ବାତ୍ୟା ପାଇଁ ୨୨ଟି ଏନଡିଆରଏଫ, ୬୬ ଟି ଓଡ୍ରାଫ, ୧୭୭ଟି ଅଗ୍ନିଶମ ସେବା ଟିମକୁ ରଖାଗଲା ସଜାଗ

Published: May 22, 2021, 9:50 pm IST

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟାର ମୁକାବିଲା ପାଇଁ ନିୟମିତ ଭାବେ ପ୍ରସ୍ତୁତି ବୈଠକ କରାଯାଉଛି। ସମସ୍ତ ସଂପୃକ୍ତ ବିଭାଗ ଏଥିପାଇଁ ପ୍ରସ୍ତୁତ ରହିଛନ୍ତି। ଲୋକଙ୍କ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ ରଖାଯାଇଛି। ଜଳ ଓ ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ ପାଇଁ ଆବଶ୍ୟକ ଟିମ୍‌ ଓ ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ରଖାଯାଇଛି ବୋଲି ସେ କହିଥିଲେ।

ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା କହିଥିଲେ ଯେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ସଂପର୍କରେ ସଠିକ ସୂଚନା ମିଳିବ। ବାତ୍ୟାର ମୁକାବିଲା ପାଇଁ ସବୁପ୍ରକାର ପ୍ରସ୍ତୁତି କରାଯାଇଛି। ୨୨ଟି ଏନଡିଆରଏଫ ଟିମ୍‌, ୬୬ ଟି ଓଡ୍ରାଫ ଟିମ୍‌ ଏବଂ ୧୭୭ଟି ଅଗ୍ନିଶମ ସେବା ଟିମ୍‌ ଆଦି ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି।

ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ସହିତ ଲୋକଙ୍କ ସ୍ଥାନାନ୍ତର ପାଇଁ ଅତିରିକ୍ତ ଆଶ୍ରୟସ୍ଥଳ ମଧ୍ୟ ଚିହ୍ନଟ କରାଯାଇଛି। ସବୁ ସ୍ଥାନାନ୍ତର କ୍ଷେତ୍ରରେ କୋଭିଡ ନିୟମାବଳୀର ପାଳନ କରାଯିବ। ସେହିପରି ଟେଲିକମ୍‌ ଓ ବିଦ୍ୟୁତ ବିଭାଗକୁ ମଧ୍ୟ ତୁରନ୍ତ ପୁନଃସଂଯୋଗ ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜୁନ୍‌ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ସମ୍ଭାବନା ଥିବା ସମସ୍ତ ଗର୍ଭବତୀ ମହିଳାଙ୍କୁ ହସ୍‌ପିଟାଲକୁ ନେବା ପାଇଁ ଜିଲ୍ଲାଗୁଡିକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଥିଲେ।

Related posts