ଆଜିଠାରୁ ଓଡିଶାର ଜଗନ୍ନାଥ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର, ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି

Published: Aug 23, 2021, 1:19 am IST

ପୁରୀ, ବହୁ ପ୍ରତୀକ୍ଷାର ଶେଷରେ ଅନ୍ତ ଘଟୁଛି। ଆଜିଠାରୁ ଅର୍ଥାତ ସୋମବାର ସକାଳ ସାତଟାରୁ ରାଜ୍ୟର ସବୁ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୋଲୁଛି ସିଂହଦ୍ବାର। ଭକ୍ତମାନେ କୋଭିଡ କଟକଣା ଭିତରେ ଶ୍ରୀଜଗନ୍ନାଥ ଦର୍ଶନ କରିବା ପାଇଁ ଅନୁମତି ଦିଆଯାଇଛି। ଏହି ଦର୍ଶନ ସକାଳା ସାତଟାରୁ ଆରମ୍ଭ ହୋଇ ସଂଧ୍ୟା ସାତଟା ପର୍ଯ୍ୟନ୍ତ ଚାଲିବ।

ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପ୍ରଶାସନ ତରଫରୁ ନିଆଯାଇଛି ବ୍ୟାପକ ପଦକ୍ଷେପ। ମନ୍ଦିର ଚାରିପଟେ ଏବଂ ଭିତରେ ସାନିଟାଇଜ କରାଯାଇଛି। ଶନିବାର ରବିବାର ଦୁଇଦିନ ମନ୍ଦିର ବନ୍ଦ ଥିବାରୁ ସେଦିନ ଏହି ସାନିଟାଇଜ କାମ କରାଯାଇଛି। ସେହିପରି ଧାଡିରେ ଭକ୍ତମାନେ ଯିବା ପାଇଁ ବ୍ୟାରିକେ଼ଡ ବ୍ୟବସ୍ଥା କରାଯାଇଛି।

ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ସେହିପରି ମନ୍ଦିର ନିକଟରେ ଏକ ହାଣ୍ଡ ସାନିଟାଇଜର ମେସିନ ରଖାଯାଇଛି। ଦୁଇପଟେ ଭକ୍ତମାନେ ଯିବା ବେଳେ ହାତକୁ ସାନିଟାଇଜ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ କରୋନା ଟିକାର ଦୁଇ ଡୋଜ୍ ସାର୍ଟିଫିକେଟ୍ କିମ୍ବା କରୋନା ଟେଷ୍ଟ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ସେହିପରି ବୃଦ୍ଧ ଓ ଛୋଟ ପିଲାଙ୍କୁ ନ ଆସିବା ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା । ଏହାପରେ ପୁରୀ ସହରବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ତେବେ ଆଜିଠାରୁ ସମସ୍ତ ରାଜ୍ୟବାସୀ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

Related posts