ନୂଆଦିଲ୍ଲୀ, କୋଭିଡ଼ ୧୯ ଟିକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ , କେନ୍ଦ୍ରଶାସିତ କ୍ଷେତ୍ର ତଥା ଅନ୍ୟ ସମସ୍ତ ହିତଧାରକମାନଙ୍କୁ ମାର୍ଗଦର୍ଶନ କରିବା, ସମୀକ୍ଷା ଓ ଏହି କାର୍ଯ୍ୟକ୍ରମର ନିରୀକ୍ଷଣ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ସ୍ୱରୂପ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସ୍ୱାସ୍ଥ୍ୟ ପ୍ରଶାସକମାନଙ୍କ ସହ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ରାଜ୍ୟମାନଙ୍କ ଟିକାକରଣ ପ୍ରଗତି, କୋୱିନ୍ ସଫ୍ଟୱେରରେ ଆବଶ୍ୟକ ପରିବର୍ତ୍ତନ ଯାହାକି ରାଜ୍ୟମାନଙ୍କୁ ଟିକାକରଣ ପ୍ରକ୍ରିୟାକୁ ଅଧିକ ସରଳ ଓ ସହଜ ଭାବେ ସଂପାଦନ କରିବାରେ ସହାୟକ ହେବ ତଥା କୋଭିଡ଼ ୧୯ ସଂକ୍ରମଣ ପରିଚାଳନାକୁ ଅନୁପାଳନ ପୂର୍ବକ କଣ୍ଟେନମେଣ୍ଟ ଜୋନ୍ ପ୍ରତିଷ୍ଠ ଏବଂ ସେହିସବୁ ନିର୍ଦ୍ଦେଶାବଳୀର ପ୍ରବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା । କୋଭିଡ଼ ମହାମାରୀକୁ ନିୟନ୍ତ୍ରଣ କରିବାରେ ଏହା ମେରୁଦଣ୍ଡ ସଦୃଶ କାର୍ଯ୍ୟ କରିବ ବୋଲି କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଅଧ୍ୟକ୍ଷତା କରିଥିଲେ ।
ବୈଠକ ପ୍ରାରମ୍ଭରେ ସାରା ଦେଶର ଟିକାକରଣର ପ୍ରଗତି ସମ୍ପର୍କର ବିସ୍ତୃତ ତଥ୍ୟାବଳୀ ଉପସ୍ଥାପନ କରାଯାଇଥିଲା । ଯେଉଁସବୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ର ଟିକାକରଣ ଦୃଷ୍ଟିରୁ ଅନ୍ୟାନ୍ୟ ରାଜ୍ୟମାନଙ୍କ ତୁଳନାରେ ପଛୁଆ ରହିଛନ୍ତି ସେମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ସେହିସବୁ ରାଜ୍ୟଗୁଡ଼ିକର ଆପଦାଗ୍ରସ୍ତ ବର୍ଗର ଲୋକମାନଙ୍କୁ ଯେଭଳି ଯଥାଶୀଘ୍ର ଏହି ଟିକା ପ୍ରଦାନ କରାଯାଏ ତାହା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
ସ୍ୱାସ୍ଥ୍ୟସେବା କର୍ମୀ (ଏଚସିଡବ୍ଲୁ) ଓ ଛାମୁଆ କର୍ମୀ (ଏଫଏଲଡବ୍ଲୁ)ମାନଙ୍କୁ ରାଜ୍ୟୱାରୀ ଏବେସୁଦ୍ଧା କେତେ ଲେଖାଏଁ ପ୍ରଥମ ଡୋଜ୍ ଏବଂ ଦ୍ୱିତୀୟ ଡୋଜ୍ ଟିକା ପ୍ରଦାନ କରାଯାଇଛି ସେ ସଂପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଏହି ବର୍ଗର କର୍ମୀମାନଙ୍କୁ ଟିକା ପ୍ରଦାନ କରାଯିବାର ସୁଯୋଗ ଓ ମାତ୍ରାକୁ ବୃଦ୍ଧି କରିବା ଉପରେ ଭୂଷଣ ଗୁରୁତ୍ୱ ଆରୋପ କରିଥିଲେ।
