ଅଷ୍ଟାଦଶ ଭାରତ-ଆସିଆନ୍ ଶିଖର ସମ୍ମିଳନୀରେ ସହ-ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

Published: Oct 28, 2021, 10:06 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସିଆନ୍‌ର ବର୍ତ୍ତମାନର ଅଧ୍ୟକ୍ଷ ବ୍ରୁନେଇର ମହାମହିମ ସୁଲତାନ ହାଜୀ ହସନଅଲ ବୋଲକିୟାଙ୍କ ନିମନ୍ତ୍ରଣକ୍ରମେ ଅଷ୍ଟାଦଶ ଭାରତ-ଆସିଆନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏହି ଶିଖର ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା। ଏଥିରେ ଆସିଆନ ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ।

ଭାରତ-ଆସିଆନ ଭାଗିଦାରୀର ୩୦ତମ ବର୍ଷ ପୂର୍ତ୍ତି ଭଳି ଉଲ୍ଲେଖନୀୟ ଉପଲବ୍ଧି ଉପରେ ଆଲୋକପାତ କରି ସମସ୍ତ ରାଷ୍ଟ୍ର ନେତାମାନେ ୨୦୨୨ ବର୍ଷକୁ ‘ଭାରତ-ଆସିଆନ ମୈତ୍ରୀ ବର୍ଷ’ ଭାବେ ପାଳନ କରିବା ନିମନ୍ତେ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଭାରତର ‘ଆକ୍ଟ ଇଷ୍ଟ ନୀତି’ ଏବଂ ବ୍ୟାପକ ଭାରତ-ପ୍ରଶାନ୍ତ ମହାସାଗର ସଂକଳ୍ପ ଲାଗି ଭାରତର ପ୍ରତିବଦ୍ଧତାରେ ଆସିଆନର କେନ୍ଦ୍ରୀୟ ଭୂମିକା ଉପରେ ରେଖାପାତ କରିଥିଲେ। ଭାରତ-ପ୍ରଶାନ୍ତ ମହାସାଗର ପାଇଁ ଆସିଆନ ଆଉଟଲୁକ୍(ଏଓଆଇପି) ଏବଂ ଭାରତ ପକ୍ଷରୁ ଆରମ୍ଭ କରାଯାଇଥିବା ଭାରତ-ପ୍ରଶାନ୍ତ ମହାସାଗର ପ୍ରୟାସ (ଆଇପିଓଆଇ) ମଧ୍ୟରେ ସାମଞ୍ଜସ୍ୟର ସମ୍ପୂର୍ଣ୍ଣ ଭରସା ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆସିଆନ ନେତାମାନେ ଏହି କ୍ଷେତ୍ରରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ପାଇଁ ସହଯୋଗ କ୍ଷେତ୍ରରେ ‘ଭାରତ-ଆସିଆନ ମିଳିତ ବକ୍ତବ୍ୟ’ ଅନୁମୋଦନ ଲାଭ କରିବାକୁ ସ୍ବାଗତ କରିଥିଲେ।

କୋଭିଡ-୧୯ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ ମହାମାରୀ ମୁକାବିଲା ନିମନ୍ତେ ଭାରତର ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଏଥିସହିତ ଏ ଦିଗରେ ଆସିଆନ ପ୍ରୟାସ ନିମନ୍ତେ ଆବଶ୍ୟକ ସହଯୋଗ ଦେବା ବିଷୟରେ ଉଲ୍ଲେଖ କରିଥିଲେ। ଭାରତ ପକ୍ଷରୁ ମ୍ୟାଁମାରରେ ମାନବୀୟ ସହାୟତା ଲାଗି ୨ ଲକ୍ଷ ଆମେରିକୀୟ ଡଲାର ଏବଂ ଆସିଆନର କୋଭିଡ-୧୯ ମୁକାବିଲା ପାଣ୍ଠି ନିମନ୍ତେ ୧ ମିଲିୟନ ଆମେରିକୀୟ ଡଲାର ମୂଲ୍ୟର ଚିକିତ୍ସା ସାମଗ୍ରୀ ଯୋଗାଇ ଦିଆଯାଇଛି।

