ସିବିଆଇ ନିର୍ଦ୍ଦେଶକ ଦୌଡରେ ଓଡିଆ ଆଇପିଏସଙ୍କ ନାମ ଆଗରେ, 24 ରେ ହେବ ଘୋଷଣା

Published: May 17, 2021, 5:30 pm IST

ନୂଆଦିଲ୍ଲୀ, ଖୁବ୍ ଶିଘ୍ର ସିବିଆଇ ନିର୍ଦ୍ଦେଶକ ପଦବୀରେ ବସିବେ ଜଣେ ଓଡିଶାରେ ଜନ୍ମିତ ଆଇପିଏସ ଅଫିସର। ତାଙ୍କ ନାମ କୁଆଡେ ଚୁଡାନ୍ତ ହୋଇ ସାରିଛି ବୋଲି ନୂଆଦିଲ୍ଲୀରେ ବେଶ ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି କେରଳରେ ଡିଜିପି ଥିବା ଓଡିଶାର ଲୋକନାଥ ବେହେରା।

ଏ ନେଇ ଆସନ୍ତା 24 ତାରିଖରେ ନିଯୁକ୍ତି କମିଟ ବୈଠକ ବସୁଛି। ଏହି କମିଟରେ ଖୋଦ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଏନ ଭି ରମନା ଏବଂ ବିରୋଧୀ ଦଳର ନେତା ଅଧିର ରଂଜନ ଚୌଧୁରୀ ସଦସ୍ୟ ଅଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ କେରଳ ଡିଜିପି ଲୋକନାଥ ବେହେରାଙ୍କ ନାମ ସୁପାରିଶ କରିବେ ବୋଲି ଜଣାପଡିଛି।

ଲୋକନାଥ ବେହେରା ହେଉଛନ୍ତି କେରଳ କ୍ୟାଡରର 1985 ବ୍ୟାଚର ଆଇପିଏସ ଅଫିସର। ସେ କେରଳର ବହୁ ଗୁରୁତ୍ବପୂର୍ଣ୍ଣ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ସେ ପ୍ରଥମେ କେରଳର ଅଲ୍ଲାପ୍ପୁଝାର ଏସିପି ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ସେ ତିରିଭୂନ୍ତପୁରମର ଡେପୁଟି କମଶନର, କୋଚିର ପୋଲିସ କମିଶନର ଏବଂ ଭିଜିଲାନସର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କର ଚାକିରୀକାଳ ମଧ୍ୟରେ ସେ ଏନଆଇଏ ଏବଂ ସିବିଆଇରେ ମଧ୍ୟ ବହୁଦିନ ଧରି କାର୍ଯ୍ୟ କରିଛନ୍ତି।

ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ଲୋକନାଥଙ୍କ ସହିତ ବର୍ତ୍ତମାନର କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା, ବିଏସଏଫ ମୁଖ୍ୟ ରାକେଶ ଆସ୍ଥାନା, ଏନଆଇଏ ମୁଖ୍ୟ ୱା. ସି ମୋଦି, ସିଆଇଏସଏଫ ମୁଖ୍ୟ ସୁବୋଧ କାନ୍ତ ଏବଂ ଉତ୍ତରପ୍ରଦେଶ ଡିଜିପି ହିତେଶ ଚନ୍ଦ୍ର ୱାଇସ୍ଥିଙ୍କ ନାମ ଚର୍ଚ୍ଚାରେ ରହିଛି। ତେବେ ସମସ୍ତଙ୍କୁ ପଛରେ ପକାଇ ଲୋକନାଥ ବେହେରାଙ୍କ ନାମ ଚୁଡାନ୍ତ ହୋଇଛି ବୋଲି ଜଣାପଡିଛି।

ଲୋକନାଥ ସିବିଆଇ ନିର୍ଦ୍ଦେଶକ ପଦରେ ନିଯୁକ୍ତି ମିଳିଲେ ସେ ହେବେ ଦ୍ବିତୀୟ ଓଡିଆ ବ୍ୟକ୍ତି। ଏହା ପୂର୍ବରୁ ଉମାଶଙ୍କର ମିଶ୍ର ସିବିଆଇ ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରିଥିଲେ।

Related posts