କେଦାର ମିଶ୍ର
୧୮୨ ମିଟର ଉଚ୍ଚତା ର ଗୋଟେ ବିଶାଳ ପ୍ରତିମା, ୨୯୮୯ କୋଟି ଟଙ୍କାର ବଜେଟ, ୩୩ ମାସ ର ନିରବଚ୍ଛିନ୍ନ ପରିଶ୍ରମ ଓ ପ୍ରାୟ ୫୦୦ କୋଟି ଟଙ୍କାର ବିଜ୍ଞାପନ। ମୋଟାମୋଟି ଗୁଜରାଟରେ ଗତ ୩୧ ଅକ୍ଟୋବର ଦିନ ଉଦଘାଟିତ ହୋଇଥିବା “ଏକତାର ପ୍ରତିମା” ର କାହାଣୀ ସେତିକି ମାତ୍ର। ଦେଶର ପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବାସ୍ତବ ଉଚ୍ଚତାଠାରୁ ୧୦୦ ଗୁଣ ଅଧିକ ଉଚ୍ଚ ର ପ୍ରତିମା ନିର୍ମାଣ କରି ଦେଶ ଆଜି ସର୍ଦ୍ଦାରଙ୍କ ଅଭିଷେକ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ତେବେ ସର୍ଦ୍ଦାରଙ୍କ ଅଭିଷେକ ଲାଗି ୭୨ ଖଣ୍ଡ ଗାଁ ର ୭୨ ୦୦୦ ଆଦିବାସୀ ତାଙ୍କର ଜୀବନ ଓ ଜୀବିକା ହରାଇଛନ୍ତି। ସେମାନେ ଏହାର ପ୍ରତିବାଦ କଲେ ମଧ୍ୟ ତାଙ୍କ କଥା କେହି ଶୁଣିବାର ନାହିଁ। ୫୦୦ କୋଟି ଟଙ୍କାର ବିଜ୍ଞାପନ ଗଣମାଧ୍ୟମକୁ ଲୋଭରେ ପକାଇବାକୁ ଯଥେଷ୍ଟ।
ଏହି ମୂର୍ତ୍ତି କୁ ୩୫୦ ଟଙ୍କାର ଟିକେଟ କାଟି ବର୍ଷକୁ ଅତି କମ ରେ ୪୦ ଲକ୍ଷ ପର୍ଯଟକ ଦେଖିବାକୁ ଆସିବେ ବୋଲି କୁହା ଯାଉଛି। ସତରେ ସେୟା ହେଲେ ମଧ୍ୟ ଅତି କମରେ ୫୦ ବର୍ଷ ପରେ ଏହି ମୂର୍ତ୍ତିର ମୂଳଧନ ଫେରିବ। ଏହାକୁ ଏକ ଲାଭଦାୟକ ପର୍ଯ୍ୟଟନ ପ୍ରକଳ୍ପ ବୋଲି ଯାହା କୁହାଯାଉଛି, ତାହା କେବଳ ଅତିରଞ୍ଜନ ମାତ୍ର । ତାଜମହଲ ଓ କୋଣାର୍କ ପରି ଦେଶର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଗୁଡିକର ପରିଚାଳନା ସଠିକ ଢଙ୍ଗରେ କରିନପାରି, ସେହି ସବୁ ଐତିହ୍ୟ କୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆ ଯାଉଛି। ସେଥିରେ ଏ ନୂଆ ମୂର୍ତ୍ତି ଯେ ପର୍ଯ୍ୟଟନର ଆକର୍ଷଣ ହେବ, ତାହା ବିଶ୍ୱାସଯୋଗ୍ୟ ନୁହେଁ।
