ଆଜିଠାରୁ ବଜେଟ ଅଧିବେସନ, ରାଷ୍ଟ୍ରପତିଙ୍କ ଅଭିଭାଷଣକୁ କରିବେ ବର୍ଜନ 18ଟି ବିରୋଧୀ ଦଳ

Published: Jan 29, 2021, 9:38 am IST

ନୂଆଦିଲ୍ଲୀ, ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। କଂଗ୍ରେସ ନେତୃତ୍ୟରେ 16 ଟି ବିରୋଧୀ ଦଳ କୃଷକ ଆନ୍ଦୋଳନକୁ ସମର୍ଥନ କରିବେ। ସେଥିପାଇଁ ଏହି ବିରୋଧୀ ଦଳଗୁଡିକ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବ ବୋଲି ଘୋଷଣା କରିଛନ୍ତି। ଆମ୍ ଆଦମୀ ପାର୍ଟି ଏବଂ ଅକାଳୀ ଦଳ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିସ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ 16 ବିରୋଧୀ ଦଳର ମିଳିତ ନିଷ୍ପତ୍ତି ସଂପର୍କରେ ଘୋଷଣା କରିଛନ୍ତି।

କଂଗ୍ରେସ ବ୍ୟତୀତ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରୁଥିବା ପ୍ରମୁଖ ଦଳଗୁଡ଼ିକ ହେଉଛି ତ୍ରୂଣମୂଳ କଂଗ୍ରେସ, ଏନସିପି, ଶିବସେନା, ଡିଏମକେ, ସମାଜବାଦୀ ପାର୍ଟି, ସିପିଆଇ-ଏମ, ସିପିଆଇ ଏବଂ ଆରଜେଡି। ଏହା ବ୍ୟତୀତ ନ୍ୟାସନାଲ କନଫରେନ୍ସ, IUML, RSP, PDP, କେରଳ କଂଗ୍ରେସ M ଏବଂ AIUDF ଭଳି ଛୋଟ ଦଳ ମଧ୍ୟ ଏହି ବର୍ଜନରେ ସାମିଲ ହୋଇଛନ୍ତି। ରାଜ୍ୟସଭାରେ କଂଗ୍ରେସର ଉପ ନେତା ଆନନ୍ଦ ଶର୍ମା ଏବଂ ଲୋକସଭାରେ ଦଳର ମୁଖ୍ୟ ହୁଇପ କେ ସୁରେଶ ମଧ୍ୟ ବିରୋଧୀ ଦଳର ଏହି ନିଷ୍ପତ୍ତି ସମ୍ପର୍କରେ ମିଳିତ ବିବୃତ୍ତି ଦେଇଛନ୍ତି।

ରାଲିରେ ହୋଇଥିବା ହିଂସାକୁ ନିନ୍ଦା କରି ମିଳିତ ବିବୃତ୍ତିରେ ଆହତ ପୋଲିସ କର୍ମଚାରୀଙ୍କୁ ସମବେଦନା ଜଣାଯାଇଛି। କୁହାଯାଇଥିଲା ଯେ ଏହି କାର୍ଯ୍ୟ କୃଷକଙ୍କ ଆନ୍ଦୋଳନକୁ ଅପମାନିତ କରିବା ଉଦ୍ଦେଶ୍ୟରେ କରାଯାଇଥିଲା। ନିରପେକ୍ଷ ଭାବରେ ଏହାର ଅନୁସନ୍ଧାନ କରାଯିବା ଉଚିତ୍ ।

AAP ର ରାଜ୍ୟସଭା ସାଂସଦ ସଂଜୟ ସିଂ ମଧ୍ୟ ତାଙ୍କ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ଯଦିଓ AAP ଏବଂ ଅକାଲୀ ଦଳ ବିରୋଧୀ ଦଳର ମିଳିତ ରଣନୀତିର ଅଂଶ ନୁହଁନ୍ତି, ତେବେ ଏହି ଦୁଇ ଦଳକୁ ମିଶାଇଲେ ବିରୋଧ କରୁଥିବା ଦଳ ସଂଖ୍ୟା 18 କୁ ବୃଦ୍ଧି ପାଇଛି।

କିନ୍ତୁ ବିଜୁ ଜନତା ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାଗ ନେବ ବୋଲି ନିଷ୍ପତ୍ତି ନେଇଛି। ଦଳ ଉଭୟ ଗୃହରେ ରାଜ୍ୟ ପ୍ରସଙ୍ଗ ଉଠାଇବ। ଏନେଇ ବିଜେଡି ରାଜ୍ୟସଭା ସାଂସଦ ତଥା ମୁଖ୍ୟ ସଚେତକ ଡକ୍ଟର ସସ୍ମିତ ପାତ୍ର ସୂଚନା ଦେଇଛନ୍ତି।

Related posts