ଆଜି ମଧ୍ୟ ସଂସଦର ଉଭୟ ଗୃହରେ ପେଗାସସ୍ ସହିତ କୃଷି ଆଇନକୁ ବିରୋଧ କରି ହଟ୍ଟଗୋଳ

Published: Aug 5, 2021, 11:12 pm IST

ନୂଆଦିଲ୍ଲୀ, ପେଗାସସ୍ ଗୁପ୍ତଚର, କୃଷି ଆଇନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀଙ୍କ କ୍ରମାଗତ ବିରୋଧ ଯୋଗୁଁ ଆଜି ସଂସଦରେ ହଟ୍ଟଗୋଳ ଜାରି ରହିଛି। ଉତ୍ତେଜନା କାରଣରୁ ଉଭୟ ଗୃହର ପ୍ରକ୍ରିୟା ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ପ୍ରଥମ ମୁଲତବୀ ପରେ କଂଗ୍ରେସ, ତ୍ରୁଣମୂଳ କଂଗ୍ରେସ, ଡିଏମକେ ଏବଂ ଅନ୍ୟ ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ଉତ୍ତେଜନା ମଧ୍ୟରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଦିଲ୍ଲୀରେ ଯୌନ ଶୋଷଣ ତଥା ଦଳିତ ଝିଅର ମୃତ୍ୟୁ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ ମହିଳାଙ୍କ ସୁରକ୍ଷାକୁ ନେଇ ସରକାର ବହୁତ ଚିନ୍ତିତ ଅଛନ୍ତି।

ଏହା ପୂର୍ବରୁ ସକାଳେ ଯେତେବେଳେ ଲୋକସଭା ଆରମ୍ଭ ହୋଇଥିଲା, ବିରୋଧୀ କଂଗ୍ରେସ, ତ୍ରୁଣମୁଳ କଂଗ୍ରେସ, ଡିଏମକେ ଏବଂ ଅନ୍ୟ ସଦସ୍ୟମାନେ ପେଗାସସ୍ ଗୁପ୍ତଚର, କୃଷି ଆଇନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ପ୍ରଶ୍ନକାଳକୁ ବାଧା ଦେଇଥିଲେ।

ଅନ୍ୟପକ୍ଷରେ, ଯେତେବେଳେ ରାଜ୍ୟସଭାରେ ଦ୍ୱିତୀୟ ମୁଲତବୀ ପରେ ପୁଣି ଆରମ୍ଭ ହେଲା ସେତେବେଳେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଗତକାଲିର ଘଟଣା ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ନିଲମ୍ବିତ ସାଂସଦମାନେ ବ୍ୟାଗ ଏବଂ ଅନ୍ୟାନ୍ୟ ଜିନିଷ ଆଣିବା ପାଇଁ ଗୃହ ଭିତରକୁ ପ୍ରବେଶ କରିଥିଲେ। ହେଲେ ସେମାନଙ୍କୁ ସୁରକ୍ଷା କର୍ମି ଅଟକାଇବା ସହିତ ଦୁଃବ୍ୟବହାର କରିଥିଲେ। ସାଂସଦମାନେ ଗଣ୍ଡଗୋଳ କରିଥିବା ଘଟଣା ଭୁଲ ବୋଲି ସେ କହିଛନ୍ତି।

ଏହାର ଜବାବରେ ମୁକତାର ଅବ୍ବାସ ନକଭି ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ସାଂସଦଙ୍କ ପ୍ରତି ସରକାରଙ୍କର ଯଥେଷ୍ଠ ସମ୍ମାନ ରହିଛି, କିନ୍ତୁ ହିଂସା ଯଥାର୍ଥ ନୁହେଁ। ଉତ୍ତେଜନା ମଧ୍ୟରେ ଡେପୁଟି ଚେୟାରମ୍ୟାନ୍ ପ୍ରଶ୍ନକାଳ ଚଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପରିସ୍ଥିତିରେ କୈଣସି ଉନ୍ନତି ହୋଇ ନ ଥିବାରୁ ଗୃହକୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।

ଏହାପୂର୍ବରୁ ଡେପୁଟି ଚେୟାରମ୍ୟାନ୍ କହିଛନ୍ତି ଯେ ନିଲମ୍ବିତ ସାଂସଦଙ୍କ ଗୃହରେ ପ୍ରବେଶ ଘଟଣା ଦୁର୍ଭାଗ୍ୟଜନକ, ସେମାନଙ୍କୁ ମହିଳା ସୁରକ୍ଷା ଅଧିକାରୀ ଅଟକାଇ ଥିଲେ। ସେ କହିଛନ୍ତି ଯେ ସୁରକ୍ଷା ଅଧିକାରୀ ଆହତ ହୋଇଥିବାର ଅଭିଯୋଗ ଆସିଛି। ଅଧ୍ୟକ୍ଷ ଏହା ଉପରେ ବିଚାର କରୁଛନ୍ତି। ସେ ଏହି ଘଟଣାକୁ ଦୁଃଖଦାୟକ ବୋଲି ବର୍ଣ୍ଣନା କରିଛନ୍ତି। ତ୍ରୁଣମୂଳ କଂଗ୍ରେସ ସାଂସଦ ଶୁଭେନ୍ଦୁ ଶେଖର ରାୟ କହିଛନ୍ତି ଯେ ଗୃହ ସ୍ଥଗିତ ରହିବା ପରେ ଟିଏମସି ସଦସ୍ୟମାନେ ସେମାନଙ୍କ ଜିନିଷପତ୍ର ସଂଗ୍ରହ କରିବାକୁ ଗୃହକୁ ଆସୁଥିଲେ। ହେଲେ ସେମାନଙ୍କୁ ଅଟକାଇବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଏହା ଉପରେ ତ୍ରୁଣମୂଳ କଂଗ୍ରେସ, କଂଗ୍ରେସ, ଡିଏମକେ ଏବଂ ଅନ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ। କୋଳାହଳ ମଧ୍ୟରେ ଗୃହର ନେତା ପୀୟୁଷ ଗୋୟଲ କହିଛନ୍ତି ଯେ ଗୃହର ନିୟମ ଅନୁସାରେ ସୁରକ୍ଷା ଅଧିକାରୀ ଏହି ସଦସ୍ୟମାନଙ୍କୁ ଅଟକାଇଛନ୍ତି। ଏପରି କୋଳାହଳ ଜାରି ରହିଥିବା ବେଳେ ଗୃହରେ 11:30 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ପୁନର୍ବାର ଆରମ୍ଭ ପରେ ଗୃହର କାର୍ଯ୍ୟ ପ୍ରଥମେ 12 ଟା ପର୍ଯ୍ୟନ୍ତ ଏବଂ ପରେ 2 ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

ତେବେ ଭାରତୀୟ ହକି ଦଳର ବିଜୟ ଏବଂ ବକ୍ସର ଲୋଭଲିନା ବୋର୍ଗୋହେନଙ୍କୁ ସଦସ୍ୟମାନେ ଗୃହରେ ଟେବୁଲ ବାଡାଇ ଅଭିନନ୍ଦନ ଜଣାଇଥିଲେ।

Related posts