ନୂଆଦିଲ୍ଲୀ, ନିକଟରେ ଦିଲ୍ଲୀ ଉପରାଜ୍ୟପାଳଙ୍କ କ୍ଷମତା ନେଇ ସଂସଦରେ ଏକ ବିଲ ପାରିତ ହୋଇଛି। ଯେଉଁଥିରେ ଦିଲ୍ଲୀ ସରକାରଙ୍କ କ୍ଷମତାକୁ ଗୌଣ କରାଯାଇ ଉପରାଜ୍ୟପାଳଙ୍କ କ୍ଷମତାକୁ ଅଧିକ କରାଯାଇଛି। ଫଳରେ ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ନିଷ୍ପତି ଏବଂ ବିଧାନସଭା ନିଷ୍ପତି ଉପ ରାଜ୍ୟପାଳଙ୍କ ବିନା ପାଶ ହୋଇପାରିବ ନାହିଁ। ଏପରି ନିୟମକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। କାରଣ ହେଲା ଦିଲ୍ଲୀରେ ଏକ ନିର୍ବାଚିତ ସରକାର ଅଛି। ହେଲେ ସେହି ନିର୍ବାଚିତ ସରକାରଙ୍କୁ ସ୍ବାଧୀନଭାବେ ନିଷ୍ପତି ନେବା ଅଧିକାରରୁ ବଞ୍ଚିତ କରାଗଲା।
ବିଭିନ୍ନ ସମୟରେ କ୍ଷମତାକୁ ନେଇ ଦିଲ୍ଲୀ ସରକାର ଏବଂ ଉପ ରାଜ୍ୟପାଳଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିଲା। ଫଳରେ ଏହା ଉପରେ ସୁପ୍ରିମ କୋର୍ଟରେ ମାମାଲ ଦାୟର କରାଯାଇଥିଲା। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଦିଲ୍ଲୀରେ ଜମି, ପୋଲିସ କିମ୍ବା ଆଇନି ଶୃଙ୍ଖଳା ସହ ଜଡିତ ନିଷ୍ପତ୍ତି ବ୍ୟତୀତ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅନୁମୋଦନ ଆବଶ୍ୟକ ନାହିଁ।
ଏହି ନିଷ୍ପତ୍ତି ପରେ ଦିଲ୍ଲୀ ସରକାର ସେମାନଙ୍କ ନିଷ୍ପତ୍ତି ପୂର୍ବରୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟକୁ ପଠାଇବା ବନ୍ଦ କରି କେବଳ ସେମାନଙ୍କୁ ଜଣାଇବା ଆରମ୍ଭ କରିଥିଲେ। ଏହାଦ୍ୱାରା ବିବାଦ ସୃଷ୍ଟି ହୋଇଥିଲା। ଗୋଟିଏ ପ୍ରକାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ ଦିଲ୍ଲୀ ସରକାର ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ମଧ୍ୟରେ ଅଧିକାରକୁ ନେଇ ବିବାଦ ଜାରି ରହିଥିଲା। କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ଏହି ବିବାଦକୁ ଦୂର କରିବା ପାଇଁ ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅଧିକାରକୁ ଆହୁରି ସ୍ପଷ୍ଟ କରିବା ପାଇଁ ଉକ୍ତ ବିଲ୍ ଅଣାଯାଇଛି।
ବର୍ତ୍ତମାନ ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ କଥା ବିଚାରକୁ ନିଆଯାଉ। ପୁଡୁଚେରୀ ଏବଂ ଗୋଆ ପରି କେନ୍ଦ୍ର ଶାସିତ ରାଜ୍ୟରେ ଏହି ନିୟମ ଲାଗୁ ହୋଇ ନାହିଁ। ସେଠାକାର ନିର୍ବାଚିତ ସରକାର ଯାହା ନିଷ୍ପତି କରିବେ ତାହା ଚୁଡାନ୍ତ। ଅର୍ଥାତ ଅନ୍ୟ ରାଜ୍ୟରେ ଯେପରି ନିୟମ ରହିଛି ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ରହିଛି। ହେଲେ ଦିଲ୍ଲୀ ପାଇଁ ଏପରି ନୂଆ ଆଇନି କରିବାର କାରଣ କଣ ତାହା ବୁଝାପଡୁ ନାହିଁ।
