କରୋନା ଅପଡେଟ : ଭାରତର ସକ୍ରିୟ ମାମଲା ୩ ଲକ୍ଷ ତଳେ , ୧୬୩ ଦିନରେ ସର୍ବନିମ୍ନ

Published: Dec 22, 2020, 11:55 pm IST

ନୂଆଦିଲ୍ଲୀ, ବିଶ୍ୱ ମହାମାରୀ ବିରୋଧି ଲଢେଇରେ ଆଜି ଭାରତ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଭାରତର ସକ୍ରିୟ ମାମଲା ଆଜି ୩ ଲକ୍ଷ (୨,୯୨,୫୧୮) ତଳକୁ ଖସି ଆସିଛି । ମୋଟ ପଜିଟିଭ ମାମଲା ମଧ୍ୟରୁ ସକ୍ରିୟ ମାମଲାର ହାର ୩% କମ ୨.୯୦% କୁ ହ୍ରାସ ପାଇଛି । ୧୬୩ ଦିନ ପରେ ଏହା ସର୍ବନିମ୍ନ ଥିବା ଜଣାପଡିଛି । ୧୨ ଜୁଲାଇ, ୨୦୨୦ ରେ ମୋଟ ସକ୍ରିୟ ମାମଲା ୨,୯୨,୨୫୮ ଥିଲା ।

ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲା ମଧ୍ୟରୁ ୧୧,୧୨୧ ମାମଲା ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ଦୈନିକ ମାମଲା କ୍ଷେତ୍ରରେ ଭାରତ ଏକ ନୂତନ ସର୍ବନିମ୍ନ ମାଇଖୁଣ୍ଟ ହାସଲ କରିଛି । ୧୭୩ ଦିନ ପରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦,୦୦୦ ରୁ କମ ଦୈନିକ ନୂତନ ମାମଲା (୧୯,୫୫୬) ଜାତୀୟ ସ୍ତରରେ ଚିହ୍ନଟ କରାଯାଇଛି । ଏଥିପୂର୍ବରୁ ଜୁଲାଇ ୨, ୨୦୨୦ ରେ ଦୈନିକ ମାମଲା ସଂଖ୍ୟା ୧୯,୧୪୮ ଥିଲା ।

ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଭାରତର ସକ୍ରିୟ ମାମଲା ସଂଖ୍ୟା ୨୧୯ ଯାହାକି ବିଶ୍ୱର ସର୍ବନିମ୍ନ ସ୍ତରରେ ରହିଛି । ଆମେରିକା, ଇଟାଲୀ, ବ୍ରାଜିଲ, ତୁର୍କୀ ଏବଂ ରୁଷ ଭଳି ଦେଶଗୁଡିକରେ ସକ୍ରିୟ ମାମଲା ସଂଖ୍ୟା ବହୁତ ଅଧିକ । ସମୁଦାୟ ସୁସ୍ଥ ମାମଲା ୯୬ ଲକ୍ଷ (୯୬,୩୬,୪୮୭) ଅତିକ୍ରମ କରିଛି ଯାହା ଆରୋଗ୍ୟ ହାରକୁ ୯୫.୬୫ ପ୍ରତିଶତରେ ପହଞ୍ଚାଇଛି । ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ଏବଂ ବର୍ତ୍ତମାନ ଏହି ବ୍ୟବଧାନ ୯୩,୪୩,୯୬୯ ରେ ସ୍ଥିର ହୋଇ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୩୦,୩୭୬ ଜଣ ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୫ ଦିନରେ କ୍ରମାଗତ ଭାବେ ନୂତନ ଆରୋଗ୍ୟଙ୍କ ସଂଖ୍ୟା ନୂତନ ସକ୍ରିୟ ମାମଲାକୁ ଅତିକ୍ରମ କରିଆସୁଛି । ପ୍ରତିଦିନ ଉଚ୍ଚ ସ୍ତରୀୟ ପରୀକ୍ଷଣ, ଅଧିକ ସଂଖ୍ୟକ ସୁସ୍ଥତା ସହିତ କ୍ରମାଗତ ଭାବରେ ହ୍ରାସ ପାଉଥିବା ନୂତନ ମାମଲାଗୁଡ଼ିକ ଯୋଗୁଁ ମୃତ୍ୟୁ ହାର ନିମ୍ନଗାମୀ ହୋଇଛି ।

ନୂତନ ଆରୋଗ୍ୟ ମାମଲାର ୭୫.୩୧% ୧୦ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାଯାଇଛି । ଗୋଟିଏ ଦିନରେ ମହାରାଷ୍ଟ୍ରରୁ ସର୍ବାଧିକ ୬,୦୫୩ ସଂଖ୍ୟକ ରୋଗୀ ଆରୋଗ୍ୟ ଲାଭ କରିଥିବା ସୂଚନା ମିଳିଛି । ଏହାରି ପଛକୁ ୪,୪୯୪ ସଂଖ୍ୟକ ସୁସ୍ଥତା ସହିତ କେରଳ ରହିଛି । ସେହିପରି ପଶ୍ଚିମବଙ୍ଗରୁ ଦୈନିକ ଆଉ ୨,୩୪୨ ଜଣ ଆରୋଗ୍ୟ ଲାଭ କରିଥିବା ରେକର୍ଡ ହୋଇଛି ।

ନୂତନ ମାମଲାଗୁଡ଼ିକ ମଧ୍ୟରୁ ୭୫.୬୯ ପ୍ରତିଶତ ୧୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଦୈନିକ ନୂତନ ମାମଲା ୩,୪୨୩ ସଂଖ୍ୟା ଥିବା କେରଳ ଦର୍ଶାଇଛି । ସେହିପରି ମହାରାଷ୍ଟ୍ର ୨,୮୩୪ ନୂତନ ମାମଲା ରେକର୍ଡ କରିଥିବାବେଳେ ଗତକାଲି ପଶ୍ଚିମବଙ୍ଗରୁ ୧,୫୧୫ ଟି ନୂଆ ମାମଲା ଆସିଛି ।

ଗତ ୨୪ ଘଣ୍ଟାରେ ମୋଟ ମୃତକଙ୍କ ମଧ୍ୟରୁ ୭୬.୭୪ ପ୍ରତିଶତ ଅର୍ଥାତ ୩୦୧ ସଂଖ୍ୟକ ମୃତ୍ୟୁ ମାମଲା ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଥିବା ଜଣାପଡିଛି । ଦୈନିକ ମୃତ୍ୟୁ ମାମଲାର ୧୮.୨୭% ମହାରାଷ୍ଟ୍ରରେ ରିପୋର୍ଟ କରାଯାଇଛ । ଅର୍ଥାତ ଏଠାରେ ୫୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ପଶ୍ଚିମବଙ୍ଗ ଏବଂ କେରଳ ଯଥାକ୍ରମେ ୪୧ ଏବଂ ୨୭ ନୂତନ ମୃତ୍ୟୁ ସହ ଏହାର ପଛକୁ ରହିଛନ୍ତି ।

Related posts