ଆହୁରି ୩୫ ଟି ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କଲେ ସରକାର, ଦେଖାଉଥିଲେ ଭାରତ ବିରୋଧୀ ବିଷୟବସ୍ତୁ

Published: Jan 21, 2022, 6:06 pm IST

ନୂଆଦିଲ୍ଲୀ: ମୋଦୀ ସରକାର ଆଉ ୩୫ ଟି ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସାହା କହିଛନ୍ତି ଯେ, ଗୁପ୍ତଚର ଇନପୁଟ ଆଧାରରେ ୩୫ ଟି ୟୁଟ୍ୟୁବ୍ ଚ୍ୟାନେଲ, ଦୁଇଟି ଟ୍ୱିଟର, ଇନଷ୍ଟାଗ୍ରାମ ଆକାଉଣ୍ଟ, ୱେବସାଇଟ୍ ଏବଂ ଗୋଟିଏ ଫେସବୁକ୍ ଆକାଉଣ୍ଟକୁ ଗତକାଲି ବନ୍ଦ କରାଯାଇଛି।

ଏହାପୂର୍ବରୁ ଜାନୁଆରୀ ୧୯ ତାରିଖରେ ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ, ଦେଶ ବିରୁଦ୍ଧରେ ଷଡଯନ୍ତ୍ରକାରୀଙ୍କ ଉପରେ ସରକାର କଟକଣା ଜାରି କରିବେ। ସେ କହିଥିଲେ, ମୁଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲି। ମୁଁ ଖୁସି ଯେ ବିଶ୍ଵର ଅନେକ ବଡ ଦେଶ ଏହାକୁ ସଜ୍ଞାନକୁ ନେଇଛନ୍ତି। ୟୁଟ୍ୟୁବ୍ ମଧ୍ୟ ଆଗକୁ ଆସି ସେଗୁଡିକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେଇଥିଲା |

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗତ ବର୍ଷ ଡିସେମ୍ବରରେ ଗୁପ୍ତଚର ଏଜେନ୍ସିମାନଙ୍କ ସହ ସମନ୍ୱିତ ପ୍ରୟାସରେ ୨୦ ଟି ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଦୁଇଟି ୱେବସାଇଟ୍ ରୋକିବାକୁ ନିର୍ଦ୍ଦେଶ ଦେଇଥିଲା। ଯେହେତୁ ସେମାନେ ଭାରତ ବିରୋଧୀ ପ୍ରଚାର ଏବଂ ମିଥ୍ୟା ଖବର ପ୍ରଚାର କରୁଥିଲେ।

ମନ୍ତ୍ରଣାଳୟ କହିଛି ଯେ ଏହି ଚ୍ୟାନେଲଗୁଡ଼ିକ କାଶ୍ମୀର, ଭାରତୀୟ ସେନା, ଭାରତର ସଂଖ୍ୟାଲଘୁ ସମ୍ପ୍ରଦାୟ, ରାମ ମନ୍ଦିର, ଜେନେରାଲ ବିପିନ ରାୱତ ଇତ୍ୟାଦି ପ୍ରସଙ୍ଗରେ ବିଭାଜନକାରୀ ବିଷୟବସ୍ତୁ ପୋଷ୍ଟ କରିବା ପାଇଁ ବ୍ୟବହୃତ ହେଉଛି।

Related posts