ଭୁବନେଶ୍ବର, ପିପିଲି ଉପନିର୍ବାଚନ ଆସନ୍ତା ଏପ୍ରିଲ 17 ତାରିଖରେ ହେବ ବୋଲି ଘୋଷଣା ହେବା ପରେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରେ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ବିସ୍ତୁତ ରୂପରେଖ ପ୍ରଦାନ କରିଛନ୍ତି।
ସେ କହିଛନ୍ତି ଯେ, କୋଭିଡ କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ହେବ। ସେଥିପାଇଁ ପ୍ରାର୍ଥୀଙ୍କ ସହିତ ମାତ୍ର ପାଞ୍ଚଜଣ କର୍ମି ପ୍ରଚାରରେ ଯାଇପାରିବେ। ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନଙ୍କୁ ମାତ୍ର ଦୁଇଟି ଗାଡି ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯିବ।
ସେହିପରି 80 ବର୍ଷରୁ ଉର୍ଦ୍ଧ, ଦିବ୍ୟାଙ୍ଗ, କରୋନା ସଂକ୍ରାମିତମାନେ ପୋଷ୍ଟାଲ ଭୋଟ ଦେବା ପାଇଁ ଆବେଦନ କରିପାରିବେ। ସେମାନେ ବୁଥକୁ ନ ଆସି ଘରେ ରହି ଏହି ଭୋଟ ଦେଇପାରିବେ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି।
ଯେଉଁମାନେ ଭୋଟ ଗ୍ରହଣ କାର୍ଯ୍ୟରେ ନିୟୋଜିତ ହେବେ, ସେମାନଙ୍କର ଅଗ୍ରାଧୀକାର ଭାବେ କରୋନା ଟୀକା ପ୍ରଦାନ କରାଯିବ। ସେହିପରି ଏହି ଅଧିକାରୀମାନେ କୋଭିଡ ଯୋଦ୍ଧା ଭାବେ ବିବେଚନା କରାଯିବ ବୋଲି ଲୋହାନୀ କହିଛନ୍ତି।
ସେହିପରି ପ୍ରଚାର ବେଳେ କର୍ମିମାନେ କୋଭିଡ ଗାଇଡ ଲାଇନ ଅନୁସାରେ ପ୍ରଚାର କରିବେ। ସେମାନେ ସାନିଟାଇଜର, ମାସ୍କ ଏବଂ ସାମାଜିକ ଦୂରତା ଭିତରେ ରହି ପ୍ରଚାର କରିବେ।
ଚଳିତ ଉପନିର୍ବାଚନରେ ପିପିଲିରେ ଅଧିକ 77ଟି ବୁଥ କରାଯିବ ବୋଲି ନିଷ୍ପତି କରାଯାଇଛି। ଗତ ସାଧାରଣ ନିର୍ବାଚନରେ ପିପିଲି ନିର୍ବାଚନ ମଣ୍ଡଳିରେ 273 ଟି ବୁଥ କରାଯାଇଥିଲା। ଏଥର କରୋନା ପାଇଁ 350ଟି ବୁଥ କରାଯିବ ବୋଲି ଲୋହାନୀ କହିଛନ୍ତି। ପିପିଲିରେ ମୋଟ ଭୋଟର ସଂଖ୍ୟା ହେଉଛି 2 ଲକ୍ଷ 29 ହଜାର 5 ଶହ 83। ଗୋଟିଏ ବୁଥରେ ଯେପରି ହଜାର ଭୋଟର ଭୋଟ ଦେବେ ସେହିପରି ବ୍ୟବସ୍ଥା କରାଯିବ।
ପିପିଲି ଉପନିର୍ବାଚନ ଆସନ୍ତା ଏପ୍ରିଲ 17 ତାରିଖରେ ଭୋଟ ଗ୍ରହଣ ହେବ। ଏନେଇ ମାର୍ଚ୍ଚ 23 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲ ଶେଷ ତାରିଖ ରହିଛି ମାର୍ଚ୍ଚ 30 ତାରିଖ ଏବଂ ଯା଼ଞ୍ଚ 31 ତାରିଖ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏପ୍ରିଲ 3 ତାରିଖ ରଖାଯାଇଛି। ଭୋଟ ଗଣତି ମୋ 5 ତାରିଖରେ କରାଯିବ। ଏହିଦିନ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ ଗଣତି ମଧ୍ୟ କରାଯିବ।