ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଫେବୃଆରୀ 1 ତାରିଖରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରାମଣ ବଜେଟ୍ ଉପସ୍ଥାପନ କରିବେ। ଫେବୃଆରୀ 1, 2022 ଦିନ 11ଟାରେ ସେ ଏହି ବଜେଟ ଉପସ୍ଥାପନା କରିବେ।
ପ୍ରତିବର୍ଷ କେନ୍ଦ୍ର ସରକାର ସାଧାରଣତଃ ବଜେଟ୍ ପ୍ରସ୍ତୁତ ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟରେ ପାରମ୍ପାରିକ ହାଲୱା ସମାରୋହ ଆୟୋଜନ କରିଥାନ୍ତି। ହେଲେ ଏଥର ମହାମାରୀ ଯୋଗୁଁ କର୍ମଚାରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ମିଠା ବଣ୍ଟନ କରାଯାଇଥିଲା।
ଗତ 2021-22 ର ୟୁନିଅନ୍ ବଜେଟ୍ ଦେଶର ଇତିହାସରେ ପ୍ରଥମ ଥର ପାଇଁ କାଗଜହୀନ ଫର୍ମାଟରେ ଉପସ୍ଥାପିତ ହୋଇଥିଲା। ଏ ବର୍ଷ ଅର୍ଥାତ ବଜେଟ୍ 2022-23 ମଧ୍ୟ ପରିବେଶ ଅନୁକୂଳକୁ ଗୁରୁତ୍ବ ଦେଇ ପେପରଲେସ ଭାବେ ଉପସ୍ଥାପିତ କରାଯିବ। ଏଥିସହ ସରକାର ଏକ ‘ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍’ ମଧ୍ୟ ଆରମ୍ଭ କରିଛନ୍ତି।
ଏହି ଆପ ଡାଉନଲୋଡ କରି ସଂସଦର ସଦସ୍ୟ ତଥା ଦେଶର ସାଧାରଣ ଜନତା ବଜେଟ୍ ଡକ୍ୟୁମେଣ୍ଟଗୁଡିକର ସୁବିଧାରେ ହାସଲ କରିପାରିବେ। ସଂସଦରେ ବଜେଟ୍ ଅଧିବେଶନ ସମାପ୍ତ ହେବା ପରେ ମୋବାଇଲ୍ ଆପ୍ ରେ ୟୁନିଅନ୍ ବଜେଟ୍ 2022-23 ଉପଲବ୍ଧ ହେବ।
ମୋବାଇଲ୍ ଆପ୍ ପ୍ରାୟ 14 ଟି ୟୁନିଅନ୍ ବଜେଟ୍ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ୍ ସହିତ ବଜେଟ୍ ଭାଷଣ, ବାର୍ଷିକ ଆର୍ଥିକ ବିବରଣୀ , ଫାଇନାନ୍ସ ବିଲ୍ ଏବଂ ଅନୁଦାନର ଚାହିଦା (ଡିଜି) କୁ ସମ୍ପୂର୍ଣ୍ଣ ଆକ୍ସେସ୍ ପ୍ରଦାନ କରାଯିବ। ଏହି ମୋବାଇଲ୍ ଆପ୍ ହିନ୍ଦୀ ଏବଂ ଇଂରାଜୀରେ ଉପଲବ୍ଧ ହେବ। ଏହା ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ।
ସେହିପରି ୱେବସାଇଟ୍ www.indiabudget.gov.in ରେ ମଧ୍ୟ ଏହି ବଜେଟ ଉପଲବ୍ଧ ହେବ। ସାଧାରଣ ଜନତା ମଧ୍ୟ ଏହି ୱେବସାଇଟରେ ବଜେଟ୍ ଡକ୍ୟୁମେଣ୍ଟ୍ ଡାଉନଲୋଡ୍ କରିପାରିବେ।