ପଶ୍ଚିମବଙ୍ଗରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published: Feb 19, 2021, 10:15 pm IST

କୋଲକାତା, ଦେଶର ଅର୍ଥନୀତି ସମ୍ଭାଳୁଥିବା ପଶ୍ଚିମବଙ୍ଗରେ ଆଜି ଯୁବକମାନେ ରୋଜଗାର ନ ପାଇବା କାରଣରୁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ଯୁବକଙ୍କୁ ରୋଜଗାର ଦେବା ପାଇଁ ଏଠାରେ ସରକାରଙ୍କୁ ପରିବର୍ତନ କରି ମୋଦି ସରକାରଙ୍କୁ ଅଣାଯିବା ଜରୁରୀ ବୋଲି ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ସମେତ ଅନେକ ସ୍ଥାନରେ ବିଜେପି ଦ୍ୱାରା ଆୟୋଜିତ ପରିବର୍ତ୍ତନ ଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି ଯେ ଭାରତୀୟ ସଭ୍ୟତା, ଜୀବନ, ସ୍ୱାଧୀନତାର ସଂଗ୍ରାମ, କଳା, ସାହିତ୍ୟ ଓ ସଂସ୍କୃତିରେ ପଶ୍ଚିମବଙ୍ଗର ସ୍ଥାନ ବହୁ ଉର୍ଦ୍ଧ୍ୱରେ ରହିଛି । କିନ୍ତୁ ଏଠାରେ ଅନେକ ମୌଳିକ ସମସ୍ୟା ସମେତ ବିଶେଷ ଭାବରେ ରୋଜଗାର ମୁଖ୍ୟ ସମସ୍ୟା ହୋଇଛି । ଅନେକ ଶିଳ୍ପକାରଖାନା ଗୁଡିକ ବନ୍ଦ ହୋଇ ପଡିଛି । ଫଳରେ ରୋଜଗାର ନ ମିଳିବା କାରଣରୁ ଏଠାକାର ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ପଶ୍ଚିମବଙ୍ଗରେ ପରିବର୍ତନ ଜରୁରୀ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ । ଏହି କାରଣରୁ ପୂର୍ବ ଭାରତ ଅନ୍ତର୍ଗତ ପଶ୍ଚିମବଙ୍ଗର ବିକାଶ ବିନା ସମଗ୍ର ଭାରତ ବର୍ଷର ସନ୍ତୁଳିତ ବିକାଶ ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଭାରତର ବିକାଶ ପାଇଁ ପୂର୍ବୋଦୟ ମିଶନର ପରିକଳ୍ପନା କରିଛନ୍ତି ।

ପଶ୍ଚିମବଙ୍ଗବାସୀଙ୍କୁ ସମ୍ବୋଧନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଠାରେ ରୋଜଗାର ଦେଉଥିବା ସରକାର ହେବା ଦରକାର ନା ରୋଜଗାର ଦେଉନଥିବା ସରକାର ଦରକାର । ପିସି ନେଉଥିବା ସରକାର ହେବା ଦରକାର ନା ବିକାଶମୂଳକ କାମ କରୁଥିବା ସରକାର ହେବା ଦରକାର । ତେବେ ପଶ୍ଚିମବଙ୍ଗରେ ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଯାଇଥିବା ପରିବର୍ତନ ଯାତ୍ରା ସଫଳ ହେବ ଏବଂ ଏଠାକାର ବାସୀ ନିଶ୍ଚୟ ବିଜେପି ଉପରେ ଭରସା କରିବେ ବୋଲି ସେ କହିଛନ୍ତି ।

Related posts