ଟିକା ନଷ୍ଟ ମାତ୍ରାକୁ ୧% ମଧ୍ୟରେ ସୀମିତ ରଖିବା ସକାଶେ ରାଜ୍ୟମାନଙ୍କୁ ବାରମ୍ବାର ପରାମର୍ଶ ଦିଆଯିବା ସତ୍ତ୍ୱେ ଅନେକ ରାଜ୍ୟ ଯଥା, ଝାଡ଼ଖଣ୍ଡ (୩୭.୩%), ଛତିଶଗଡ଼ (୩୦.୨%), ତାମିଲ ନାଡ଼ୁ (୧୫.୫%), ଜାମ୍ମୁ ଓ କାଶ୍ମୀର (୧୦.୮%), ମଧ୍ୟ ପ୍ରଦେଶ (୧୦.୭%) ଜାତୀୟ ନଷ୍ଟ ମାତ୍ରା ଠାରୁ ଢ଼େର୍ ଅଧିକ ଟିକା ନଷ୍ଟ କରୁଥିବାରୁ ଉଦ୍ବେଗ ପ୍ରକାଶ ପାଇଥିଲା । ଜାତୀୟ ସ୍ତରରେ ଟିକା ନଷ୍ଟ ମାତ୍ରା ଏବେ ୬.୩% ରହିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ପୁନର୍ବାର ପରାମର୍ଶ ଦେଇଥିଲେ ଯେ ସେମାନେ କୋୱିନ୍ର ସରଳୀକରଣ ସୁବିଧାର ପୂର୍ଣ୍ଣ ଫାଇଦା ଉଠାନ୍ତୁ ଯଦ୍ୱାରା ଟିକାକରଣ ମାତ୍ରା ତ୍ୱରାନ୍ୱିତ ହୋଇପାରିବ ।
ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ସେମାନେ ନିଜ ନିଜର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରନ୍ତୁ । ପ୍ରତି ରାଜ୍ୟ ନିକଟରେ ଯେତିକି ଷ୍ଟକ୍ ଉପଲବ୍ଧ ରହିଛି ଏବଂ ଜୁନ, ୨୦୨୧ ସୁଦ୍ଧା ସେମାନେ ଆଉ ଯେତିକି ଷ୍ଟକ୍ ପାଇବାର ଆଶା କରୁଛନ୍ତି ତାହାକୁ ନେଇ ଏହି କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବା ଆବଶ୍ୟକ ।
ପ୍ରତ୍ୟେକ ଟ୍ରେଞ୍ଚ୍ର ଆନୁମାନିକ ଯୋଗାଣ ଯାହାକି ଜୁନ,୧୫,୨୦୨୧ ପର୍ଯ୍ୟନ୍ତ ଆଶା କରାଯାଉଛି ଏବଂ ଯେଉଁ ଟିକାକୁ ଭାରତ ସରକାର ମାଗଣାରେ ଯୋଗାଇଦେବେ ଏବଂ ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ରାଜ୍ୟମାନେ ଯେଉଁ ଟିକା ସିଧାସଳଖ ଭାବେ ଟିକା ପ୍ରସ୍ତୁତକାରୀ କମ୍ପାନୀମାନଙ୍କ ଠାରୁ କ୍ରୟ କରିବେ ସେ ସଂପର୍କୀତ ତଥ୍ୟ ସୂଚନା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଇଛି ।
ଟିକା ଉତ୍ପାଦନକାରୀ କମ୍ପାନୀମାନଙ୍କ ସୟ ନିୟମିତ ଭାବେ ସମନ୍ୱୟ ଓ ଯୋଗସୂତ୍ରରେ ରହିବା ସକାଶେ ରାଜ୍ୟମାନେ ୨/୩ ଜଣିଆ ଏକ ସମର୍ପିତ ଟିମ୍ ଗଠନ କରିବାକୁ ଭୂଷଣ ପରାମର୍ଶ ଦେଇ କହିଲେ ଯେ ତଦ୍ୱାରା ଏହି ଟିକା “ଭାରତ ସରକାରଙ୍କ ମାଧ୍ୟମ ବିନା ଅନ୍ୟ ସୂତ୍ରରୁ” ସହଜରେ ସେମାନଙ୍କୁ ପ୍ରାପ୍ତ ହୋଇପାରିବ । ସେଥି ମଧ୍ୟରେ ଘରୋଇ ହସପିଟାଲ (ଘରୋଇ ହସପିଟାଲମାନଙ୍କୁ ଯେତିକି ଡୋଜର ଟିକା ଦେବାକୁ ଚୁକ୍ତି ସ୍ୱାକ୍ଷରିତ ହୋଇଛି ଏବଂ ଯେତିକି ଟିକା ଯୋଗାଯାଇଛି ତାହାର ତାଲିକା ଓ ସୂଚନା ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ପ୍ରତିଦିନ ଯୋଗାଇ ଦିଆଯାଇଥାଏ) ମଧ୍ୟ ସାମିଲ ।