ସରକାରୀ ଦଳର କହିବା କଥା ନୂଆ ଦିଲ୍ଲୀରେ ସମସ୍ତ କେନ୍ଦ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ପରି ଭିଭିଭିଆଇପିମାନେ ରହୁଛନ୍ତି। ସେଥିପାଇଁ ଦିଲ୍ଲୀର ସରକାରଙ୍କ କ୍ଷମତା ହ୍ରାସ କରାଯାଇଛି। ତେବେ ଏହି ଭିଭିଭିଆଇପିମାନେ ବହୁ ପୂର୍ବରୁ ରହିଆସୁଛନ୍ତି। ସେଥିପାଇଁ ଦିଲ୍ଲୀ ସରକାରଙ୍କ ହାତରେ ପୋଲିସ କ୍ଷମତା ନାହିଁ।
ପୂର୍ବରୁ ଦିଲ୍ଲୀ ସରକାର ପୋଲିସ, ଆଇନି ଶୃଙ୍ଖଳା ଏବଂ ଜମି ଉପରେ କୌଣସି ନିଷ୍ପତି ନେଇପାରୁ ନ ଥିଲେ। ହେଲେ ଏହି ନିର୍ବାଚିତ ସରକାର ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ପାନୀୟ ଜଳ ବ୍ୟବସ୍ଥା ସହ ଜଡିତ ଅଧିକାର ରହି ଥିଲା। ଦିଲ୍ଲୀର ସଫେଇ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଅଧିକାର ଏହାର ପୌରପାଳିକା ନିଗମ ହାତରେ ରହିଛି। ହେଲେ ବର୍ତ୍ତମାନର ନୂଆ ନିୟମ ଦ୍ବାରା ଦିଲ୍ଲୀ ସରକାର ସମସ୍ତ ନିଷ୍ପତି ଉପରାଜ୍ୟପାଳଙ୍କ ବିନା ଆଇନିରେ ପରିଣତ କରିପାରିବେ ନାହିଁ।
ସ୍ୱାଧୀନତା ପରେ ଦେଶର ରାଜ୍ୟଗୁଡ଼ିକୁ ତିନୋଟି ସ୍ତରରେ ବିଭକ୍ତ କରାଯାଇଥିଲା। ଦିଲ୍ଲୀ ତୃତୀୟ ପର୍ଯ୍ୟାୟ ରାଜ୍ୟ ଥିଲା। 1952 ରୁ 1956 ପର୍ଯ୍ୟନ୍ତ ଦିଲ୍ଲୀର ନିଜସ୍ୱ ବିଧାନସଭା ଏବଂ ମୁଖ୍ୟମନ୍ତ୍ରୀ ଥିଲେ। 1956 ମସିହାରେ ଦିଲ୍ଲୀ ଏକ ୟୁନିଅନ୍ ଟେରିଟୋରୀ ହେଲା ଏବଂ ଏହାର ବିଧାନସଭା ବିଲୋପ ହେଲା ।
1991 ରେ ପୁଣିଥରେ ବିଧାନସଭା ଗଠନ ହେଲା। 1993 ରେ ପୁନର୍ବାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ବିଜେପିର ମଦନଲାଲ ଖୁରାନା ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ମଧ୍ୟ କ୍ରମାଗତ ଭାବେ କେନ୍ଦ୍ର ସରକାର ଦିଲ୍ଲୀର ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରମାନଙ୍କୁ ପର୍ଯ୍ୟାପ୍ତ କ୍ଷମତା ଦେବାକୁ ଦ୍ୱିଧା ପ୍ରକାଶ କରିଛନ୍ତି। ଏହାର କାରଣ ହେଉଛି ଦିଲ୍ଲୀରେ ରହୁଥିବା କେନ୍ଦ୍ର ସରକାରୀ କର୍ମଚାରୀମାନେ ଏହାକୁ ନିଜସ୍ୱ ଶାସନ ନିଜେ କରିବା ମାନସିକତା ରହିଛନ୍ତି। ଫଳରେ ଦିଲ୍ଲୀର ନିର୍ବାଚିତ ସରକାର ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟେକ୍ଷରେ, ସବୁବେଳେ କେନ୍ଦ୍ର ଦ୍ବାରା ଉଠବସ ହେବାକୁ ବାଧ୍ୟ ହୋଇଛି।