ଆପଣ ବିଶ୍ବାସ କରିବେନି ବିବାହ ପୂର୍ବରୁ ଭଲ ବୋହୂଟିଏ ହେବା ପାଇଁ ଗୋଟିଏ ସଂସ୍ଥା ଦେଉଛି ଟ୍ରେନିଂ

Published: Mar 4, 2021, 7:10 am IST

ନୂଆଦିଲ୍ଲୀ, ଉତ୍ତମ ବଧୂ ହେବାକୁ ଚାହୁଁଛନ୍ତି ? ତେବେ ନିଅନ୍ତୁ ପ୍ରଶିକ୍ଷଣ । ମାତ୍ର ମାସିକ ୫,୦୦୦ ଟଙ୍କାରେ ଫି ଦେଇ ଆପଣ ହୋଇପାରିବେ ଉତ୍ତମ ବଧୂ ବା ପତ୍ନୀ । ଆଜ୍ଞା ହଁ, ହାଇଦ୍ରାବାଦଠାରେ ଏପରି ଏକ ଶିକ୍ଷାନୁଷ୍ଠାନ ରହିଛି, ଯେଉଁଠାରେ ଉତ୍ତମ ପତ୍ନୀ ବା ଉତ୍ତମ ବଧୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି ।

ଏଥିପାଇଁ ଆପଣକୁ ମାସିକ ୫୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ହାଇଦ୍ରାବାଦଠାରେ ଏକ ବଧୂ ପ୍ରଶିକ୍ଷଣ ସଂସ୍ଥା ରହିଛି । ଏଠାରେ ଝିଅମାନଙ୍କୁ ଜଣେ କୌଶଳୀ, ଦକ୍ଷ ତଥା ଉତ୍ତମ ବୋହୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ହାଇଦ୍ରାବାଦଠାରେ ଥିବା ଏହି ପ୍ରଶିକ୍ଷଣ ସଂସ୍ଥାର ନାମ ‘ଫ୍ୟାମିଲି ଇନ୍‌ଷ୍ଟିଚ୍ୟୁଟ୍‌’ ରଖାଯାଇଛି । ଏଠାରେ ଝିଅପିଲାମାନଙ୍କୁ ଉତ୍ତମ ବଧୂ ହେବାର କୋର୍ସ ପ୍ରଦାନ କରାଯାଇଛି । ଏହି କେନ୍ଦ୍ରରେ ସଫଳ ବୈବାହିକ ଜୀବନ ଅତିବାହିତ କରିବାର କଳା ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି ।

ଯେକୌଣସି ଧର୍ମ ହେଉନା କାହିଁକି ପ୍ରତ୍ୟେକ ଧର୍ମରେ ବିବାହ ଏକ ମଜବୁତ୍‌ ସାମାଜିକ ବନ୍ଧନ ନିର୍ମାଣ କରିଥାଏ । ହିନ୍ଦୁ ଧର୍ମ ଅନୁସାରେ ବିବାହ କେବଳ ଗୋଟିଏ ଜନ୍ମର ନୁହେଁ, ବରଂ ସାତ ଜନ୍ମ ପାଇଁ ହୋଇଥାଏ । ସବୁ ପରିବାର ଚାହିଁଥା’ନ୍ତି ତାଙ୍କୁ ଘରକୁ ଆସୁଥିବା ବୋହୂ ସର୍ବଗୁଣ ସମ୍ପନ୍ନା ହେଉ । ପ୍ରତ୍ୟେକ ଶାଶୁମାନଙ୍କର ଗୋଟିଏ ଇଚ୍ଛା ଥାଏ, ଯେ ତାଙ୍କ ବୋହୂ ସୁନ୍ଦରୀ ହେବା ସହିତ ସମସ୍ତ କାମ କାର୍ଯ୍ୟରେ ଦକ୍ଷ ହେଇଥାଉ ।