ଏକ ବିସ୍ତୃତ ତଥା ବିଶ୍ଳେଷଣାତ୍ମକ ଉପସ୍ଥାପନ ଜରିଆରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିକାଶ ଶିଲ୍ କୋୱିନ୍ ଡିଜିଟାଲ ପ୍ଲାଟଫର୍ମର ନୂତନ ବୈଶିଷ୍ଟ୍ୟ ତଥା ଏହାର କାର୍ଯ୍ୟକାରୀତା ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସିଭିସି ପରିଚାଳନା ସଂପର୍କରେ ସୂଚନା ଦେଇ ସେ କହିଲେ ଯେ ୧୮ରୁ ୪୪ ବର୍ଷର ଆୟୁସୀମା ମଧ୍ୟରେ ଏବେ ସର୍ବନିମ୍ନ ଆୟୁକୁ ଏଥିରେ ସେଟ୍ କରାଯାଇପାରିବ । ସ୍ପୁଟନିକ୍ ଟିକାକୁ କୋୱନ୍ ପୋର୍ଟାଲରେ ସାମିଲ କରାଯାଇଥିବା ବିଷୟ ରାଜ୍ୟମାନଙ୍କୁ ଅବଗତ କରାଯାଇଥିଲା ।
ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲ ଯେ ସଦ୍ୟତମ ମାର୍ଗଦର୍ଶିକା ସମ୍ପର୍କରେ ରାଜ୍ୟମାନଙ୍କୁ ସୂଚୀତ କରାଯାଇଛି ଏବଂ କୋଭିଡ଼ ଟିକାକରଣ କେନ୍ଦ୍ରର କାର୍ଯ୍ୟସ୍ଥଳୀ, କର୍ମଚାରୀମାନଙ୍କ ଦ୍ୱାରା ପରିବାରର ସଦସ୍ୟ ବୋଲି ନିରୂପିତ ସଂଜ୍ଞା ଯାହାକି ଏବେ ଟିକାକରଣ ବେଳେ ଗ୍ରହଣ କରାଯିବ ସେ ସମ୍ପର୍କରେ ସମସ୍ତେ ଅବଗତ ହେବା ଦରକାର । ଏହା ବ୍ୟତୀତ ‘ଯେଉଁ ଲୋକମାନଙ୍କର କୌଣସି ପରିଚୟପତ୍ର ନାହିଁ’ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଧିବେଶନ କରାଯିବ ।
ଅର୍ଦ୍ଧ ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁସିତ କ୍ଷେତ୍ରରେ କୋଭିଡ଼ ୧୯ ନିୟନ୍ତ୍ରଣ କରିବା ସକାଶେ ଜାରି ଏସଓପି ସମ୍ପର୍କରେ ଏକ ବିସ୍ତୃତ ମାର୍ଗଦର୍ଶିକା ଉପସ୍ଥାପନ କରାଯାଇଥିଲା । ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ନିଜର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବ୍ଲକ୍ ସ୍ତରର ସ୍ୱାସ୍ଥ୍ୟ ସେବାକେନ୍ଦ୍ରଗୁଡ଼ିକୁ ରିଡିଜାଇନ ନବୀକରଣ କରନ୍ତୁ ଯଦ୍ୱାର ଏହି ସ୍ଥିତିକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ । ସେହିଭଳି ଅଣ କୋଭିଡ଼ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ସେବା, ଗୋଷ୍ଠୀ ସଚେତନତା ଓ କାର୍ଯ୍ୟକାରୀତାରେ ପରିବର୍ତ୍ତନ ଓ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତିକରଣ ଓ ସେହିସବୁ ଇଲାକାରେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଆରୋପ କରାଯିବା ଉଚିତ ।
ସାମଗ୍ରିକ ଭାବେ ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର, ଯଥା, ସ୍ୱାସ୍ଥ୍ୟସେବା, ଭିତ୍ତିଭୂମି, ତାଲିମ ଓ ମାନବ ସମ୍ବଳ, ଲଜିଷ୍ଟିକ୍ସ, ରେଫେରାଲ ଓ ଟେଲିମେଡ଼ିସିନ୍ ସହାୟତା ଓ ଗୋଷ୍ଠୀ ସକ୍ରିୟତା ଉପରେ ବିସ୍ତୃତ ଏସଓପି ଉପସ୍ଥାପନ କରାଯାଇଥିଲା । ଏହିସବୁ ଏସଓପିକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ନିମନ୍ତେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।