ଏହି ମୂର୍ତ୍ତି ନିର୍ମାଣ ପଛରେ ସବୁଠୁ ବଡ ଉଦ୍ଦେଶ୍ୟ ହେଉଛି, ଇତିହାସ କୁ ନିଜ ଇଚ୍ଛା ଅନୁସାରେ ବଦଳାଇବାର ଏକ ଚାଲାକି। ଗୁଜରାଟର ମହାନ ସ୍ଵାଧୀନତା ସଂଗ୍ରାମୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ବଡ କରି ଦେଖାଇବାର ଏହା ଏକ ପିଲାଳିଆ ପ୍ରୟାସ। ବଲ୍ଲଭଭାଇ ସେଇ ଗୁଜରାଟର ଅନ୍ୟତମ ମହାନାୟକ ଓ ଏ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ। ଗାନ୍ଧୀଙ୍କ ଜନ୍ମମାଟିରେ ତାଙ୍କ ଅନୁଗତଙ୍କ ଏ ବିଶାଳକାୟ ପ୍ରତିମା ଗାନ୍ଧୀଙ୍କ ବିଚାରକୁ ଖର୍ବ କରିବ ବୋଲି ଭାବିବା, ନିର୍ବୋଧତା ଇ ହେବ।
ସର୍ଦ୍ଦାରଙ୍କ ପ୍ରତିମା ଯେତେ ଉଚ୍ଚ ହେଲେବି ସେ ଗାନ୍ଧୀଙ୍କ ଶିଷ୍ୟ ଓ ଇତିହାସରେ ସେ ଗାନ୍ଧୀବାଦର ସେବକ। ତେଣୁ ମୂର୍ତ୍ତି ଯେତେ ବଡ ହେଲେ ବି ଇତିହାସରେ ଯେ ଯାହାର ଭୂମିକା ନେଇ ରହିବେ। ହୁଏତ କେହି କେହି କହିପାରନ୍ତି, ଗାନ୍ଧୀ ଜୟନ୍ତୀର ୧୫୦ ବର୍ଷ ପାଳନ ଅବସରରେ ବାପୁଙ୍କର ଏମିତି ଏକ ଭବ୍ୟ ମୂର୍ତ୍ତି ହେଲାନାହିଁ କାହିଁକି ?
ବାପୁଙ୍କ ଲାଗି ବଡ ମୂର୍ତ୍ତି ତିଆରି କରିବା, ବାପୁଙ୍କ ଲାଗି ସବୁଠୁ ବଡ ଅପମାନ ହେବ। ସେଇ ସମାନ ଯୁକ୍ତିରେ କୁହାଯାଇପାରେ ଏ ବିଶାଳ ମୂର୍ତ୍ତି ସର୍ଦ୍ଦାରଙ୍କ ପାଇଁ ଖୁବ ଗୋଟେ ବଡ ସମ୍ମାନ ନୁହେଁ।
ସର୍ଦ୍ଦାରଙ୍କ ମୂର୍ତ୍ତି ତିଆରି କରି ସେଇ ଆଢୁଆଳରେ ନିଜକୁ ବଡ କରି ଦେଖେଇବାର ଏକ ଅସୁସ୍ଥ ମାନସିକତା ଯେ ଏ ପ୍ରକଳ୍ପରେ ରହିଛି, ତାହା ଆପେ ଆପେ ବାରି ହୋଇ ପଡୁଛି। ମୋଦୀ ସରକାର ଆସିଲା ପରେ କୌଣସି ଗୋଟିଏ ବି ବଡ ସରକାରୀ ଯୋଜନାକୁ ସର୍ଦ୍ଦାରଙ୍କ ନାମରେ ନାମିତ କରାଯାଇନାହିଁ। ସରକାରୀ ଯୋଜନାରେ ଦୀନଦୟାଲ ଉପାଧ୍ୟାୟଙ୍କ ନାଁ ରେ ଯେତିକି ଯୋଜନା ରହିଛି, ତାହାର ଅଧା ଯୋଜନା ସର୍ଦ୍ଦାରଙ୍କ ନାଁ ରେ ନାମିତ ହୋଇଥିଲେ କଣ ଅସୁବିଧା ହୋଇଥାନ୍ତା କି?
ବଡ ମୂର୍ତ୍ତି ତିଆରି କରିବା ପଛରେ ରହିଥିବା ଛୋଟ ରାଜନୀତିର ଉଦ୍ଦେଶ୍ୟ ଯେ ଲୋକଙ୍କ ଆଖିରେ ପଡୁ ନାହିଁ, ଏକଥା ସରକାର ଭାବନ୍ତୁ ନାହିଁ। ସର୍ଦ୍ଦାରଙ୍କ ବଡ ମୂର୍ତ୍ତିର ଛାଇ ରେ ଆଉ କିଏ ନିଜକୁ ବଡ କରି ଦେଖେଇବାକୁ ଚାହୁଁଛି, ସେ କଥା ଲୋକେ ବେଶ ଭଲ ଭାବରେ ଜାଣନ୍ତି!!