୀ, ଢର୍ଲା ଓ ଦୁଧ୍କୁମାର ନଦୀର ଜଳ ବଣ୍ଟନ ପାଇଁ ଶୀଘ୍ର ଚୁକ୍ତି ସ୍ୱାକ୍ଷର କରିବାକୁ ଏକମତ ହୋଇଛନ୍ତି ।
(୩୧) କୁସିଆରା ନଦୀର ପାଣିକୁ ଜଳସେଚନ ପାଇଁ ବ୍ୟବହାର କରିବା ନିମନ୍ତେ ବାଂଲାଦେଶ ରହିମପୁର ଖାଲ ଅଞ୍ଚଳରେ ଯେଉଁ ଖନନ କାର୍ୟ୍ୟ କରୁଥିଲା ତାହାକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଅନୁରୋଧ କରିଛି । ଭାରତୀୟ ସୀମା କର୍ତ୍ତୃପକ୍ଷଙ୍କ ଆପତ୍ତିକ୍ରମେ ଏହି ଖନନ କାର୍ୟ୍ୟ ବନ୍ଦ ରହିଛି । ଆହୁରି ମଧ୍ୟ ତିରୋଟ ସମୟରେ କୁସିଆରା ନଦୀର ଜଳ ଭାରତ ପଟକୁ ଚାଲି ଆସୁଥିବାରୁ ବାଂଲାଦେଶରେ ଯେଉଁ ଜଳାଭାବ ସୃଷ୍ଟି ହେଉଛି ତାହାର ମିଳିତ ଅନୁଧ୍ୟାନ କରିବା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ବାଂଲାଦେଶ ପକ୍ଷରୁ ଅନୁରୋଧ କରାଯାଇଛି । ଯୁଗ୍ମ ନଦୀ କମିସନ ପକ୍ଷରୁ ନଦୀଜଳ ବଣ୍ଟନ ଏବଂ ଅନ୍ୟାନ୍ୟ ବିବାଦୀୟ ବିଷୟର ସମାଧାନ ପାଇଁ ଯେଉଁ ଉଦ୍ୟମ ଚାଲିଛି ସେ ନେଇ ଉଭୟ ପକ୍ଷ ସନ୍ତୋଷ ପ୍ରକାଶ କରିଛନ୍ତି । ଖୁବ୍ ଶୀଘ୍ର କମିସନର ଏକ ବୈଠକ ଡାକିବା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି ।
(୩୨) ଶକ୍ତି ଓ ଉର୍ଜ୍ଜା କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ଯେଉଁ ବ୍ୟାପକ ସହଯୋଗ ରହିଛି ସେ ନେଇ ଉଭୟ ପକ୍ଷ ସନ୍ତୋଷ ପ୍ରକାଶ କରିଛନ୍ତି । ଭାରତ-ବାଂଲାଦେଶ ମୈତ୍ରୀ ପାଇପ ଲାଇନ, ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ ସମେତ ଅନ୍ୟାନ୍ୟ ଦ୍ୱିପାକ୍ଷିକ ସହଯୋଗଭିତ୍ତିକ ପ୍ରକଳ୍ପଗୁଡିକର ନିର୍ମାଣ ତୁରନ୍ତ ଶେଷ କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ତରଳ ଇନ୍ଧନ କ୍ଷେତ୍ରରେ ଦୁଇଦେଶ ସହଯୋଗକୁ ଆହୁରି ନିବିଡ କରିବେ ଏବଂ ଏ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ କରିବା ପାଇଁ ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେବେ ।
