ଅଲମ୍ପିକ୍ସରେ ଭାଗ ନେବା ପାଇଁ ଆଜି ରାତିରେ ଟୋକିଓ ଗସ୍ତ କରିବେ ୫୪ଜଣ ଭାରତୀୟ କ୍ରୀଡାବିତ

Published: Jul 17, 2021, 11:46 pm IST

ନୂଆଦିଲ୍ଲୀ, ଆଉ ଏକ ସପ୍ତାହ ମଧ୍ୟରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେଉଛି । ଏଥିରେ ଭାଗନେବାକୁ ଯାଉଥିବା ଭାରତୀୟ କ୍ରୀଡାବିତ୍‌ଙ୍କ ପ୍ରଥମ ଦଳକୁ ଆଜି ବିଳମ୍ବିତ ରାତିରେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆନୁଷ୍ଠାନିକ ଭାବେ ଗସ୍ତ କରିବେ। ପ୍ରଥମ ଦଫାରେ ଯାଉଥିବା ଦଳରେ ମୋଟ ୮୮ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ୫୪ଜଣ କ୍ରୀଡାବିତ୍ । ଅନ୍ୟ ୩୪ଜଣ ହେଲେ ସହାୟକ କର୍ମଚାରୀ ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନରେ ପ୍ରତିନିଧି ।

ଏହି ଆନୁଷ୍ଠାନିକ ମେଲାଣି ଉତ୍ସବରେ କେନ୍ଦ୍ରୀ କ୍ରୀଡା ଓ ବ୍ୟାପାରମନ୍ତ୍ରୀ ଅନୁରାଗ ସିଂହ ଠାକୁର, ରାଷ୍ଟ୍ରମନ୍ତ୍ରୀ ନିଶୀଥ ପ୍ରମାଣିକ ଯୋଗଦେଇ ଖେଳାଳି ଏବଂ ଅଧିକାରୀ, ପ୍ରତିନିଧିମାନଙ୍କୁ ବିଦାୟ ଜଣାଇବେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ସଭାପତି ଶ୍ରୀ ନରିନ୍ଦର ଧ୍ରୁବ ବାତ୍ରା, ମହାସଚିବ ଶ୍ରୀ ରାଜୀବ ମେହେତା ଓ ଭାରତୀୟ କ୍ରୀଡା ପ୍ରାଧିକରଣର ମହାନିର୍ଦ୍ଦେଶକ ଶ୍ରୀ ସନ୍ଦୀପ ପ୍ରଧାନ ପ୍ରମୁଖ ଯୋଗଦେବେ ।
ପ୍ରଥମ ବ୍ୟାଚରେ ତୀରନ୍ଦାଜି, ହକି,ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଜୁଡୋ, ଜିମ୍ନାଷ୍ଟିକ ଓ ଭାରୋତ୍ତନ ଆଦି ଆଠଟି ବିଭାଗର କ୍ରୀଡାବିତ୍‌, ସହାୟକ କର୍ମଚାରୀ ଓ ଅଧିକାରୀ ଆଜି ରାତିରେ ଟୋକିଓ ଅଭିମୁଖେ ଯାଉଛନ୍ତି । ଏହି ଦଳରେ ସର୍ବାଧିକ ସଦସ୍ୟ ଅଛନ୍ତି ହକି ଖେଳାଳୀ ।

ଖେଳାଳି ମାନଙ୍କ ନିରାପତ୍ତା ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ସବୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କର କୋଭିଡ୍ ଟେଷ୍ଟ କରାଯାଇଛି । ଯେଉଁମାନଙ୍କର ନେଗେଟିଭ ରିପୋର୍ଟ ଆସିଛି ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁମତି ଦିଆଯାଇଛି । ଏଥିପାଇଁ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷା ଓ ଅନ୍ୟାନ୍ୟ କୋଭିଡ୍ ନିୟମ ପାଳନ କରାଯାଉଛି ।
ଟୋକିଓ ଅଲିମ୍ପିକ୍ସରେ ଯୋଗ ଦେବାକୁ ୧୨୭ଭାରତୀୟ କ୍ରୀଡାବିତ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ଏକ ରେକର୍ଡ । ଏହା ପୂର୍ବରୁ ରିଓ ଅଲିମ୍ପିକ୍ସକୁ ଭାରତ ସବୁଠୁ ବଡ ୧୧୭ଜଣିଆ ଦଳ ପଠାଇଥିଲା ।

Related posts