
ଭୁବନେଶ୍ୱର: ଆଜି ବିଧାନସଭାର ପ୍ରଶ୍ନକାଳ ପରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ତିନି ପାର୍ଶ୍ୱରୁ ପରଦା ହଟାଇବା ପ୍ରସଂଗକୁ କଂଗ୍ରେସ ଉତଥାପନ କରିଛି। ପୂଜା କଟକଣାକୁ ନେଇ କଂଗ୍ରେସ ବିଧାୟକଙ୍କ ଗୃହରେ ହୋହାଲ୍ଲା କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ପ୍ରତିବାଦ କରିବାରୁ ବାଚସ୍ପତି ୧୦ମିନିଟ ପାଇଁ ଗୃହକୁ ମୂଲତବୀ ରଖିଥିଲେ।
ରାଜ୍ୟ ସରକାର କରୋନା ପାଇଁ ଗଣେଷ ପୂଜା ନିମନ୍ତେ ସ୍ବତନ୍ତ୍ର ଗାଇଡ ଲାଇନ ଜାରୀ କରିଛନ୍ତି। ଯାହାକୁ ନେଇ ଗୃହ ଭିତରେ ଏବଂ ବାହାରେ ମଧ୍ୟ ପ୍ରତିବାଦ କରାଯାଉଛି । କରୋନା କଟକଣାକୁ କୋହଳ କରାଯାଇଥିବା ବେଳେ କାହିଁକି ପୂଜା ବେଳେ ଏମିତି କଟକଣା ରଖାଯାଇଛି ବୋଲି କଂଗ୍ରେସ ବିଧାୟକମାନେ ପ୍ରଶ୍ନ କରିଥିଲେ।
କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଥିଲେ ଯେ, ସରକାରଙ୍କ ଗାଇଡ଼ଲାଇନ ରେ ଧର୍ମୀୟ ଭାବନାକୁ କୁଠାରଘାତ କରାଯାଇଛି। ପରଦା ହଟାଇବା ସହିତ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପାଇଁ ସେ ଦାବି କରିଛନ୍ତି। କେବଳ କଟକ ନୁହେଁ ସାରା ଓଡିଶାରୁ ଏହି କଟକଣା ହଟାଇବାକୁ ବାଚସ୍ପତିଙ୍କ ରୁଲିଂ ଦାବି କଲେ ମୋକିମ । ଏହାକୁ ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ସମର୍ଥନ କରିଥିଲେ। ( ଫାଇଲ ଫଟୋ)