
ନୁୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେପି ତାହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ପଯ୍ୟାୟରେ ଦଳ ୧୦୭ ଜଣଙ୍କ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ମଧ୍ୟ ରହିଛି। ସେ ତାଙ୍କର ସେହି ପୁରୁଣା ଆସନ ଗୋରଖପୁରରୁ ଲଢିବେ ବୋଲି ଘୋଷଣା କରାଯାଇଛି।
ପୂର୍ବରୁ କଳ୍ପନାଜଳ୍ପନା କରାଯାଇଥିଲା ଯେ ଆଦିତ୍ୟନାଥ, ଦୁଇଟି ମନ୍ଦିର ତଥା ଧାର୍ମିକ ସହର ଅଯୋଧ୍ୟା କିମ୍ବା ମଥୁରାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। କାରଣ ସେ ହିନ୍ଦୁତ୍ୱ ବାର୍ତ୍ତାକୁ ଆହୁରି ଦୃଢ କରିବା ପାଇଁ ସେ ଏପରି ନିଷ୍ପତି ନେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ସେସବୁକୁ ପଛରେ ପକାଇ ଯୋଗୀ ତାଙ୍କର ସେହି ପୁରୁଣା ଆସନରୁ ପ୍ରତିଦ୍ବନ୍ଦିତା କରିବେ।
ସେହିପରି ଦଳର ଉପସଭାପତି କେଶବ ପ୍ରସାଦ ମୌର୍ଯ୍ୟ ପ୍ରୟାଗରାଜ ଅଧିନରେ ଥିବା ସିରାଥୁ ଆସନରୁ ପ୍ରତିଦ୍ବନ୍ଦିତା କରିବେ। ୟୁପିରେ ହେବାକୁ ଥିବା ନିର୍ବାଚନରେ ପ୍ରଥମ ପର୍ୟ୍ୟାୟରେ ୫୮ ଆସନ ପାଇଁ ଦଳ ୫୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫୫ଟି ଆସନ ମଧ୍ୟରୁ ୪୮ ଜଣଙ୍କ ନାମ ଘୋଷଣା କରାଯାଇଛି।
ଏପର୍ଯ୍ୟନ୍ତ କଂଗ୍ରେସ ୟୁପି ନିର୍ବାଚନ ପାଇଁ ୧୨୫ ଜଣ ପ୍ରାର୍ଥୀ ଘୋଷଣା କରିଛି, ବହୁଜନ ସମାଜ ପାର୍ଟି ୫୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଏବଂ ଏସପି-ଆରଏଲଡି ମିଳିତ ମଞ୍ଚ ୨୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।