ଏହାଛଡା ଟେକ୍ନୋଲଜିର ଆଦାନ ପ୍ରଦାନ, ମିଳିତ ଅଧ୍ୟୟନ, ତାଲିମ ଆଦି କ୍ଷେତ୍ରରେ ଥିବା ସଂପର୍କକୁ ବଢାଇବାକୁ ଦୁଇପକ୍ଷ ରାଜି ହୋଇଛନ୍ତି । ଇନ୍ଧନ ଓ ଦକ୍ଷତା ବୃଦ୍ଧି, ସ୍ୱଚ୍ଛ ଇନ୍ଧନ ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ଦୁଇପକ୍ଷ ସହଯୋଗ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି । ପ୍ରଦୂଷଣମୁକ୍ତ, ସ୍ୱଚ୍ଛ, ପୁନଃବ୍ୟବହାରକ୍ଷମ ଉର୍ଜ୍ଜାକୁ ଉଭୟ ଦେଶ ଗୁରୁତ୍ୱ ଦେଇ ନେପାଳ ଓ ଭୁଟାନ ସହ ଏ କ୍ଷେତ୍ରରେ କାର୍ୟ୍ୟ କରିବାକୁ ରାଜି ହୋଇଛନ୍ତି । ବିଦ୍ୟୁତ୍ କ୍ଷେତ୍ରରେ ମଧ୍ୟ ଦୁଇଦେଶ ସହଯୋଗ ବୃଦ୍ଧି କରିବାକୁ ସମ୍ମତି ପ୍ରକାଶ କରିଛନ୍ତି ।
ମିଆଁମାରରୁ ବିତାଡିତ ହୋଇଥିବା ଲୋକଙ୍କ ସମସ୍ୟା
(୩୩) ମିଆଁମାରର ରାଖାଇନ ପ୍ରଦେଶରୁ ବଳପୂର୍ବକ ବିତାଡିତ ହୋଇଥିବା ପ୍ରାୟ ୧.୧ ନିୟୁତ ଲୋକଙ୍କୁ ବାଂଲାଦେଶ ଆଶ୍ରୟ ଦେଇ ଯେଉଁ ମାନବୀୟ ସହାୟତା ଯୋଗାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାହାର ଉଚ୍ଚପ୍ରଶଂସା କରିଛନ୍ତି । ଏହି ଲୋକଙ୍କ ନିରାପଦ, ତ୍ୱରିତ ଓ ସ୍ଥାୟୀ ପ୍ରତ୍ୟାବର୍ତ୍ତନ ଉପରେ ଉଭୟ ପ୍ରଧାନମନ୍ତ୍ରୀ ଜୋର୍ ଦେଇଛନ୍ତି । ଇତିମଧ୍ୟରେ ଭାରତ ମିଳିତ ଜାତିସଂଘର ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟଭାବେ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଶ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିତାଡିତ ହୋଇଥିବା ରୋହିଙ୍ଗ୍ୟାମାନଙ୍କୁ ମିଆଁମାର ପ୍ରତ୍ୟାବର୍ତ୍ତନ କାର୍ୟ୍ୟରେ ସେ ଭାରତର ସହାୟତା କାମନା କରିଛନ୍ତି ।
ଅଞ୍ଚଳ ଓ ବିଶ୍ୱରେ ଅଂଶୀଦାରୀ
(୩୪) ଜାତିସଂଘ ନିରାପତ୍ତା ପରିଷଦର ସଭ୍ୟଭାବେ ଭାରତକୁ ନିର୍ବାଚିତ କରାଇବାରେ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜାତିସଂଘ ନିରାପତ୍ତା ପରିଷଦରେ ଶୀଘ୍ର ସଂସ୍କାର ଆଣିବା ପାଇଁ ଦୁଇ ଦେଶ ମିଳିତଭାବେ କାର୍ୟ୍ୟ କରିବାକୁ ରାଜି ହୋଇଛନ୍ତି ।
