ରକ୍ତରେ ଅମ୍ଳଜାନ ସ୍ତର ଠିକ୍ ରଖିବାକୁ ପ୍ରତିରକ୍ଷା ଗବେଷଣା ସଂସ୍ଥା ବାହାର କଲା ନୂଆ ଯନ୍ତ୍ର

Published: Apr 20, 2021, 7:24 am IST

ନୂଆଦିଲ୍ଲୀ, ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା ଡିଆରଡିଓ ପକ୍ଷରୁ ଏସପିଓ୨ ଭିତ୍ତିକ ଏକ ସପ୍ଲିମେଣ୍ଟାରୀ ଅକ୍ସିଜେନ ଯୋଗାଣ ବ୍ୟବସ୍ଥା (ଏକ ଯନ୍ତ୍ର) ବିକଶିତ କରାଯାଇଛି । ସୀମାନ୍ତରେ ଓ ଉଚ୍ଚ ପାର୍ବତ୍ୟାଞ୍ଚଳରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ କାମ କରୁଥିବା ସୈନିକଙ୍କ ପାଇଁ ଏହି ବ୍ୟବସ୍ଥା ମୁଖ୍ୟତଃ ଉଦ୍ଦିଷ୍ଟ । ଏଥିରେ ରକ୍ତ ଅମ୍ଳଜାନକୁ ପରିପୂର୍ଣ୍ଣ ଓ ପରିପୁଷ୍ଟକରି ରଖିବାର ସୁବିଧା ରହିଛି । ଏହି ଯନ୍ତ୍ର ଅକ୍ସିଜେନ ସାଚ୍ୟୁରେସନ ସପ୍ଲିମେଣ୍ଟାଲ ଡେଲିଭରି ସିଷ୍ଟମ ନାମରେ ପରିଚିତ ।

ବେଙ୍ଗାଲୁରସ୍ଥିତ ପ୍ରତିରକ୍ଷା ବାୟୋ-ଇଞ୍ଜିନିୟରିଂ ଓ ଇଲେକ୍ଟ୍ରୋ ମେଡିକାଲ ଲାବରେଟୋରୀ (ଡିଇବିଇଏଲ) ଦ୍ୱାରା ଏହି ଯନ୍ତ୍ରଟି ବିକଶିତ ହୋଇଛି । ଏହାର ଉଦ୍ଦେଶ୍ୟ ହେଲା ଅମ୍ଳଜାନ ଅଭାବରୁ ମୃତ୍ୟୁମୁଖରୁ ମଣିଷକୁ ବଞ୍ଚାଇବା । ରକ୍ତରେ ଅମ୍ଳଜାନର ସ୍ୱାଭାବିକ ସ୍ତର କମିଲେ ଏହା ଗୁରୁତର ଜଟିଳତା ସୃଷ୍ଟି କରେ । ସ୍ନାୟୁ ଓ ଶରୀରର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅମ୍ଳଜାନ ଅଭାବରୁ ନିଷ୍କ୍ରିୟ ହୋଇ ମଣିଷର ମୃତ୍ୟୁର କାରଣ ହୋଇଥାଏ ।

ଡିଆରଡିଏ ଯେଉଁ ଏସ୍‌ପିଓ୨ ବିକଶିତ କରିଛି, ତାହା ଏକ ସ୍ୱୟଂକ୍ରିୟ ବ୍ୟବସ୍ଥାରେ କାର‌୍ୟ୍ୟ କରେ । ରକ୍ତରେ ଅମ୍ଳଜାନର ଅଭାବରୁ ସ୍ନାୟୁ ଓ ତନ୍ତୁଗୁଡିକ ଆକାମୀ ହୋଇପଡନ୍ତି । ଫଳରେ ମଣିଷ ଶକ୍ତି ହରାଇ ନିସ୍ତେଜ ହୋଇଥାଏ । ଏଭଳି ଅବସ୍ଥାକୁ ଚିକିତ୍ସା ବିଜ୍ଞାନରେ ‘ହାଇପୋକ୍ସିଆ’ କୁହାଯାଏ । ଏହି ଅକ୍ସିଜେନ ଯୋଗାଣ ଯନ୍ତ୍ର ବା ବ୍ୟବସ୍ଥାଟି ହାଇପୋକ୍ସିଆରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଲଗାଇଦେଲେ ରକ୍ତରେ ଅମ୍ଳଜାନସ୍ତର ସ୍ୱାଭାବିକ ହୋଇଥାଏ ।