ଏହି ରାଷ୍ଟ୍ର ନେତାମାନେ ଭୌତିକ, ଡିଜିଟାଲ ଏବଂ ସଦସ୍ୟ ରାଷ୍ଟ୍ରର ନାଗରିକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ସହିତ ବ୍ୟାପକ ଭାବେ ଭାରତ-ଆସିଆନ ସମ୍ପର୍କ ବଢ଼ାଇବା ଉପରେ ନିଜ ନିଜର ବିଚାର ଆଦାନପ୍ରଦାନ କରିଥିଲେ। ଭାରତ-ଆସିଆନ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଆସିଆନ ସାଂସ୍କୃତିକ ଐତିହ୍ୟ ସୂଚୀ ପ୍ରସ୍ତୁତ କରିବା ଲାଗି ଭାରତ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଘୋଷଣା କରିଥିଲେ। ବ୍ୟବସାୟ ଏବଂ ନିବେଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ ପରବର୍ତ୍ତୀ ଆର୍ଥିକ ସୁଧାର ସୁନିଶ୍ଚିତ କରିବା ନିମନ୍ତେ ଯୋଗାଣ ଶୃଙ୍ଖଳାର ବିବିଧକରଣ ଏବଂ ଦୃଢ଼ତା ଉପରେ ଜୋର ଦେଇଥିଲେ। ଏଥସହିତ ଏହି ସମ୍ପର୍କରେ ଭାରତ-ଆସିଆନ ଏଫଟିଏକୁ ଉନ୍ନତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଆସିଆନ ଦେଶର ନେତାମାନେ ବିଶେଷ କରି ବର୍ତ୍ତମାନର କୋଭିଡ-୧୯ ମହାମାରୀ ସମୟରେ ଟିକା ଯୋଗାଣ ଜରିଆରେ ଏହି କ୍ଷେତ୍ର‍ରେ ଏକ ବିଶ୍ବସନୀୟ ସହଭାଗୀ ରୂପରେ ଭାରତର ଭୂମିକାକୁ ପ୍ରଶଂସା କରିଥିଲେ। ଏହି ରାଜନେତାମାନେ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଆସିଆନର କେନ୍ଦ୍ରୀୟ ଭୂମିକା ପ୍ରତି ଭାରତ ପକ୍ଷରୁ ଆବଶ୍ୟକ ସମର୍ଥନ ଯୋଗାଇ ଦିଆଯିବାକୁ ମଧ୍ୟ ସ୍ବାଗତ କରିଥିଲେ। ଏଥିସହିତ ଏହି ସମସ୍ତ ରାଷ୍ଟ୍ରନେତାମାନେ ମିଳିତ ବକ୍ତବ୍ୟ ମାଧ୍ୟମରେ ଏହି କ୍ଷେତ୍ରରେ ଭାରତ-ଆସିଆନ ସହଯୋଗକୁ ଆହୁରି ବଢ଼ାଇବା ଲାଗି ଆଶା କରିଥିଲେ।

ଏହି ଆଲୋଚନାରେ ଦକ୍ଷିଣ ଚୀନ ସାଗର ଏବଂ ଆତଙ୍କବାଦ ସମେତ ସହଭାଗୀ ହିତ ଏବଂ ଗମ୍ଭୀର ଚିନ୍ତା ଭଳି କ୍ଷେତ୍ରୀୟ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗକୁ ମଧ୍ୟ ସାମିଲ କରାଯାଇଥିଲା। ଉଭୟ ପକ୍ଷ ଏହି କ୍ଷେତ୍ରରେ ଏକ ନିୟମ ଆଧାରିତ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବାର ମହତ୍ବ ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ତର୍ଜାତୀୟ ଆଇନ, ବିଶେଷ କରି ‘ୟୁଏନସିଏଲଓଏସ’ର ପାଳନ କରିବା ମଧ୍ୟ ସାମିଲ ରହିଛି। ଏହି ରାଜନେତାମାନେ ଦକ୍ଷିଣ ଚୀନ ସାଗରରେ ଶାନ୍ତି, ସ୍ଥିରତା, ସୁରକ୍ଷା ଏବଂ ନିରାପତ୍ତାକୁ ବଜାୟ ରଖିବା ସହିତ ନୌପରିବହନ ଏବଂ କୌଣସି ବିଶେଷ କ୍ଷେତ୍ର ଉପରେ ବିମାନ ଉଡ଼ାଣର ସ୍ବାଧୀନତା ସୁନିଶ୍ଚିତ କରିବା ପ୍ରତି ଜୋର ଦେଇଥିଲେ।

ଭାରତ ଏବଂ ଆସିଆନ ମଧ୍ୟରେ ବ୍ୟାପକ, ସୁଦୃଢ଼ ଏବଂ ବହୁପକ୍ଷୀୟ ସମ୍ପର୍କ ରହିଛି ଏବଂ ୧୮ତମ ଭାରତ-ଆସିଆନ ଶିଖର ସମ୍ମିଳନୀ ଏହି ସମ୍ପର୍କରେ ବିଭିନ୍ନ ଦିଗର ସମୀକ୍ଷା କରିବା ତଥା ସର୍ବୋଚ୍ଚ ସ୍ତରରେ ଭାରତ-ଆସିଆନ ସାମରିକ ଭାଗିଦାରୀର ଭବିଷ୍ୟତକୁ ନୂଆ ଦିଗ ଦେବାର ଅବସର ପ୍ରଦାନ କରିଛି।

Related posts