ଏହାଛଡା ଜଳବାୟୁ ପରିବର୍ତ୍ତନର ମୁକାବିଲା, ନିରନ୍ତର ବିକାଶ ଲକ୍ଷ୍ୟ ହାସଲ, ଦେଶାନ୍ତରୀ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ମଧ୍ୟ ଦୁଇଦେଶ ମିଳିତଭାବେ କାର୍ୟ୍ୟ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି । ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ ପୂରଣ ପାଇଁ ଜାତିସଂଘ ପକ୍ଷରୁ ଯେଉଁ ଲକ୍ଷ୍ୟଧାର୍ୟ୍ୟ କରାଯାଇଛି ତାହାକୁ ସାକାର କରିବା ନିମନ୍ତେ ଉଭୟ ନେତା ମିଳିମିଶି କାମ କରିବାକୁ ବିଶ୍ୱ ସମୁଦାୟକୁ ଆହ୍ୱାନ ଜଣାଇଛନ୍ତି ।
(୩୫) ଉଭୟ ନେତା କରୋନା ପରବର୍ତ୍ତୀ ଆଞ୍ଚଳିକ ଓ ବିଶ୍ୱ ଅର୍ଥନୈତିକ ସ୍ଥିତି ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଏଭଳି ସ୍ଥିତିରେ ସାର୍କ ଓ ବିମ୍ଷ୍ଟେକ୍ ଭଳି ଆଞ୍ଚଳିକ ସଂଗଠନଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଉଭୟ ନେତା କହିଛନ୍ତି । କରୋନା ସଂକ୍ରମଣ ଆରମ୍ଭ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ସାର୍କ ନେତାମାନଙ୍କର ଏକ ସମ୍ମିଳନୀ ଆୟୋଜନ କରି ଯେଉଁ ତତ୍ପରତା ପ୍ରକାଶ କରିଥିଲେ ସେଥିପାଇଁ ତାଙ୍କୁ ଶ୍ରୀମତୀ ହସିନା ଧନ୍ୟବାଦ ଜଣାଇଛନ୍ତି ।
ମହାମାରୀ ଭଳି ସ୍ଥିତିର ମୁକାବିଲା ନେଇ ସାର୍କ ପକ୍ଷରୁ ଏକ ଜରୁରୀକାଳୀନ କାର୍ୟ୍ୟାନୁଷ୍ଠାନ ପାଣ୍ଠି ସୃଷ୍ଟି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ସେ ମଧ୍ୟ ସାର୍କ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖିଛନ୍ତି । ବାଂଲାଦେଶ ୨୦୨୧ରେ ଆଇଓଆରଏର ଅଧ୍ୟକ୍ଷ ପଦ ଗ୍ରହଣ କରିବ । ସାମୁଦ୍ରିକ ନିରାପତ୍ତା ଓ ସୁରକ୍ଷା କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ଶ୍ରୀମତୀ ହସିନା ଏହି ଅବସରରେ ଭାରତର ସହାୟତା ଓ ସମର୍ଥନ ଲୋଡିଛନ୍ତି ।
(୩୬) ନ୍ୟୁ ଡେଭଲପ୍ମେଣ୍ଟ ବ୍ୟାଙ୍କର କାର୍ୟ୍ୟକୁ ପ୍ରଧାନମନ୍ତ୍ରୀ ଶ୍ରୀମତୀ ହସିନା ପ୍ରଶଂସା କରିଛନ୍ତି । ଏହି ପ୍ରତିଷ୍ଠାନରେ ଯୋଗ ଦେବା ପାଇଁ ଭାରତ ବାଂଲାଦେଶକୁ ଅନୁରୋଧ କରିଥିବାରୁ ସେ ଏଥିପାଇଁ ସାଧୁବାଦ ଜ୍ଞାପନ କରିଛନ୍ତି । ଭିତ୍ତିଭୂମି ବିକାଶ ସମେତ ବିଭିନ୍ନ କ୍ଷେତ୍ରରେ ଏହି ବ୍ୟାଙ୍କ ଭଲ କାମ କରୁଛି ବୋଲି ସେ କହିବା ସହିତ ଏଥିରେ ତାଙ୍କ ଦେଶ ସାମିଲ ହେବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ।
