ଟିକାକରଣ ପାଇଁ ଏବେ ରାଜ୍ୟଗୁଡିକ ପାଖରେ ଅଛି ୨.୧୪ କୋଟିରୁ ଅଧିକ ଡୋଜ, କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ

Published: Jun 23, 2021, 12:28 am IST

ନୂଆଦିଲ୍ଲୀ, ଗତକାଲିଠାରୁ ସାର୍ବଜନୀନ କୋଭିଡ-୧୯ ଟିକାକରଣର ନୂତନ ପଯ୍ୟାୟ ଆରମ୍ଭ ହୋଇଛି । ମହାମାରୀକୁ ପ୍ରତିହତ ଏବଂ ପରିଚାଳନା କରିବା ନିମନ୍ତେ ପରୀକ୍ଷା, ଚିହ୍ନଟ, ଚିକିତ୍ସା ଏବଂ କୋଭିଡ ଉପଯୁକ୍ତ ବ୍ୟବହାର ସମେତ ଟିକାକରଣ ହେଉଛି ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ସାରା ଦେଶରେ କୋଭିଡ-୧୯ ଟିକାକରଣକୁ ତ୍ୱରାନ୍ୱିତ କରିବା ଏବଂ ଏହାର ପରିସରକୁ ବ୍ୟାପକ କରିବା ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ।

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ୧୬ ଜାନୁଆରୀ ୨୦୨୧ରେ ରାଷ୍ଟ୍ରବ୍ୟାପୀ କୋଭିଡ-୧୯ ଟିକାକରଣ କାର‌୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ଟିକାକରଣ ଅଭିଯାନ ଅଧିକ ସଂଖ୍ୟକ ଟିକା ଉପଲବ୍ଧତା, ଉତ୍ତମ ଯୋଜନା ପ୍ରସ୍ତୁତି ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ନିକଟରେ ଅଧିକ ସଂଖ୍ୟକ ଟିକା ଉପଲବ୍ଧ ହେବା ଏବଂ ଟିକା ଯୋଗାଣ ଶ୍ରୁଙ୍ଖଳକୁ ବ୍ୟବସ୍ଥିତ କରିବା ଜରିଆରେ ଗତିଶୀଳ କରାଯାଇଛି ।

ଦେଶବ୍ୟାପୀ ଟିକାକରଣ ଅଭିଯାନର ଅଂଶବିଶେଷ ସ୍ଵରୂପ, ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସଂପୂର୍ଣ୍ଣ ମାଗଣାରେ କୋଭିଡ ଟିକା ଯୋଗାଇଦେବାରେ ସହାୟତା କରୁଛନ୍ତି । ନୂତନ ପର‌୍ୟ୍ୟାୟ ସାର୍ବଜନୀନ କୋଭିଡ-୧୯ ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର ଦେଶର ଟିକା ଉତ୍ପାଦନକାରୀମାନଙ୍କ ଠାରୁ ୭୫ ପ୍ରତିଶତ ଟିକା କ୍ରୟ କରି ସେଗୁଡିକୁ ସଂପୂର୍ଣ୍ଣ ମାଗଣାରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଯୋଗାଇ ଦେଉଛନ୍ତି।

ବର୍ତ୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଉଭୟ ବିନା ମୂଲ୍ୟରେ ଏବଂ ରାଜ୍ୟମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କ୍ରୟ ପ୍ରକ୍ରିୟାରେ ୨୯.୩୫ କୋଟି ଡୋଜରୁ ଅଧିକ (୨୯,୩୫,୦୪,୮୨୦) ଟିକା ଉପଲବ୍ଧ କରାଇଛନ୍ତି । ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ୨୭,୨୦,୧୪,୫୨୩ ଡୋଜ ଟିକା (ଆଜି ସକାଳ ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି ।

ଏବେ ରାଜ୍ୟଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ନିକଟରେ ୨.୧୪ କୋଟି (୨,୧୪,୯୦,୨୯୭) ଡୋଜରୁ ଅଧିକ କୋଭିଡ ଟିକା ବିନିଯୋଗ ହେବା ପାଇଁ ଉପଲବ୍ଧ ରହିଛି । ଏହା ବ୍ୟତୀତ, ବର୍ତ୍ତମାନ ୩୩,୮୦,୫୯୦ରୁ ଅଧିକ ଡୋଜ ଟିକା ପାଇପ ଲାଇନରେ ଅଛି ଏବଂ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଏହାକୁ ଗ୍ରହଣ କରିବେ ।

Related posts