ଏହା ସୈନିକମାନଙ୍କ ପାଇଁ ମୁଖ୍ୟତଃ ତିଆରି ହୋଇଥିଲେ ମଧ୍ୟ କୋଭିଡ ମହାମାରୀ ସମୟରେ ରୋଗୀଙ୍କ ଚିକିତ୍ସାରେ ବିଶେଷ ସହାୟକ ହେବ । ଏହାର କାରଣ ହେଲା କୋଭିଡ ଭୂତାଣୁ ଦ୍ୱାରା ଗୁରୁତର ଆକ୍ରାନ୍ତଙ୍କ ରକ୍ତରେ ଅମ୍ଳଜାନ ବିପଜ୍ଜନକଭାବେ ହ୍ରାସ ପାଇଥାଏ ଓ ସେମାନେ ‘ହାଇପୋକ୍ସିଆ’ ଅବସ୍ଥାକୁ ଆସିଯାଇଥାନ୍ତି । ଏହି ଯନ୍ତ୍ରକୁ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସାରେ ସହଜରେ ବ୍ୟବହାର କରାଯାଇପାରିବ।

ଏହି ଯନ୍ତ୍ରରେ ଯେଉଁ ଇଲେକ୍‌ଟ୍ରୋନିକ ହାର୍ଡେଓୟାର ରହିଛି ତାହା ଉଚ୍ଚସ୍ଥାନରେ କମ୍ ବାୟୁଚାପ, ସ୍ୱଳ୍ପ ତାପମାତ୍ରା ଓ ଆର୍ଦ୍ରତା ଥିବା ଇଲାକାରେ କାର‌୍ୟ୍ୟ କରିବାକୁ ଉଦ୍ଦିଷ୍ଟ । ଏଥିରେ ଯେଉଁ ସଫ୍ଟୱେୟାର ରହିଛି ତାହା କେତେ ସୁରକ୍ଷିତ ଓ ବିଶ୍ୱାସଯୋଗ୍ୟ ତାହା କାର‌୍ୟ୍ୟସ୍ଥଳରେ ପରୀକ୍ଷାରୁ ପ୍ରମାଣ ସାପେକ୍ଷ ।

ଏହି ବ୍ୟବସ୍ଥାରେ ଏକ ପଲ୍ସ ଅକ୍ସିମିଟର ହାତ କାଚଟିରେ ଘଣ୍ଟା ଭଳି ମିଳିବାକୁ ପଡିବ। ଓୟାରଲେସ ଇଣ୍ଟରଫେସ ଦ୍ୱାରା ପରିଚାଳିତ ବ୍ୟବସ୍ଥାଟି ସମ୍ପୃକ୍ତ ବ୍ୟକ୍ତିର ଅମ୍ଳଜାନ ଯୋଗାଣକୁ ଏକ ସୋଲେନଏଡ୍ ଭାଲ୍‌ଭ୍ ଦ୍ୱାରା ନିୟନ୍ତ୍ରିତ କରିବ । ଏଥିପାଇଁ ଆବଶ୍ୟକ ଅକ୍ସିଜେନ ଏକ ହାଲ୍‌କା ପୋଟେବୁଲ ସିଲିଣ୍ଡରରୁ ନାକବାଟେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଯୋଗାଇ ଦିଆଯିବ ।

