ଏଣିକି ଦେଶର ସମସ୍ତଙ୍କୁ ମିଳିବ ମାଗଣା କୋଭିଡ19 ଟିକା, ପ୍ରଧାନମନ୍ତ୍ରୀ କଲେ ଘୋଷଣା

Published: Jun 7, 2021, 6:00 pm IST

ନୂଆଦିଲ୍ଲୀ, ବର୍ତ୍ତମାନ ସମୟରେ କୋଭିଡ ଟିକା ସମସ୍ତଙ୍କର ଆବଶ୍ୟକତା ରହିଛି। ଏହା ଲୋକଙ୍କ ପାଇଁ ଯେପରି ଆବଶ୍ୟକ ଦେଶ ପାଇଁ ମଧ୍ୟ ସେତିକି ଜରୁରୀ। ସେଥିପାଇଁ ସାରା ଦେଶର ଲୋକଙ୍କୁ ବର୍ତ୍ତମାନ ମାଗଣା ଟିକାକରଣ କରାଯିବ। ଆଜି ଦେଶବାସୀଙ୍କୁ ସମ୍ବୋଧୀତ କରି ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ଦୀର୍ଘ ଭାଷଣରେ ମୋଦି କହିଛନ୍ତି ଯେ,ଏଥିରେ ଧନି ଗରିବ କିଛି ବାଛ ବିଛାର କରାଯାଇ ନାହିଁ। ଟିକା ସାଧାରଣ ନାଗରିକର ଆବଶ୍ୟକତା ଥିବାରୁ ବର୍ତ୍ତମାନ ସାରା ଦେଶବାସୀ ଏହା ମାଗଣା ପାଇବେ।

ତେବେ ପୂର୍ବରୁ ଓଡିଶା ସମେତ କେତେକ ରାଜ୍ୟ କୋଭିଡ ଟିକା ମାଗଣାରେ ପ୍ରଦାନ କରୁଥିଲେ। ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 18ରୁ 44 ବର୍ଷ ବର୍ଗର ବ୍ୟକ୍ତିଙ୍କୁ ମାଗଣା ଟିକା ପ୍ରଦାନ କରି ଆସୁଛନ୍ତି। ହେଲେ କେତେକ ରାଜ୍ୟର ଲୋକଙ୍କୁ ଏହା କିଣିବାକୁ ପଡୁଥିଲା। ଏପରିକି ଓଡିଶାରେ ମଧ୍ୟ ପ୍ରଥମେ ଟିକାକରଣ ବେଳେ 250 ଟଙ୍କା ଲେଖାଏଁ ଆଦାୟ କରାଯାଉ ଥିଲା। ବର୍ତ୍ତମାନ ସାରା ଦେଶବାସୀ ମାଗଣାରେ ଟିକାକରଣ କରିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ଜୁନ 21 ତାରିଖଠାରୁ ଲାଗୁ କରାଯିବ ବୋଲି କୁହାଯାଇଛି।

ତେବେ ମୋଦି କହିଛନ୍ତି ଯେ, ଯେଉଁମାନେ ଟିକା କିଣିବା ପାଇଁ ଚାହୁଁଛନ୍ତି , ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଘରୋଇ ଡାକ୍ତରଖାନାରେ ଏହି ବ୍ୟବସ୍ଥା କରାଯାଇଛି। ଘରୋଇ ହସପିଟାଲଗୁଡିକ ରାଜ୍ୟ ସରକାରଙ୍କ ଅନୁମତି ନେଇ ସିଧା ଟିକା କଂପାନୀଠାରୁ ଟିକା କିଣିପାରିବେ। ଯେଉଁମାନେ ପଇସା ଦେଇ ଟିକାକରଣ କରିବାକୁ ଚାହୁଛନ୍ତି ସେହିମାନେ ଏହି ହସପିଟାଲରୁ ଟିକା ନେଇପାରିବେ। ତେବେ ଗୋଟିଏ ଡୋଜ ପିଛା ମାତ୍ର 150 ଟଙ୍କା ହସପିଟାଲ ନେଇ ପାରିବେ। ତାଠାରୁ ଅଧିକ ପଇସା ନେଇପାରିବେ ନାହିଁ ବୋଲି ମୋଦି କହିଛନ୍ତି।

ଏହି ସମ୍ବୋଧନ ବେଳେ ମୋଦି କହିଛନ୍ତି ଯେ, ଭାରତ ବର୍ତ୍ତମାନ ଟିକା କରଣରେ ବେଶ୍ ଆଗେଇ ପାରିଛି। ବର୍ତ୍ତମାନ ସୁଦ୍ଧା ଦେଶରେ 23 କୋଟି ଲୋକଙ୍କୁ ଟିକାକରଣ କରାଯାଇଛି। ଟିକାକରଣ ପାଇଁ ମିଶନ ଇନ୍ଦ୍ରଧନୁଶ ଲାଗୁ କରାଯାଇଛି। ଫଳରେ ସାରା ଦେଶରେ ଟିକାକରଣ ଦ୍ରୁତଗତିରେ ଆଗେଇ ଚାଲିଛି। ପୂର୍ବରୁ ରାଜ୍ୟମାନଙ୍କୁ ଟିକା କିଣିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ହେଲେ ସେଥିରେ କିଛି ସମସ୍ୟା ଦେଖା ଦେଲା। ତେଣୁ ସେହି ସମସ୍ୟାକୁ ଦୂର କରିବା ପାଇଁ ବର୍ତ୍ତମାନ କେନ୍ଦ୍ର ସରକାର ସମସ୍ତ ଟିକା କିଣି ରାଜ୍ୟ ସରକାରଙ୍କୁ ମାଗଣାରେ ପ୍ରଦାନ କରିବେ।

ସେହିପରି ମୋଦି କହିଥିଲେ ଯେ, କୋଭିଡ ଟିକାକରଣ ପାଇଁ ଯେଉଁ କୋଉଇନ୍ ବା CoWin ଅନଲାଇନ ବ୍ୟବସ୍ଥା କରାଯାଇଛି ତାହା ସାରା ବିଶ୍ବରେ ବେଶ ଚର୍ଚ୍ଚା ଚାଲିଛି। ଏହା କିପିର କାର୍ଯ୍ୟକ୍ଷମ ହେଉଛି ସେ ନେଇ କେତେକ ଦେଶ ଏହିପରି ମଡେଲକୁ ଲାଗୁ କରିବା ପାଇଁ ମଧ୍ୟ ନିଷ୍ପତି କରିଛନ୍ତି। ତେଣୁ କରୋନା ମୁକାବିଲାରେ ସାରା ବିଶ୍ବରେ ଭାରତ ଏକ ଆଦର୍ଶ ହୋଇପାରିଛି ବୋଲି ମୋଦି କହିଛନ୍ତି।

Related posts