
ରମେଶ ମହାନ୍ତି
ଜଗତସିଂହପୁର: କୋଭିଡ୍-୧୯ ମହାମାରୀର ଦୃତ ସଂକ୍ରମଣ ସହ ଜୀବନହାନୀ ଏବଂ କୋଭିଡ୍ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାରାଦ୍ବୀପର ଇଫକୋ ସାର କାରଖାନା ପ୍ଲାଣ୍ଟ୍ ପରିସରରେ ଅକ୍ସିଜେନ ପ୍ଲାଣ୍ଟ୍ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ଗତକାଲି ଅପରାହ୍ନରେ ଜିଲ୍ଲାସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇ ମଞ୍ଜୁରୀ ପ୍ରଦାନ କରାଯାଇଛି।
ଏହି ବୈଠକରେ ଇଫକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ.ଜେ. ପଟେଲ୍, ଡି.ଜି.ଏମ୍ (ଟେକନିକାଲ୍) ପି.କେ ମହାପାତ୍ର ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିଲେ। ଏହି ଅକ୍ସିଜେନ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ଆନୁସଙ୍ଗିକ ଡ୍ରଗ୍ ଲାଇସେନସ୍, ଏକ୍ସପ୍ଲୋସିଭ୍ ଲାଇସେନ୍ସ୍, ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର୍ ବିଭାଗ ଅନୁମତି ଲାଭ କରିଛି।
ଏହି ଅକ୍ସିଜେନ ପ୍ଲାଣ୍ଟ୍ ପ୍ରତିଷ୍ଠା ନିମନ୍ତେ ୭କୋଟି ୨୦ଲକ୍ଷ ବ୍ୟୟ ହେବ ଏବଂ ଏହା ୨୦୨୧ ମସିହା ଜୁନ୍ ୧୫ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ବିଭିନ୍ନ ହସପିଟାଲକୁ ଅକ୍ସିଜେନ ଯୋଗାଣ ସହିତ ଜଗତସିଂହପୁର ଜିଲ୍ଲାରେ କୋଭିଡ୍ ରୋଗୀଙ୍କ ଅକ୍ସିଜେନ ଆବଶ୍ୟକତା ପୂରଣ ହୋଇପାରିବ। ଏହି ପ୍ଲାଣ୍ଟରୁ ଦୈନିକ ୪୬.୭ ଲିଟର କ୍ଷମତା ବିଶିଷ୍ଟ ୫୨୦ ସିଲିଣ୍ଡର ଓ ୧୦ଲିଟର କ୍ଷମତାର ୨୦୦ଟି ସିଲିଣ୍ଡର୍ ଉତ୍ପାଦନ ହେବ।
ଏହି ବୈଠକର ଆବାହକ ଥିଲେ ଜିଲ୍ଲା ଶିଳ୍ପକେନ୍ଦ୍ରର ଜେନେରାଲ୍ ମ୍ୟାନେଜର କଙ୍କଣ ଘୋଷ ଉକ୍ତ ଭର୍ଚୁଆଲ୍ ବୈଠକରେ ଡ୍ରଗ୍ ଇନସପେକ୍ଟର, ଆସିଷ୍ଟାଣ୍ଟ ଡାଇରେକ୍ଟର ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ ଚନ୍ଦ୍ରକାନ୍ତ ଦଳାଇ,ଏଲ୍.ଡି.ଏମ୍ ସତୀଶ ପାତ୍ର, ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡର କର୍ମକର୍ତ୍ତା ଓ ଶିଳ୍ପ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।