ଗୁଜୁରାଟର ଏକ କଂପାନୀ 24ଟି ବ୍ୟାଙ୍କକୁ କଲା ସଫା, ଠକେଇ ପରିମାଣ ଜାଣି ସିବିଆଇ ତାଜୁବ

Published: Feb 12, 2022, 11:35 pm IST

ନୂଆଦିଲ୍ଲୀ: ଦେଶର ସବୁଠାରୁ ଏକ ବଡ ବ୍ୟାଙ୍କ ଠକେଇ ଘଟଣା ପଦାକୁ ଆସିଛି। ଆଶ୍ଚର୍ଯ୍ୟର କଥା ହେଲା ଏହି ଠକେଇର ପରିମାଣ ଏତେ ଯେ, ଏହା ପୂର୍ବରୁ ଏପରି କେବେ ହୋଇ ନ ଥିଲା ବୋଲି କୁହାଯାଇଛି। ଏହି ଠକେଇ ପରିମାଣ ହେଉଛି 22,842 କୋଟି ଟଙ୍କାରୁ ଅଧିକ। ଏକା ଥରେ 24ଟି ବ୍ୟାଙ୍କକୁ ଠକେଇ କରିବାରେ ଏକ କଂପାନୀ ସକ୍ଷମ ହୋଇଛି। ଏଥିରେ କଂପାନୀ ସର୍ବାଧିକ ଟଙ୍କା ଏସବିଆଇ ରୁ ନେଇଥିବାର ସ୍ପଷ୍ଟ ହୋଇଛି।

ଘଟଣାରୁ ଜଣାପଡିଛି ଯେ, ଗୁଜୁରାଟର ଏକ କଂପାନୀ ହେଉଛି ଏବିଜି ସିପିୟାର୍ଡ ଲିମିଟେଡ। ଏହି କଂପାନୀ  2012 ମସିହାରୁ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ଠକିଥିବାର ଜଣାପଡିଛି। ବ୍ୟାଙ୍କକୁ ବିଭିନ୍ନ ଜାଲ କାଗଜପତ୍ର ଦେଇ ଏହି ଟଙ୍କା ଠକିଥିବାର ଜଣାପଡିଛି।

ଗୋଟିଏ ବ୍ୟାଙ୍କରୁ ଋଣ ନେବା ପରେ ଅନ୍ୟ ଏକ ବ୍ୟାଙ୍କକୁ ନୂଆ କାଗଜ ପତ୍ର ଦେଇ ପୁଣି ଋଣ ହାସଲ କରିଛି। ଏହିପରି ଭାବେ ଏହି କଂପାନୀ ବିଗତ ବର୍ଷରେ 24ଟି ବ୍ୟାଙ୍କରୁ ପ୍ରାୟ 22,842 କୋଟି ଟଙ୍କା ଠକେଇ କରିଥିବାର ଜଣାପଡିଛି।

ଏହି ମାମଲା ସିବିଆଇକୁ ଆସିବା ପରେ ଏହାର ଖୋଲତାଡ ଆରମ୍ଭ ହୋଇଛି। ଏଥିରେ ସିବିଆଇ ଏବିଜି ସିପିୟାର୍ଡ ଲିମିଟେଡ ଏବଂ ଏହାର ତତ୍କାଳୀନ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଋଷି କମଲେଶ ଅଗ୍ରୱାଲଙ୍କ ନାମରେ ମାମଲା ଋଜୁ କରିଛି।

ସେହିପରି ଅଗ୍ରୱାଲଙ୍କ ବ୍ୟତୀତ ଏହି ସଂସ୍ଥା ତତ୍କାଳୀନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଥନମ୍ ମୁଥାସ୍ୱାମୀ, ନିର୍ଦ୍ଦେଶକ ଅଶ୍ୱିନୀ କୁମାର, ସୁଶୀଲ କୁମାର ଅଗ୍ରୱାଲ ଏବଂ ରବି ବିମଲ ନେଭେଟିଆ ଏବଂ ଅନ୍ୟ ଏକ କମ୍ପାନୀ ଏବିଜି ଇଣ୍ଟରନ୍ୟାସନାଲ ପିଭି ଲିମିଟେଡକୁ ଅପରାଧିକ ଷଡଯନ୍ତ୍ର,  ପ୍ରତାରଣା,  ବିଶ୍ୱାସର ଉଲ୍ଲଂଘନ ଏବଂ ସରକାରୀ ଅପବ୍ୟବହାର ଅଭିଯୋଗରେ ମାମଲା କରିଛି।

Related posts