ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବେଳେ ବିଜେପିର ଅଣ୍ଡାମାଡ ଘଟଣା, ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପ୍ରଣବ ଦାସ

Published: Nov 25, 2021, 9:44 pm IST

ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ ବେଳେ ବିଜେପି କର୍ମିଙ୍କ ତରଫରୁ ଅଣ୍ଡାମାଡ କରାଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। କାରଣ ପୁରୀ ପରି ଏକ ଧର୍ମିକ ସ୍ଥଳ ଏବଂ ଧାର୍ମିକ କାର୍ଯ୍ୟରେ ଅଣ୍ଡାମାଡ କରିବା ଠିକ ନୁହେଁ ବୋଲି କୁହାଯାଇଛି।

ତେବେ ଏହା ଉପରେ ତତକାଳ ବିଜେଡି ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନ ଥିଲା। ଗୋଟିଏ ଦିନ ପରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ଟୁଇଟରରେ ସିଧା ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଟାର୍ଗେଟ କରିଛନ୍ତି। ସେ ଧର୍ମେନ୍ଦ୍ରଙ୍କୁ ଭାଇ ସମ୍ବୋଧନ କରି ଲେଖିଛନ୍ତି ଯେ,

“ଭାଇ, ଆପଣ ଜାଣିଛନ୍ତି ଏବଂ ସାରା ଓଡିଶାବାସୀଙ୍କ ବିଶ୍ୱାସ ଯେ, ଯିଏ ଜଗନ୍ନାଥ ଦର୍ଶନ କରି ବଡ଼ଦାଣ୍ଡରୁ ଫେରିଛି ତାର ପାଦ ଧରି ନମସ୍କାର କରାଯାଏ। କାରଣ ଶରଧାବାଲିରେ ତା ପାଦରେ ଲାଗିଥାଏ। କିନ୍ତୁ ଲଜ୍ଜାର ବିଷୟ ଯେ ଆପଣଙ୍କ ଦଳର ଜଣେ ନେତା ଏହି ଘୃନ୍ୟ କାର୍ଯ୍ୟ ଆମିଷ ଅଣ୍ଡାମାଡ କରିଥିବାର ବାହାବା ନେଉଛନ୍ତି।”

“ଭାଇ, ଆପଣଙ୍କ ବିଜେପି ଦଳ ସବୁବେଳେ ହିନ୍ଦୁ ସଂସ୍କାର ଓ ସଂସ୍କୃତି ବିଷୟରେ ଗୁରୁତ୍ୱ ଦେଇ ଆସିଛି। ଜଗନ୍ନାଥ ସଂସ୍କୃତି ହେଉଛି ଓଡିଆ ଜାତିର ପରିଚୟ। ମହାପ୍ରଭୁଙ୍କ ସେବା କରି ଆସିଥିବା ଲୋକଙ୍କ ଉପରେ ଆମିଷ ଦ୍ରବ୍ୟ ନିକ୍ଷେପ କରିବା ଓଡ଼ିଆ ଜାତି ଏବଂ କୋଟି କୋଟି ଓଡ଼ିଆଙ୍କୁ ମର୍ମାହତ କରିଛି।”

“ଭାଇ, ଆପଣ ବିଜେପିର ଜଣେ ବରିଷ୍ଠ ନେତା। ମୋର ବିନମ୍ର ଅନୁରୋଧ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଏହି ଘୃନ୍ୟ କାର୍ଯ୍ୟକୁ ନିନ୍ଦା କରିବା ସହ ସେହି ଭୂଲ କରିଥିବା ବିଜେପିର ଲୋକଙ୍କୁ ଓଡିଶାବାସୀଙ୍କ ପାଖରେ କ୍ଷମା ପାର୍ଥନା କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ।”

ତେବେ ଏହା ଉପରେ ବିଜେପି କିମ୍ବା ଧର୍ମେନ୍ଦ୍ରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related posts