ଭୁବନେଶ୍ୱର: ଲୋକସେବା ଭବନଠାରେ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଜିଲ୍ଲାପାଳଙ୍କ ସହିତ ବୈଠକ କରିଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆୟୋଜିତ ଏହି ବୈଠକରେ ଖରିଫ ଧାନ ସଂଗ୍ରହ ସଂପର୍କରେ ଏ ସଂପର୍କରେ ସମସ୍ତ ଜିଲ୍ଲାପାଳ ଏବଂ ବରିଷ୍ଠ ବିଭାଗୀୟ ଅଧିକାରୀମାନଙ୍କ ସହ ବିଶଦ ଆଲୋଚନା କରିଛନ୍ତି । ଚଳିତ ଖରିଫରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ୍-୧୯ ମହାମାରୀ ସତ୍ବେ ରାଜ୍ୟର ଚାଷୀକୂଳଙ୍କ କଠିନ ପରିଶ୍ରମ ଯୋଗୁଁ ଭଲ ଧାନ ଅମଳ ହେବାର ଆଶା ରହିଛି ।
ତେଣୁ ଖରିଫ ଧାନ ସଂଗ୍ରହ କାର୍ଯ୍ୟରେ ଜିଲ୍ଲାପାଳ ଓ ସଂପୃକ୍ତ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନେ ଯେପରି ତତ୍ପରତା ଓ ନିଷ୍ଠା ପ୍ରଦର୍ଶନ କରନ୍ତି ସେଥିପ୍ରତି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେବା ସହିତ ଏଥିରେ ଖିଲାଫ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏଥି ସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଧାନସଂଗ୍ରହ କ୍ଷେତ୍ରରେ ଗୁରୁତ୍ୱ ଦେବା ପାଇଁ ମନ୍ତ୍ରୀ କହିଛନ୍ତି ।
ଚଳିତ ଖରିଫରେ ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟ ନଭେମ୍ବର ମାସ ୨୦୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ସରକାର ଖରିଫ ବିପଣନ ଋତୁ ୨୦୨୧-୨୨ ବର୍ଷ ପାଇଁ ମୋଟ ୭୭ ଲକ୍ଷ ମେଟି୍ରକ୍ ଟନ୍ ଉଭୟ ଖରିଫ ଓ ରବି ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏଥି ମଧ୍ୟରୁ ୬୩ ଲକ୍ଷ ମେଟି୍ରକ୍ ଟନ୍ ଖରିଫ ଧାନ ସଂଗ୍ରହ କରାଯିବ । ସୂଚନାଯୋଗ୍ୟ ଯେ, ଗତ ଖରିଫରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରେକର୍ଡ ୬୩ ଲକ୍ଷ ମେଟି୍ରକ୍ ଟନ୍ ଧାନ ମୋଟ ୧୧ ଲକ୍ଷ ୯୧ ହଜାର ପଂଜୀକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କଠାରୁ ସଂଗୃହୀତ ହୋଇଥିଲା । ଧାନସଂଗ୍ରହର ମୂଲ୍ୟ ବାବଦକୁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ୧୧ ହଜାର ୭୪୯ କୋଟି ଟଙ୍କା ପଇଠ କରାଯାଇଥିଲା ।
ସେହିପରି ଚଳିତ ଖରିଫ ଧାନ ବିକି୍ର ନିମନ୍ତେ ରାଜ୍ୟରେ ୧୫ ଲକ୍ଷ ୭୪ ହଜାରରୁ ଅଧିକ ଚାଷୀ ସେମାନଙ୍କ ନାମ ପଂଜୀକୃତ ଓ ଯାଞ୍ଚ କରିଛନ୍ତି । ରାଜ୍ୟ ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀ, ପ୍ରକୃତ ଚାଷୀ ଓ ଭାଗଚାଷୀଙ୍କଠାରୁ ଧାନ କିଣିବା ପାଇଁ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରକୃତ ଚାଷୀଙ୍କ ଧାନଚାଷ ଜମି ସଂପର୍କରେ ବ୍ୟାପକ ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା ।
ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସ୍ୱରୂପ ପାଇଲଟ୍ ପ୍ରକଳ୍ପ ଭାବରେ ସାଟେଲାଇଟ୍ ମାଧ୍ୟମରେ ୭ଟି ଜିଲ୍ଲାରେ ଚାଷୀଙ୍କ ପ୍ରକୃତ ଧାନଜମି ଚାଷର ତଥ୍ୟ ସଂଗ୍ରହ କରାଯାଉଅଛି । ଏଥି ସହିତ ନିର୍ଭୁଲ ଚାଷୀ ପଂଜୀକରଣ ନିମନ୍ତେ ଶତପ୍ରତିଶତ କ୍ଷେତ୍ର ପରିଦର୍ଶନ, ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ, ଜମିଜମା ରେକର୍ଡ, ଜଳସେଚିତ ଜମିର ପରିମାଣ ଆଦି ସଂପର୍କରେ ଯାଞ୍ଚ କରାଯାଇଥିଲା । ପି-ପାସ୍ ଓ ଆଗୁଆ ଟୋକେନ୍ ପ୍ରଦାନ ମାଧ୍ୟମରେ ଧାନସଂଗ୍ରହ କରାଯାଉଥିବା ପରିପ୍ରେକ୍ଷୀରେ ଚାଷୀଙ୍କ ଆଧାର କାର୍ଡ ସଂଯୋଗ ଓ ଧାନ ସଂଗ୍ରହ କେନ୍ଦ୍ରରେ ଉତ୍ତମ ଇଣ୍ଟରନେଟ୍ ଭିତ୍ତିଭୂମିର ସଂଯୋଗ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।
ଚଳିତ ଖରିଫରେ ଧାନସଂଗ୍ରହ ନିମନ୍ତେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଅର୍ଥ ପ୍ରେରଣ ଦିଗରେ ପବ୍ଲିକ୍ ଫାଇନାନ୍ସିଆଲ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମକୁ ଲାଗୁ କରାଯାଇଛି । ଧାନସଂଗ୍ରହର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥପ୍ରେରଣର ବ୍ୟବସ୍ଥା କରାଯାଇଛି । ଧାନସଂଗ୍ରହ ବାବଦକୁ କୌଣସି ଆପତ୍ତି ଅଭିଯୋଗର ତୁରନ୍ତ ଶୁଣାଣି କରି ସମାଧାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଏଥି ନିମନ୍ତେ ଏକ କଲ୍ ସେଣ୍ଟର ଓ ସମନ୍ୱିତ ଭଏସ୍ ରେକର୍ଡିଂର ମଧ୍ୟ ବ୍ୟବସ୍ଥା କରାଯାଇଛି ।
ଧାନସଂଗ୍ରହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ରରେ ଧାନ ଗ୍ରେଡିଂ ମେସିନ୍ ଆଦିର ବ୍ୟବସ୍ଥା କରିବା ସହିତ କୋଭିଡ୍ ମାର୍ଗଦର୍ଶିକା ଓ ମାସ୍କ ପରିଧାନକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟି ସଂପୃକ୍ତ ଜିଲ୍ଲାରେ କେବେ ଧାନସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ ସେ ବିଷୟରେ ସ୍ଥିର କରିବେ ଓ ଧାନସଂଗ୍ରହ ତାରିଖ ଚାଷୀମାନଙ୍କ ଅବଗତି ନିମନ୍ତେ ବ୍ୟାପକ ପ୍ରଚାର କରିବେ । ଅଣପଂଜୀକୃତ ଚାଷୀମାନଙ୍କ ଧାନ ଯେପରି ମଣ୍ଡିକୁ ନ ଆସିବ ସେଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।
ଚଳିତ ଖରିଫରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ୨୦୧୬ଟି ପ୍ୟାକସ୍ ଏବଂ ଲ୍ୟାମ୍ପସ୍, ୨୫୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ୪ଟି ପାଣିପଂଚାୟତ ଦ୍ୱାରା ୩୮୪୦ଟି ମଣ୍ଡି ମାଧ୍ୟମରେ ଧାନସଂଗ୍ରହ କରାଯିବ । ଧାନସଂଗ୍ରହ କେନ୍ଦ୍ରରୁ ମିଲରମାନେ ଯେପରି ସେହିଦିନ ସଂପୂର୍ଣ୍ଣ ଧାନ ଉଠାଣ କରିବେ ଓ ମଣ୍ଡିରେ ଯେପରି ଧାନ ପଡ଼ି ନରହେ ସେଥି ନିମନ୍ତେ ପଦକ୍ଷେପ ନେବାକୁ କୁହାଯାଇଥିଲା । ଏଥି ନିମନ୍ତେ ବିଭାଗୀୟ ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ମଣ୍ଡିରେ ସମସ୍ତ ପୂର୍ବପ୍ରସ୍ତୁତି କରିବା ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ସମସ୍ତ ଆର୍ଡିସି, ଜିଲ୍ଲାପାଳ, ନିବନ୍ଧକ ସମବାୟ ସମିତି ସମୂହ ଶ୍ରୀ ସୁଶାନ୍ତ କୁମାର ବାରିକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ, ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ ଦାଶ, ଏଫ୍ସିଆଇ ଏବଂ ଓସାମା ବୋର୍ଡର ଅଧିକାରୀଙ୍କ ସମେତ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀ, ଡିଆର୍ସିଏସ୍, ଏଆର୍ସିଏସ୍ ପ୍ରମୁଖ ଯୋଗଦେଇଥିଲେ ।