ଶ୍ରୀମନ୍ଦିରର ଗର୍ଭଗୃହ ସହ ଏଥର ପାର୍ଶ୍ବ ଦେବାଦେବୀ ମନ୍ଦିର ସଂରକ୍ଷଣ ପାଇଁ ପ୍ରସ୍ତୁତ ହେବ 5 ବର୍ଷିୟା ଯୋଜନା

Published: Jun 3, 2021, 6:37 pm IST

ପୁରୀ, ଆସନ୍ତା ରଥଯାତ୍ରା ବେଳେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ତଥା ମରାମତି ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶ୍ରୀମନ୍ଦିର ଅଧିକାରୀ, ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା ଏବଂ ପୂର୍ତ୍ତ ବିଭାଗର ଅଧିକାରୀମାନେ ଅନଲାଇନରେ ଯୋଗ ଦେଇଥିଲେ।

ସାଧାରଣତଃ ରଥଯାତ୍ରା ସମୟରେ ଶ୍ରୀଜୀୟୁ ରତ୍ନ ସିଂହାସନ ପରିତ୍ୟାଗ କରି ଗୁଣ୍ଡିଚା ମନ୍ଦିରକୁ ଆସିଥାନ୍ତି। ଏହି ସମୟରେ ମନ୍ଦିର ଖାଲି ରହୁଥିବାରୁ ପ୍ରତିବର୍ଷ ଏହାର ଗର୍ଭଗୃହ ଯାଞ୍ଚ ସହିତ ମରାମତି କରାଯାଇଥାଏ। ସେଥିପାଇଁ ଆସନ୍ତା ଜୁଲାଇରେ ରଥଯାତ୍ରା ପଡୁଥିବାରୁ ଏହି କାର୍ଯ୍ୟ କିପରି ହେବ ସେ ନେଇ ଆଲୋଚନା କରାଯାଇଥିଲା।

ତେବେ ଚଳିତ ବର୍ଷ ଗର୍ଭଗୃହ ସହିତ ମନ୍ଦିରର ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ମଧ୍ୟ ଯାଞ୍ଚ କରାଯିବ ବୋଲି ନିଷ୍ପତି କରାଯାଇଛି। କାରଣ ଶ୍ରୀମନ୍ଦିରରେ ଠାକୁର ଥିବା ବେଳେ ଭକ୍ତଙ୍କ ଗହଳି ମଧ୍ୟରେ ପାର୍ଶ୍ବ ଦେବାଦେବୀ ମନ୍ଦିର ମଧ୍ୟ ଯାଞ୍ଚ କରିବା ସମ୍ଭବ ହୋଇ ନ ଥାଏ। ସେଥିପାଇଁ ଚଳିତ ବର୍ଷ ସେସବୁ ଉପରେ ଦୃଷ୍ଟି ଦେବାକୁ ନିଷ୍ପତି ହୋଇଛି।

ଏହି ପାର୍ଶ୍ବ ମନ୍ଦିର ଏବଂ ମନ୍ଦିରର ଅନ୍ୟ ଭାଗର ସଂରକ୍ଷଣ ନିମନ୍ତେ ଏକ ପାଞ୍ଚ ବର୍ଷିୟା ବିସ୍ତୁତ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ନିଷ୍ପତି କରାଯାଇଛି। ଫଳରେ କେଉଁ ମନ୍ଦିର ଠାକୁର ଏବଂ ଭକ୍ତ ଥିଲେ ମଧ୍ୟ କାର୍ଯ୍ୟ କରି ହେବ ସେ ନେଇ ଯୋଜନା ପ୍ରସ୍ତୁତ କରାଯିବ।

ପୂର୍ବରୁ ତିନି ଠାକୁର ରଥକୁ ଆସିବା ପରେ କେବଳ ଗର୍ଭ ଗୃହ ଯାଞ୍ଚ ସହିତ ମରାମତି କରାଯାଉଥିଲା। ଠାକୁର ରତ୍ନ ସିଂହାସନକୁ ଆସିବା ପର୍ଯ୍ୟନ୍ତ ଏହି କାମ ଚାଲୁଥିଲା। ହେଲେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପାଶ୍ବ ଦେବାଦେବୀ ତଥା ମନ୍ଦିରର ଅନ୍ୟଭାଗର ସଂରକ୍ଷଣ ପାଇଁ ମଧ୍ୟ ନିଷ୍ପତି କରାଯାଇଛି।

Related posts