ସେହିପରି ପ୍ରତ୍ୟେକ ପୁରୁଷ ଚାହିଁଥାଏ, ତାକୁ ଏମିତି ଏକ ସ୍ତ୍ରୀ ମିଳୁ ଯିଏ ଘରର ପ୍ରତ୍ୟେକ ଦାୟିତ୍ବକୁ ଠିକ୍‌ ରୂପେ ସମ୍ପନ୍ନ କରିପାରିବ । ଏହି ସମସ୍ତ ବିଷୟକୁ ଅନୁଭବ କରି ହାଇଦ୍ରାବାଦଠାରେ ଏକ ଉତ୍ତମ ବୋହୂ ହେବାର ପ୍ରଶିକ୍ଷଣ ସଂସ୍ଥା ଖୋଲିଯାଇଛି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ବିବାହ ପୂର୍ବରୁ ଘରୋଇ ସମ୍ବନ୍ଧୀୟ ଅନ୍ୟାନ୍ୟ ବିଭିନ୍ନ କୋର୍ସ ଆରମ୍ଭ କରାଯାଇଥିଲା । ଅନ୍ୟ କୋର୍ସ ଗୁଡ଼ିକରେ ରହିଛି ‘ବିବାହ ପରେ ଘରକୁ କିପରି ଚଳାଇବା’ । ସେହିପରି ‘ଉତ୍ତମ ମା’ ହେବା ପାଇଁ ମଧ୍ୟ ଟ୍ରେନିଂ ଦିଆଯାଉଛି ।

ତେବେ ଏପରି କିଛି କୋର୍ସ ଆରମ୍ଭ କରିବା ପରେ କିଛି ଲୋକ ଏହାକୁ ନେଇ ବିରୋଧ ମଧ୍ୟ କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଏହି କୋର୍ସକୁ ନେଇ ବିରୋଧ କରିବା ସହିତ ଭିନ୍ନ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି । ଘର ପରିବାର ପାଇଁ କେବଳ ଜଣେ ଉତ୍ତମ ବୋହୂ ଉପରେ ବୋଝ କ’ଣ ପାଇଁ ? ଜଣେ ଉତ୍ତମ ବର ହେବା ପାଇଁ କୋର୍ସ ଆରମ୍ଭ କରାଯାଉ ବୋଲି କମେଣ୍ଟ ମିଳିଛି ।

ତେବେ ଏହି କୋର୍ସ ସମ୍ପର୍କରେ ଏହାର ଜଣେ ପ୍ରଶିକ୍ଷକ କହିଛନ୍ତି ଯେ, ଏହି କୋର୍ସର ନାମକରଣ ଲୋକଙ୍କୁ ଲୋଭାୟିତ କରିବା ପାଇଁ ରଖାଯାଇଛି। ତେବେ ଏହି ଦୁଲହନ୍‌ କୋର୍ସ ଜରିଆରେ ଖାଦ୍ୟ ପ୍ରସ୍ତୁତ କରିବା, ସିଲେଇ ତଥା ବୁଣାବୁଣି ସହିତ ବ୍ୟୁଟି ଟିପ୍ସ ଓ ଅନ୍ୟାନ୍ୟ ଆର୍ଥିକ ସ୍ଥିତି ମଜବୁତ୍‌ ପାଇଁ ପ୍ରଶିକ୍ଷଣ ଦିଆଯାଉଛି ।

ଇଂରାଜୀ ଓ୍ବେବସାଇଟ୍‌ ‘’ଇନ୍‌ୟୁଥ୍‌’ଠୁ ପ୍ରେରିତ ବୋଲି କହିଛନ୍ତି ଏହି ସଂସ୍ଥାକୁ ଆରମ୍ଭ କରିଥିବା ଇଲିଆସ ସାମୀ । ସେ କହିଛନ୍ତି ଯେ, ଭାରତରେ ବିଭିନ୍ନ ପ୍ରକାରର କୋର୍ସ ରହିଛି। ତେବେ ଏମିତି ଏକ କୋର୍ସ ନଥିଲା, ଯାହା ବିବାହ ପରେ ନିଜ ଜୀବନକୁ ହସଖୁସିରେ ଭରିବା ପାଇଁ ସାହାଯ୍ୟ କରିବ । ପ୍ରାୟ ଦୁଇ ବର୍ଷ ହେବ ସେ ଏହି ପ୍ରଶିକ୍ଷଣ ଦେଉଛନ୍ତି ।

ଏହି ପ୍ରଶିକ୍ଷଣ ପାଇଁ ମାସିକ ୫୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡେ । ତେବେ ଏହି କୋର୍ସର ନାମାଙ୍କନ ପାଇଁ ବୟସ, ଧର୍ମ, ଯୋଗ୍ୟତା ତଥା କୌଣସି ପ୍ରକାରର ପ୍ରତିବନ୍ଧକ ନାହିଁ । ତେବେ ଏଠାରେ ଅଧିକ ସଂଖ୍ୟକ ମୁସଲମାନ ଝିଅଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି ।

Related posts