କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ପରିବାରକୁ କେନ୍ଦ୍ରର ସହାୟତା, ଆବେଦନ କରିବାକୁ ଆହ୍ବାନ

Published: May 27, 2021, 10:26 pm IST

ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ତତ୍ତ୍ଵାବଧାନରେ ମନ୍ତ୍ରଣାଳୟ ନିଜ ପକ୍ଷରୁ ୨୦୨୦ ଓ ୨୦୨୧ରେ କୋଭିଡ-୧୯ରେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ସଂଗ୍ରହ କରି ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସେମାନଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଯୋଜନା କରିଛନ୍ତି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅମିତ ଖାରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାମ୍ବାଦିକ କଲ୍ୟାଣ ଯୋଜନା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପ୍ରସ୍ତାବରେ ୨୦୨୦-୨୧ ଆର୍ଥିକ ବର୍ଷରେ କୋଭିଡ-୧୯ ଯୋଗୁଁ ପ୍ରାଣ ହରାଇଥିବା ୨୬ଜଣ ସାମ୍ବାଦିକଙ୍କ ପ୍ରତ୍ୟେକ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ଅନ୍ତର୍ଭୁକ୍ତ ।

କେନ୍ଦ୍ର ସରକାର ମୃତ ସାମ୍ବାଦିକମାନଙ୍କ ୪୧ଟି ପରିବାରକୁ ଦେଉଥିବା ଆର୍ଥିକ ସହାୟତା ମିଶାଇବା ପରେ କୋଭିଡ ସହ ପ୍ରାଣତ୍ୟାଗ କରିଥିବା ସାମ୍ବାଦିକଙ୍କ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି । କମିଟି ପକ୍ଷରୁ ଗଭୀର ଶୋକପ୍ରକଟ କରାଯିବା ସହ ଦିବଂଗତ ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ଶୋକ ସନ୍ଦେଶ ମଧ୍ୟ ଜଣାଇ ଦିଆଯାଇଛି ।

ପତ୍ର ସୂଚନା କାର୍ଯ୍ୟାଳୟ ମଧ୍ୟ ନିଜ ପକ୍ଷରୁ କୋଭିଡ-୧୯ରେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ପରିବାରବର୍ଗଙ୍କୁ ଦେଖାକରି ସେମାନଙ୍କ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ସହାୟତା ପାଇଁ ଆବେଦନ କରିବାକୁ ପ୍ରବର୍ତ୍ତାଇଥିଲେ ।

କମିଟି ମଧ୍ୟ ପ୍ରତି ସପ୍ତାହରେ ସାମ୍ବାଦିକ କଲ୍ୟାଣ ଯୋଜନା ବୈଠକ କରି ଆର୍ଥିକ ସହାୟତା ପାଇଁ ଆବେଦନକାରୀଙ୍କ ଦରଖାସ୍ତ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଥିଲେ । କୋଭିଡ-୧୯ ବ୍ୟତୀତ ଅନ୍ୟକାରଣ ଯୋଗୁଁ ପ୍ରାଣ ହରାଇଥିବା ୧୧ଜଣ ସାମ୍ବାଦିକ ପରିବାରର ଦରଖାସ୍ତ ମଧ୍ୟ ଆଜି ବିଚାରକୁ ନେଇଥିଲେ ।

ଜେଏସଡବ୍ଲୁ ବୈଠକରେ ପିଆଇବିର ପ୍ରଧାନ ମହାନିର୍ଦ୍ଦେଶକ ଜୟଦୀପ ଭଟ୍ଟନାଗର, ମନ୍ତ୍ରଣାଳୟ ଯୁଗ୍ମ ସଚିବ ବିକ୍ରମ ସହାୟ, କମିଟିର ସାମ୍ବାଦିକ ପ୍ରତିନିଧି ସନ୍ତୋଷ ଠାକୁର, ଅମିତ କୁମାର, ଉମେଶ୍ୱର କୁମାର, ସର୍ଜନା ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।

ପିଆଇବି ୱେବସାଇଟ୍ ଜରିଆରେ https://accreditation.pib.gov.in/jws/default.aspx  ସାମ୍ବାଦିକ ଓ ସେମାନଙ୍କ ପରିବାର ସାମ୍ବାଦିକ କଲ୍ୟାଣ ଯୋଜନା ଅଧୀନରେ ସହାୟତା ପାଇଁ ଆବେଦନ କରିପାରିବେ ।

Related posts