ରାଜ୍ୟ ସରକାର ଜାରି କଲେ ନୂଆ ମାର୍ଗଦର୍ଶିକା: ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ

Published: Apr 15, 2021, 6:09 pm IST

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯିବ। ଛତିଶଗଡ ରାଜ୍ୟ ସୀମାକୁ ଲାଗିଥିବା ସମସ୍ତ ୧୦ ଟି ଜିଲ୍ଲାରେ ସନ୍ଧ୍ୟା ୬ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ରହିବ।

ସେହିଭଳି ବାକି ୨୦ ଟି ଜିଲ୍ଲାର ସବୁ ସହରାଞ୍ଚଳରେ ରାତ୍ରି ୯ ଟାରୁ ସକାଳ ୫ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ଏହା ସହିତ ଛତିଶଗଡ ସୀମାକୁ ଲାଗିଥିବା ସମସ୍ତ ୧୦ ଟି ଜିଲ୍ଲାରେ ସପ୍ତାହନ୍ତ ଲକଡାଉନକୁ କାର୍ଯ୍ୟକାରୀ କରାଯିବ। ଆସନ୍ତା ଶନିବାର ଠାରୁ ସପ୍ତାହନ୍ତ ଲକଡାଉନ ଆରମ୍ଭ ହେବ। ଏହିସବୁ କଟକଣା ସମୟରେ ଜରୁରୀକାଳିନ ସେବା ଉପଲବ୍ଧ ହେବ।

ଜିନିଷ କିଣିଲା ବେଳେ ଗ୍ରାହକ କିମ୍ବା ଦୋକାନୀଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୁରତ୍ଵକୁ ବାଧ୍ୟତାମୂଳକ କରାଯାଇଛି। ନଚେତ ଦୋକାନ ସିଲ୍ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଆନ୍ତରାଜ୍ୟ ବସ ସେବାକୁ ବାରଣ କରାଯାଇଛି। କେବଳ ରାଜ୍ୟ ଭିତରେ ବସ ସେବା ଜାରି ରହିବ। ଅଟୋ ଏବଂ ଟ୍ୟାକ୍ସିରେ କେବଳ ୨ ଜଣ ଯାତ୍ରୀ ଯାତ୍ରା କରିପାରିବେ।

ଧାର୍ମିକ କାର୍ଯ୍ୟକ୍ରମ ଏବଂ ରାଜନୈତିକ ସମାବେଶ ଉପରେ କଟକଣା ଲାଗିଛି। ସିନେମା ହଲରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ। ସରକାରୀ ଅଫିସ ପାଇଁ ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ଅନୁମତି ମିଳିଥିବା ବେଳେ ଘରୋଇ ଅଫିସରେ କର୍ମଚାରୀଙ୍କୁ ହ୍ରାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ କର୍ମଚାରୀଙ୍କୁ ମାସ୍କ ଏବଂ ସାନିଟାଇଜର ବ୍ୟବହାର ଲାଗି ବାଧ୍ୟତାମୂଳକ କରାଯାଇଛି। ଯାତ୍ରା ପାଇଁ ଦର୍ଶକଙ୍କ ସଂଖ୍ୟା ୨୦୦୦ ରୁ ୧୦୦୦ କୁ ହ୍ରାସ କରାଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Related posts