ଏହି ସମସ୍ତ ବ୍ୟବସ୍ଥା ଥିବା ଯନ୍ତ୍ରଟି ବିଭିନ୍ନ ଆକାର ଓ ଓଜନ ବିଶିଷ୍ଟ ଏବଂ ବଜାରରେ ଉପଲବ୍ଧ। ଏକ ଲିଟର ଓ ଏକ କିଲୋଗ୍ରାମ ଓଜନ ବିଶିଷ୍ଟ ବ୍ୟବସ୍ଥାଟି ୧୫୦କେଜି ଅକ୍ସିଜେନ ଯୋଗାଇବାକୁ ସକ୍ଷମ । ସେହିଭଳି ୧୦ଲିଟର ଓ ୧୦କେଜି ଓଜନର ଯନ୍ତ୍ରଟିର ୧୫୦୦ ଲିଟର ଅକ୍ସିଜେନ ଯୋଗାଇବାର ସାମର୍ଥ୍ୟ ରହିଛି । ମିନିଟ୍ ପିଛା ୨ଲିଟର ଅକ୍ସିଜେନ ପ୍ରବାହ ଅନବରତ ଚାଲିଲେ ଏହା ୭୫୦ ମିନିଟ୍ ପର‌୍ୟ୍ୟନ୍ତ ଅମ୍ଳଜାନ ଆବଶ୍ୟକତା ପୂରଣ କରିପାରିବ ।

ଦେଶୀ କାରିଗରୀ ଜ୍ଞାନ କୌଶଳରେ ନିର୍ମିତ ଏହି ଯନ୍ତ୍ରଟି କ୍ଷେତ୍ରଭିତିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ । ଏହା ବେଶ୍ ମଜବୁତ ଏବଂ ଶସ୍ତା । ଇତିମଧ୍ୟରେ ଏହାର ବ୍ୟାବସାୟିକ ଉତ୍ପାଦନ ଶିଳ୍ପସଂସ୍ଥାମାନେ ଆରମ୍ଭ କରିଦେଲେଣି ।

ସାଂପ୍ରତିକ ମହାମାରୀ ସମୟରେ ଏହି ଯନ୍ତ୍ରଟି ଏକ ବରଦାନ ସଦୃଶ । ଘରେ ରହି ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ଅମ୍ଳଜାନ ଅଭାବ ଜନିତ ପରିସ୍ଥିତିର ମୁକାବିଲା ପାଇଁ ଏହାକୁ ବ୍ୟବହାର କରାଯାଇପାରିବ। ଏହାର ଅମ୍ଳଜାନ ପ୍ରବାହକୁ ମିନିଟ୍ ପିଛା ୨ଲିଟର ହିସାବରେ ୨/୫/୭/୧୦ରେ ନିୟନ୍ତ୍ରିତ କରିହେବ । ଯନ୍ତ୍ରଟି ସ୍ୱଂୟକ୍ରିୟ ହୋଇଥିବାରୁ ଘରୋଇ ବ୍ୟବହାର ପାଇଁ ସୁବିଧାଜନକ ।

ରକ୍ତରେ ଅମ୍ଳଜାନସ୍ତର କମିଲେ ଅକ୍ସିମିଟର ସତର୍କ ସୂଚନା ଦେବ । ତଦନୁସାରେ ଯନ୍ତ୍ରଟି ଆପଣାଛାଏଁ ରୋଗୀଙ୍କୁ ଆବଶ୍ୟକ ମୁତାବକ ଅକ୍ସିଜେନ ଯୋଗାଇବ । ବ୍ୟବହାର ପାଇଁ ସହଜ ଏହି ରକ୍ତ ଅମ୍ଳଜାନସ୍ତର ନିର୍ଦ୍ଧାରଣକାରୀ ଯନ୍ତ୍ରଟି ବଜାରକୁ ଆସିବା ପରେ ଡାକ୍ତର ଓ ଚିକିତ୍ସାକର୍ମୀଙ୍କ ଚାପ ହ୍ରାସ ପାଇବାକୁ ଯାଉଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଏହା ବିଶେଷ ସହାୟକ ହୋଇପାରିବ ।

Related posts