ଦ୍ୱିପାକ୍ଷିକ ନଥି ସ୍ୱାକ୍ଷର ଏବଂ ପ୍ରକଳ୍ପ ଉଦ୍ଘାଟନ
(୩୭) ଏହି ଅବସରରେ ନିମ୍ନଲିଖିତ ଦ୍ୱିପାକ୍ଷିକ ନଥି ସ୍ୱାକ୍ଷରିତ ହୋଇଛି । ସେଗୁଡିକ ହେଲା-
ତରଳ ଇନ୍ଧନ କ୍ଷେତ୍ରରେ ସହଯୋଗ ପାଇଁ ଭିତ୍ତିଭୂମି ବୁଝାମଣା।
ଦୁଇଦେଶ ସୀମାନ୍ତରେ ଆତଯାତ କରୁଥିବା ହାତୀଙ୍କ ସଂରକ୍ଷଣ ପାଇଁ ବୁଝାମଣାପତ୍ର ।
ବାଂଲାଦେଶରେ ଉଚ୍ଚ ପ୍ରଭାବଶାଳୀ ଗୋଷ୍ଠୀଗତ ବିକାଶ ପ୍ରକଳ୍ପ ପାଇଁ ଭାରତୀୟ ଅନୁଦାନ ଯୋଗାଣ ସଂକ୍ରାନ୍ତ ବୁଝାମଣାପତ୍ର ।
ବରିସାଲ ନଗର ନିଗମର କଠିନ ବର୍ଜ୍ୟ ଓ ଆବର୍ଜନା ପରିଚାଳନା ପାଇଁ ଯନ୍ତ୍ରପାତି ଯୋଗାଣ ସଂକ୍ରାନ୍ତ ବୁଝାମଣାପତ୍ର ।
ଭାରତ-ବାଂଲାଦେଶ ସିଇଓ ଫୋରମ ବିଷୟକ ସର୍ତ୍ତାବଳୀ ।
ଢାକା ସ୍ଥିତ ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମାନ ମେମୋରିଆଲ ମ୍ୟୁଜିୟମ ଏବଂ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ମ୍ୟୁଜିୟମ ମଧ୍ୟରେ ବୁଝାମଣାପତ୍ର ।
କୃଷି କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର ।
ଏହି ଅବସରରେ ମଧ୍ୟ ନିମ୍ନଲିଖିତ ବିକାଶ ପ୍ରକଳ୍ପଗୁଡିକ ଉଦ୍ଘାଟିତ ହୋଇଛି ।
ରାଜସାହି ସହରର ସୌନ୍ଦର୍ୟ୍ୟକରଣ ଏବଂ ବିକାଶ ପ୍ରକଳ୍ପ ।
ଖୁଲ୍ନାର ଖାଲିସ୍ପୁର କଲିଜିଏଟ ଗାର୍ଲସ ସ୍କୁଲ ଗୃହ ନିର୍ମାଣ ।
(୩୮) ଉଭୟ ପ୍ରଧାନମନ୍ତ୍ରୀ ଏହି ଅଭିନବ ବ୍ୟବସ୍ଥାର ଶିଖର ବାର୍ତ୍ତା ପାଇଁ ପରସ୍ପରକୁ ଧନ୍ୟବାଦ ଦେଇଛନ୍ତି । କାରଣ ଏବେ କରୋନା ଯୋଗୁଁ ଭର୍ଚୁଆଲ ବ୍ୟବସ୍ଥା ଯୋଗାଯୋଗର ସାଧାରଣ ଓ ସ୍ୱାଭାବିକ ମାର୍ଗ ପାଲଟିଛି ।
(୩୯) ବାଂଲାଦେଶର ସ୍ୱାଧୀନତା ଓ ଦୁଇଦେଶ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନର ୫୦ ବର୍ଷ ପୂର୍ତ୍ତି ଅବସରରେ ଢାକାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୧ ମାର୍ଚ୍ଚରେ ଯୋଗଦେବେ । ମୋଦୀ ବାଂଲାଦେଶର ଏହି ନିମନ୍ତ୍ରଣକୁ ରକ୍ଷା କରିଥିବାରୁ ତାଙ୍କୁ ଶ୍ରୀମତୀ ହସିନା ଧନ୍ୟବାଦ ଜ୍ଞାପନ କରିଛନ୍ତି ।